ମଣ୍ଡି ବନ୍ଦ ଯୋଗୁଁ ଧାନ ବିକି ପାରିଲେନି ଚାଷୀ । ପ୍ରତିବାଦରେ ଧାନ ବସ୍ତା ରଖି କଲେ ରାସ୍ତାରୋକ ।

76

କନକ ବ୍ୟୁରୋ : ସରକାରୀ ମଣ୍ଡି ବନ୍ଦ ହୋଇ ଯିବାରୁ ଧାନ ବିକ୍ରୟ କରି ପାରି ନ ଥିବା ଚାଷୀମାନେ ସୋମବାର ସକାଳୁ ଧର୍ମଗଡ଼ର ଚାରିଛକ ଠାରେ ଧାନବସ୍ତା ଥୋଇ ରାଜପଥ ଅବରୋଧ କରିଛନ୍ତି । ଆଖପାଖ ଅଞ୍ଚଳରୁ ୨୦୦ ସରିକି ଚାଷୀ ଧର୍ମଗଡ଼-ଭବାନୀପାଟଣା ରାସ୍ତାର ଚାରିଛକରେ ପ୍ରାୟ ୧୫ ହଜାର ଧାନବସ୍ତା ଜମା କରି ସକାଳ ପ୍ରାୟ ୭ଟାରୁ ଅନିର୍ଦ୍ଦିଷ୍ଟ ସମୟ ଯାଏଁ ଅବରୋଧ ଆରମ୍ଭ କରିଛନ୍ତି ।

ଜୁନ୍‌ ୩୦ ତାରିଖ ଠାରୁ ପ୍ରଶାସନ ଧାନମଣ୍ଡି ବନ୍ଦ କରି ଦେବାରୁ ଅନେକ ଚାଷୀ ସେମାନଙ୍କ ଧାନ ବିକ୍ରୟ କରି ପାରି ନ ଥିଲେ । ପୁଣି ଥରେ ଧାନମଣ୍ଡି ଖୋଲି ଧାନ କିଣିବାକୁ ଚାଷୀମାନେ ଦାବି କରୁଛନ୍ତି । ପୁଣି ଥରେ ମଣ୍ଡି ଖୋଲିବ ବୋଲି ଗତ ୩ ତାରିଖରେ ସ୍ଥାନୀୟ ପ୍ରଶାସନ ତରଫରୁ ପ୍ରତିଶ୍ରୁତି ଦିଆଯାଇଥିଲେ ସୁଦ୍ଧା ତାହା ଅଦ୍ୟାବଧି ପାଳନ କରାଯାଇ ନାହିଁ । ରାସ୍ତା ଅବରୋଧ ଯୋଗୁଁ ସିନାପାଲି ଛତିଶଗଡ଼ ମଧ୍ୟରେ ଯାନବାହନ ଚଳାଚଳ ବନ୍ଦ ରହିଛି । ରାଜନୈତିକ ଦଳ କଂଗ୍ରେସ ଓ ବିଜେପି ଚାଷୀମାନଙ୍କର ପ୍ରତିବାଦକୁ ସମର୍ଥନ ଜଣାଇଛି ।