ତୀବ୍ର ହେଉଛି ଚାଷୀ ଆନ୍ଦୋଳନ ! ପଶ୍ଚିମ ଓଡ଼ିଶାରେ ଟୋକନ୍ ବ୍ୟବସ୍ଥାକୁ ପ୍ରବଳ ବିରୋଧ । ମନ୍ତ୍ରୀଙ୍କ କୁଶପୁତ୍ତଳିକା ଜାଳିଲେ, ରାସ୍ତା ଅବରୋଧ କରିବାକୁ ଚେତାବନୀ ଦେଲେ

245

କନକ ବ୍ୟୁରୋ: ପଶ୍ଚିମ ଓଡ଼ିଶାରେ ତୀବ୍ର ହେଉଛି ଚାଷୀ ଆନ୍ଦୋଳନ । ଟୋକନ୍ ବ୍ୟବସ୍ଥାକୁ ବିରୋଧ କରି ଆଜି ବରଗଡ଼ ଜିଲ୍ଲା ଅତାବିରାରେ ୧୨ ଘଂଟିଆ ବନ୍ଦ ପାଳନ କରାଯାଇଛି । ଅତାବିରା ଚାଷୀ ସଂଗଠନ ପକ୍ଷରୁ ତହସିଲ୍ କାର୍ଯ୍ୟାଳୟ, ଏନଏସି କାର୍ଯ୍ୟାଳୟ , କୃଷି ସମବାୟ କାର୍ଯ୍ୟାଳୟ ସମେତ ବିଭିନ୍ନ ସରକାରୀ ଅଫିସରେ ତାଲା ପକାଇଛନ୍ତି ଚାଷୀ । ଚାଷୀଙ୍କ ଧାନ ବିକ୍ରିରେ ଟୋକନ ବ୍ୟବସ୍ଥା ସଂପୂର୍ଣ୍ଣ ବନ୍ଦ କରାନଗଲେ ଆଗକୁ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦେଇଛି ଚାଷୀ ସଂଗଠନ ।

ରାଜରାସ୍ତାରେ ଜଳୁଛି ଯୋଗାଣ ମନ୍ତ୍ରୀଙ୍କ କୁଶପୁତଳିକା । ସରକାରୀ କାର୍ଯ୍ୟାଳୟ ଏବଂ ଦୋକାନ ବଜାରରେ ଝୁଲୁଛି ତାଲା । ଏମିତି କି, କିଛି ସ୍ଥାନରେ ମୁହାଁମୁହିଁ ହୋଇଛନ୍ତି ଚାଷୀ ଏବଂ ପ୍ରଶାସନ । ବରଗଡ଼ ଜିଲ୍ଲା ଅତାବିରା ଚାଷୀଙ୍କ ଏହି ଅସନ୍ତୋଷର ଚିତ୍ର ହିଁ ବୟାନ କରୁଛି ପଶ୍ଚିମ ଓଡ଼ିଶାରେ ଚାଷୀ ଆନ୍ଦୋଳନ କେଉଁ ଭଳି ଭାବେ ବ୍ୟାପକ ରୁପ ନେବାରେ ଲାଗିଛି ।

ଧାନ କିଣାରେ ଟୋକନ ବ୍ୟବସ୍ଥାକୁ ବିରୋଧ କରି ଅତାବିରାରେ ଏକାଠି ହୋଇଥିଲେ ଜିଲ୍ଲାର ହଜାର ହଜାର ଚାଷୀ । ଅତାବିରା ଚାଷୀ ସଂଗଠନ ପକ୍ଷରୁ ତହସିଲ୍ କାର୍ଯ୍ୟାଳୟ, ଅତାବିରା ଏନଏସି କାର୍ଯ୍ୟାଳୟ, କୃଷି ସମବାୟ କାର୍ଯ୍ୟାଳୟ ସହ ବିଭିନ୍ନ ସରକାରୀ ଅଫିସରେ ତାଲା ପକାଇଦେଇଥିଲେ ।

ଏପଟେ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଚାଷୀଙ୍କୁ ଧାନ କିଣା ପ୍ରକ୍ରିୟାରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ହେଲେ ଚାଷୀ କିଛି ଶୁଣିବା ସପକ୍ଷରେ ନଥିବା କହିଛନ୍ତି ଅତିରିକ୍ତ ଯୋଗାଣ ଅଧିକାରୀ । ଆନ୍ଦୋଳନ ସରିବା ପରେ ସନ୍ଧ୍ୟାରେ କୃଷକ ସଂଗଠନ ପକ୍ଷରୁ ଏକ ବୈଠକ ବସିଥିଲା । ଯେଉଁଥିରେ ଆନ୍ଦୋଳନର ଆଭିମୁଖ୍ୟ ନେଇ ପରବର୍ତୀ ରଣନୀତି ସ୍ଥିର ହୋଇଛି । ସେହିପରି ଯୋଗାଣ ମନ୍ତ୍ରୀ ଦେଇଥିବା ବୟାନକୁ ଏହି ବୈଠକରେ ସମାଲୋଚନା କରାଯାଇଛି