ଟୋକନ ବ୍ୟବସ୍ଥାକୁ ଚାଷୀ ତାତିଲେ , ବିଧାୟକଙ୍କ ଘର ସାମ୍ନାରେ ଧାନ ଗଦା କଲେ । ସରକାରୀ ଅଫିସରେ ତାଲା ପକାଇଲେ, ମନ୍ତ୍ରୀଙ୍କ କୁଶ ପୁତଳିକା ଦାହ କଲେ ।

196

କନକ ବ୍ୟୁରୋ : ରାଜ୍ୟସ୍ତରୀୟ ଟୋକନ୍ ବ୍ୟବସ୍ଥାରେ ଧାନ ବିକ୍ରିକୁ ନେଇ ପଶ୍ଚିମ ଓଡ଼ିଶାରେ ଚାଷୀ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି । ଏହି ଟୋକନ ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ଦାବିରେ ଅଡି ବସିଛନ୍ତି ଚାଷୀ । ଆଉ ବିରୋଧ ପ୍ରଦର୍ଶନ କରିବାକୁ ଯାଇ ଆଜି ସମ୍ବଲପୁର ଜିଲ୍ଲାର ୪ଜଣ ବିଧାୟକଙ୍କ ଘର ସମ୍ମୁଖରେ ଚାଷୀ ମାନେ ଧାନ ରଖି ପ୍ରତିବାଦ କରିଛନ୍ତି । ସମ୍ବଲପୁର ବିଧାୟକ ଜୟନାରାଣ ମିଶ୍ର, ରେଙ୍ଗାଳି ବିଧାୟକ ନାଉରୀ ନାୟକ, ରେଢାଖୋଲ ବିଧାୟକ ରୋହିତ ପୂଜାରୀ ଏବଂ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକଙ୍କ ଘର ଆଗରେ ଚାଷୀମାନେ ଅଭିନବ ଢଙ୍ଗରେ କରିଛନ୍ତି ପ୍ରତିବାଦ ।

ଜିଲ୍ଲାପାଳ ଅଫିସ ଅବରୋଧ ପରେ ସମ୍ବଲପୁର ଜିଲ୍ଲାର ୪ ଜଣ ବିଧାୟକଙ୍କ ଘର ଆଗରେ ଧାନ ଗାଡ଼ି । ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କ ବାସଭାବନ, ରେଢାଖୋଲ ବିଧାୟକ ଇଂଜିନିୟର ରୋହିତ ପୂଜାରୀଙ୍କ ବାସଭବନ । ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ବାସଭବନ ଆଗରେ ଧାନ ଗଦା କରି ପ୍ରତିବାଦ କରିଛନ୍ତି ଚାଷୀ । ସେହିପରି କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକଙ୍କ ଘର ଚାଷୀମାନେ ଅବରୋଧ କରିଥିଲେ । ଟ୍ରାକ୍ଟର ଟ୍ରାକ୍ଟର ଧାନ ଆଣି ସମ୍ବଲପୁର ଜିଲ୍ଲାର ଜନପ୍ରତିନିଧିଙ୍କ ବାସଭବନ ସମ୍ମୁଖରେ ଅଭିନବ ପ୍ରତିବାଦ କରିବା ସହ ଜବାବ ତଲବ କରିଛନ୍ତି ଚାଷୀ ।

ପ୍ରଥମେ ପ୍ରଶାସନ, ଏବେ ଜନପ୍ରତିନିଧିଙ୍କୁ ନିଜର ଦାବି ଜଣାଇଛି ସମ୍ବଲପୁର ଜିଲ୍ଲାର ଚାଷୀ । ଯଦି ଚାଷୀଙ୍କ ଦାବି ସରକାର ନଶୁଣନ୍ତି ତେବେ ଜିଲ୍ଲାର ଚାଷୀ ସଂଗଠନ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଗତ ୧୫ ତାରିଖରୁ ସମ୍ବଲପୁର ଜିଲ୍ଲାରେ ଧାନ କିଣା ପାଇଁ ୯୪ଟି ମଣ୍ଡି ଖୋଲିଛି । ହେଲେ ଅନଲାଇନ ଟୋକନ ବ୍ୟବସ୍ଥା ପ୍ରତ୍ୟାହାର ନହେଲେ ଗୋଟିଏ ବସ୍ତା ବି ଧାନ ବିକିବୁ ନାହିଁ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

ସେପଟେ ଟୋକନ ବ୍ୟବସ୍ଥାକୁ ନେଇ ତାତି ଉଠିଛନ୍ତି ବରଗଡ଼ ଚାଷୀ । ଅତାବିରାରେ ଦୁଇ ଦିନ ହେଲା ସରକାରୀ କାର୍ଯ୍ୟାଳୟକୁ ତାଲା ପକାଇ ଅଫିସ କାର୍ଯ୍ୟକୁ ଠପ୍ କରି ଦେଇଛନ୍ତି ଚାଷୀ ସଂଗଠନ । ସରକାରୀ ଅଫିସଗୁଡ଼ିକରେ ପିକେଟିଂ କରି ବନ୍ଦ କରିବା ସହ ଯୋଗାଣ ମନ୍ତ୍ରୀଙ୍କ କୁଶ ପୁତଳିକା ଦାହ କରିଛନ୍ତି ଆନ୍ଦୋଳନକାରୀ । ସେହିପରି ବରଗଡ଼ରେ ଟୋକନ ବ୍ୟବସ୍ଥାକୁ ବିରୋଧ କରି ଜିଲ୍ଲା ଯୋଗାଣ କାର୍ଯ୍ୟାଳୟରେ ତାଲା ପକାଇଥିଲେ ଚାଷୀ । ଏଆରସିଏସ୍ ଅଫିସରେ ତାଲା ପକାଇବା ପରେ ଶେଭାଯାତ୍ରାରେ ଚାଷୀମାନେ ଆସି ପହଁଚିଥିଲେ ଜିଲ୍ଲାପାଳଙ୍କ ଅଫିସରେ । ଅଫିସରେ ତାଲା ପକାଇବା ସମୟରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଥିଲା ।
ଟୋକନ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଉଚ୍ଛେଦ କରି ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ପି-ପାସ ମାଧ୍ୟମରେ ଧାନ କ୍ରୟ କରିବାକୁ ଦାବି କରୁଛନ୍ତି ଚାଷୀ ସଂଗଠନ । ସରକାର ଯଦି ସେମାନଙ୍କ ଦାବି ପୂରଣ ନକରିବେ, ତେବେ ଆନ୍ଦୋଳନ ଆହୁରି ତୀବ୍ର ରୂପ ନେବ ବୋଲି ଚେତାବନୀ ଦିଆଯାଇଛି ।

ମଣ୍ଡିରେ ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ପଶ୍ଚିମ ଓଡ଼ିଶା ଚାଷୀ ତାତି ଉଠିଥିବା ବେଳେ ଏପଟେ କମ୍ପିଛି ବିଧାନସଭା । ବିଜେପିର ମୁଲତବୀ ପ୍ରସ୍ତାବ ଉପରେ ଆଜି ଗରମାଗରମ ଆଲୋଚନା ହୋଇଛି । ନୂଆ ଟୋକନ ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ପୂର୍ବରୁ ଯେଉଁଭଳି ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିକୁ କ୍ଷମତା ଦିଆଯାଉଥିଲା, ପୁନର୍ବାର ସେପରି କରାଯାଉ ବୋଲି ସେ ଦାବି କରିଥିଲେ । ଗୃହରେ ମନ୍ତ୍ରୀ ସ୍ପଷ୍ଟ ଉତର ରଖୁନାହାନ୍ତି ବୋଲି ଅଭିଯୋଗ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏକର ଜମିରୁ ୪୦ କ୍ୱିଂଟାଲ୍ ଧାନ ଉତ୍ପାଦିତ ହୋଇଥିବା ବେଳେ ସରକାର ୧୩ କ୍ୱିଂଟାଲ ଧାନ କିଣିବେ ବୋଲି କହୁଛନ୍ତି । ବଳକା ଧାନକୁ ଚାଷୀ କାହାକୁ ବିକିବେ ବୋଲି ପ୍ରଶ୍ନ କରିଥିଲେ ନରସିଂହ । ସେପଟେ ଯୋଗାଣ ମନ୍ତ୍ରୀ କହିଥିଲେ, ଧାନ ସଂଗ୍ରହ କାର୍ଯ୍ୟକୁ ସ୍ୱଚ୍ଛ ଓ ଶୃଙ୍ଖଳାର ସହ କରିବାକୁ ସରକାର ନୂଆ ଟୋକନ ବ୍ୟବସ୍ଥା କରିଛନ୍ତି ।