ଚାଷୀ ପାଇଁ କାଳ ହେଲା କାଳବୈଶାଖୀ ! ଫସଲ ଉଜାଡି ଦେଲା ଅଦିନିଆ ବର୍ଷା

35

କନକ ବ୍ୟୁରୋ: କଥାରେ ଅଛି ଚାଷ କାମ ଯାହାର କେଡେ ସୁଖ ତାହାର । ହେଲେ ଯେତେବେଳେ ଖାଦ୍ୟ ଯୋଗାଉଥିବା ଚାଷୀର ମେରୁଦଣ୍ଡ ଭାଙ୍ଗି ଦିଏ କାଳବୈଶାଖୀ ସେତେବେଳେ ଏଭଳି ସ୍ଥିତି ସାମ୍ନାକୁ ଆସେ । ଚାଷୀଙ୍କ ପାଇଁ କାଳ ସାଜିଛି କାଳବୈଶାଖୀ । ଅଦିନିଆ ଝଡିବର୍ଷାରେ ପ୍ରଭାବରେ ଗଛରେ ହିଁ ନଷ୍ଟ ହୋଇଯାଉଛି ପରିବା । କୁଆପଥର ମାଡରେ ଫାଟି ଯାଇଛି କଂଚା ଟମାଟୋ , ଦବି ଯାଇଛି ବାଇଗଣ । ଏଭଳି ସ୍ଥିତିରେ କରଜ ସୁଝିବା ନେଇ ଚିନ୍ତାପେ ପଡିଯାଇଛି କେନ୍ଦୁଝରର ଚାଷୀ ।

ଚାଷୀ ମେରୁଦଣ୍ଡ ଭାଙ୍ଗିଦେଇଛି କୁଆପଥର ବର୍ଷା । ଅପରାହ୍ନର ହେଉଥିବା କାଳବୈଶାଖୀ ଅନେକଙ୍କୁ ତାତିରୁ ଆସ୍ୱସ୍ତି ଦେଇଛି । ହେଲେ ଚାଷୀର ଫସଲ ଉଜାଡି ଦେଇଛି । କେନ୍ଦୁଝର ଜିଲ୍ଲାର ଚାଷୀ ହଜାର ହଜାର ଏକର ଜମିରେ ପନିପରିବାର ଚାଷ କରିଛନ୍ତି । ଖରାଦିନେ ୨ପଇସା ରୋଜଗାର ଆଶାରେ ଚାଷୀ ଟମାଟୋ ଓ ବାଇଗଣ ଚାଷ କରିଛନ୍ତି । ଅମଳ ସମୟରେ କୁଆପଥର ବର୍ଷା ମାଡରେ କଂଚା ଟମାଟୋ ଫାଟି ଯାଇଥିବା ବେଳେ ବାଇଗଣରେ କଳାଦାଗ ହୋଇଯାଉଛି ।

ଚାଷ ଜମିର ସ୍ଥିତି ଭାଙ୍ଗି ପଡିଥିବା ଚାଷୀ କରଜ ସୁଝିବା ନେଇ ଚିନ୍ତାରେ ପଡିଯାଇଛନ୍ତି । ଅନ୍ୟପଟେ ବର୍ଷା ଏବଂ କୁଆପଥର ମାଡରେ କେନ୍ଦୁଝର ଜିଲ୍ଲାରେ ବ୍ୟାପକ ଫସଲ ନଷ୍ଟ ହୋଇଥିବା ସ୍ୱୀକାର କରିଛନ୍ତି ଜିଲ୍ଲା କୃଷି ଉପନିର୍ଦେଶକ । କ୍ଷୟକ୍ଷତି ଆକଳନ କରାଯାଇ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ଦେବାକୁ ପ୍ରତିଶୃତି ଦେଇଛନ୍ତି ।