ଚାଷୀଙ୍କ ପେଟକୁ ଲାତ ମାରିଲା ଲକଡାଉନ । ବଜାରରେ କମିଲା ପନିପରିବା ବିକ୍ରି, ଅମଳ କରୁନାହାନ୍ତି ଚାଷୀ ।

175

କନକ ବ୍ୟୁରୋ: ପରିବା ଚାଷୀଙ୍କ ଉପରେ କରୋନା ମାଡ଼ । ଲକଡ଼ାଉନ୍ ଛଡ଼ାଇନେଲା ବ୍ୟବସାୟ । କରୋନା ଲକଡାଉନ୍ ପରିବା ଚାଷୀଙ୍କ ପେଟକୁ ଲାତ ମାରିଛି । ତାଲାବନ୍ଦ ଯୋଗୁଁ ପରିବା ବିକ୍ରି ହୋଇପାରୁ ନାହିଁ । ପରିବା କିଣିବାକୁ ବେପାରୀମାନେ ମଧ୍ୟ ଆସୁ ନାହାନ୍ତି । ଫଳରେ ନପାରି ଗଛରେ ସଢିଯାଉଛି ତାଜା ପନିପରିବା । ଚାଷୀଙ୍କ ଏପରି ଦୟନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଦେଓଗାଁ ବ୍ଲକ ଉପରଝର ପଂଚାୟତ କୁହିମୁଣ୍ଡା ଗାଁରେ । ପରିବା ବିକ୍ରି ହୋଇପାରୁନଥିବାରୁ ଭେଣ୍ଡି, ଝୁଡୁଙ୍ଗ, କଖାରୁ, ଲଙ୍କା ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ପଡିଛନ୍ତି  ।

କୁହିମୁଣ୍ଡା ଗାଁର ଅଧାରୁ ଅଧିକ ଲୋକ ଚାଷ କରି ପରିବାର ଚଳାନ୍ତି । ଚଳିତ ମାସରେ କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ସରକାର ତାଲାବନ୍ଦ ଘୋଷଣା କରିଛନ୍ତି । ଏଥିପାଇଁ ଚାଷୀଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ବଜାରରେ ପରିବା ବିକ୍ରି ହୋଇନପାରି ଗଛରେ ନଷ୍ଟ ହେଉଛି । କରୋନା ସଂକ୍ରମଣ ଭୟରେ ଥିବା ଚାଷୀଙ୍କୁ ଏବେ ଲକଡାଉନ୍ ପେଟପାଟଣା ଛଡେଇ ନେଇଛି । ବହୁ ପରିଶ୍ରମ କରି ଫଳାଇଥିବା ପରିବା ଏବେ ବିକ୍ରି ହୋଇନପାରି କ୍ଷେତରେ ସଢିଯାଉଛି ।