ଚାଷୀଙ୍କ ସାମ୍ନାରେ ଲକଡାଉନ୍ ଲକ୍ଷ୍ମଣରେଖା! ବିକ୍ରୀ ଅଭାବରୁ କେଉଁଠି କାନ୍ଦୁଛି କଦଳୀ ଚାଷୀ ତ କେଉଁଠି ବିଲରେ ଗାଇଗୋରୁ ଖାଉଛନ୍ତି କ୍ୱିଣ୍ଟାଲ କ୍ୱିଣ୍ଟାଲ କୋବି ।

236

କନକ ବ୍ୟୁରୋ: ବିଲରେ ସଢୁଛି ତଟକା ପନିପରିବା । କେଉଁଠି କଦଳୀ ଚାଷୀଙ୍କ ପାଇଁ କାଳ ସାଜିଛି କରୋନା । ତ କେଉଁଠି ଲକଡାଉନ ପାଇଁ ବିଲରେ ଗାଇଗୋରୁ ଖାଉଛନ୍ତି ଫୁଲ କୋବି । ବିକ୍ରି ଅଭାବ ଯୋଗୁ ଗାଇଗୋରୁ ଖାଉଛନ୍ତି ଚାଷୀଙ୍କ କଷ୍ଟ ଉପାର୍ଜିତ ଫସଲ । କଦଳୀ ଚାଷ ଉପରେ କରୋନା ମାଡ । ତାଲାବନ୍ଦ ଯୋଗୁଁ ଖୋଲୁନି ବଜାର, ଆସୁ ନାହାଁନ୍ତି ବ୍ୟବସାୟୀ । ଯାହାକୁ ନେଇ ଚିନ୍ତାରେ ପଡିଯାଇଛି କନ୍ଧମାଳ ବାଲିଗୁଡାର ଚାଷୀ ।

ଚାଷୀଙ୍କୁ ଲାଭ ମିଳିବା ତ ଦୂରକଥା ମୂଳ ବି ମିଳୁନି । ତାଲାବନ୍ଦରେ ବନ୍ଦ ହୋଇଯାଇଛି ଚାଷୀଙ୍କ ଭାଗ୍ୟ । ଲକଡାଉନର ପ୍ରଭାବ ବାଲିଗୁଡାର କଦଳୀ ଚାଷୀଙ୍କ ଉପରେ ବି ପଡିଛି । ଅମଳ କଦଳୀ ବିକ୍ରି ହୋଇ ନପାରି ଗଛରେ ଝୁଲି ରହିଛି ତ ଆଉ କେଉଁଠି ଶୁଖି ଗଲାଣି କଦଳୀ । ତେବେ ସରକାର ଚାଷୀ ସାମଗ୍ରୀ ପରିବହନ ଉପରୁ କଟକଣା ହଟାଇବା ପରେ ବି କରୋନା ଭୟ ପାଇଁ ଚାଷୀଙ୍କୁ ଲାଭ ମିଳୁନି ।

ବାଲିଗୁଡା ତୁମୁଡିବନ୍ଧ ବ୍ଲକର ଲାବଣ୍ୟନଗରରେ ଚାଷ ହେଉଥିବା କଦଳୀ ଭବାନୀପାଟଣା, ବାଲିଗୁଡା ଓ ରାମପୁରକୁ ମଧ୍ୟ ଯାଇଥାଏ । ଯାହା ଦ୍ୱାରା ବେଶ ଦୁଇ ପଇସା ରୋଜଗାର କରେ ଚାଷୀ । ଏବେ କିନ୍ତୁ ତାଲାବନ୍ଦ ଯୋଗୁଁ ବ୍ୟବସାୟୀ ଆସୁନଥିବା ବେଳେ କଷ୍ଟ ଉପାର୍ଜିତ କଦଳୀକୁ ବଜାର ଯାଏଁ ନେଇପାରୁନି ଚାଷୀ । ଫଳରେ ଏହା ବିକ୍ରି ହୋଇ ନପାରିବାରୁ ଧାର କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ପଡିଯାଇଛି ।

ସେପଟେ ମାଲକାନଗିରିରୁ ମଧ୍ୟ ଆସିଛି ଚାଷୀର ହୃଦୟ ବିଦାରକ ଦୃଶ୍ୟ । ତାଲାବନ୍ଦ ଯୋଗୁଁ ସହର ବାହାରକୁ ଯାଇ ପାରୁନି ପନିପରିବା । ବିକ୍ରି ଅଭାବ ଯୋଗୁ ଗାଈ ଗୋରୁ ଖାଉଛନ୍ତି ଚାଷିଙ୍କ କଷ୍ଟ ଉପାର୍ଜିତ ଫସଲ । ବିଲରେ ସଢୁଛି ଫୁଲ କୋବି । ବିକ୍ରୀ ଅଭାବ ଯୋଗୁ ଗାଈ ଗୋରୁ ଖାଉଛି ଚାଷୀଙ୍କ କଷ୍ଟ ଉପାର୍ଜିତ ଫସଲ । ମାଲକାନଗିରି ଏମଭି-୪୩ ଗାଁରୁ ଆସିଛି ଏପରି ଅଭାବନୀୟ ଚିତ୍ର ।

ତାଲାବନ୍ଦ ଯୋଗୁଁ ସହର ବାହାରକୁ ଯାଇ ପାରୁନି ପନିପରିବା । ଗ୍ରାମାଂଚଳର ଆର୍ଥିକ ଜୀବନରେଖା କୁହାଯାଉଥିବା ସାପ୍ତାହିକ ହାଟ ମଧ୍ୟ ବନ୍ଦ । ସହର କିମ୍ବା ଜିଲ୍ଲା ବାହାରକୁ ରପ୍ତାନୀ ହୋଇପାରୁନି ମାଲକାନଗିରିର କୋବି ।

ପୂର୍ବରୁ ଚାଷୀମାନେ ଏମଭି-୭୯, କାଲିମେଳା, ପଟେରୁ, କୋରକୁଣ୍ଡା ଓ ମାଲକାନଗିରି ହଙ୍କଳର ଯାଇ ପନିପରିବା ବିକ୍ରି କରୁଥିଲେ । ଏବେ କିନ୍ତୁ କଟକଣା ଯୋଗୁଁ କେବଳ ମାଲକାନଗିରି ହାଟରେ ବିକ୍ରି ହେଉଛି । ପ୍ରତିଦିନ ଏକରୁ ଦୁଇ କ୍ୱିଂଟାଲ କୋବି ବିକ୍ରୀ ହେବା ବଦଳରେ ମାଲକାନଗିରି ସଦର ମହକୁମାରେ ବିକ୍ରି ହେଉଛି କେବଳ ୨୦ କେଜି କୋବି । ମାଲକାନଗିରି ଜିଲ୍ଲାର ଫୁଲକୋବି, ପୋଟଳ, ବିଲାତି ଆଦି ପନିପରିବା ପଡୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡରେ ମଧ୍ୟ ବେଶ ଚାହିଦା ରହିଛି । ତେବେ କଟକଣା ଯୋଗୁଁ ପଡୋଶୀ ରାଜ୍ୟକୁ ଯାଇପାରୁନି ଚାଷୀ ।