ଧାନ ବିକିବାକୁ କୁଚିଣ୍ଡା ମଣ୍ଡିରେ ରାତି ଅନିଦ୍ରା କୃଷକ । ପ୍ରଶାସନନର ଉଦାସିନତା ଯୋଗୁଁ ମଣ୍ଡିରୁ ଉଠୁନି ଧାନ । ଖୋଲା ଆକାଶ ତଳେ ପଡି ରହିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ 

110

କନକ ବ୍ୟୁରୋ : ଟୋକନ ପାଇଲେ ଆଉ ମଣ୍ଡିକୁ ଧାନ ବି ଆଣିଲେ । ହେଲେ ଧାନ ବିକ୍ରି  ହୋଇନପାରି  ବିଭିନ୍ନ ମଣ୍ଡିରେ ପଡିରହିଥିବା ବେଳେ ଏବେ ବିଭିନ୍ନ ସମସ୍ୟା ଓ ଚିନ୍ତାରେ ଜୁଝି ହେଉଛନ୍ତି କୁଚିଣ୍ଡା ଉପଖଣ୍ଡର ଶହ ଶହ ଚାଷୀ । ଧାନ ନେବାକୁ ଆସୁନାହାଁନ୍ତି ମିଲର । ପ୍ରଥମରୁ କଟନି ଛଟନି ବିବାଦ ଲାଗିରହିଥିବା ବେଳେ ଏବେ ମିଲରଙ୍କ ମନମାନି ଓ ପ୍ରଶାସନର ଉଦାସିନତା ଯୋଗୁଁ ଉପଖଣ୍ଡର ବିଭିନ୍ନ ମଣ୍ଡିରେ ପ୍ରାୟ ତିନି ଲକ୍ଷରୁ ଉର୍ଦ୍ଧ ଧାନ ବସ୍ତା ପଡିରହିଛି । ଶୀତ କାକରରେ ଧାନ ଜଗି ବସିଛନ୍ତି ଚାଷୀ ।

ପ୍ରଶାସନନର ଉଦାସିନତା ଯୋଗୁଁ ମଣ୍ଡିରୁ ଉଠୁନି ଧାନ । ଫଳରେ ଟୋକନ ପାଇ ମଣ୍ଡିକୁ ଧାନ ଆଣିଥିବା ଚାଷୀ ଏମିତି ଶୀତ କାକରରେ ରାତି ଉଜାଗର ରହି ଜଗି ରହୁଛନ୍ତି  । ରାତିରେ ପଡୁଥିବା ଥଣ୍ଡାରୁ ରକ୍ଷା ପାଇବା ପାଇଁ ଚାଷୀମାନେ କାଠ ଜାଳି ନିଆଁ ପୁଉଁଛନ୍ତି । ଏହା ହେଉଛି କୁଚିଣ୍ଡା ଉପଖଣ୍ଡର ଡିମିରିମୁଣ୍ଡା ମଣ୍ଡିର ଦୃଶ୍ୟ । ତେବେ ଏହି ସମସ୍ୟା କୌଣସି ଗୋଟିଏ ମଣ୍ଡିର ନୁହେଁ । କୁଚିଣ୍ଡା ଉପଖଣ୍ଡ ଅଂଚଳରେ ଥିବା ଏକାଧିକ ମଣ୍ଡିରେ ସମାନ ଅବସ୍ଥା ।

କେଉଁଠି କଟନି ଛଟନି ତ ଆଉ କେଉଁଠି ମିଲରଙ୍କ ମନମାନି  । ଏ ସବୁ ଭିତରେ ପୁରାପୁରି ଘାଂଟି ହୋଇପଡିଛନ୍ତି ଚାଷୀ । ଧାନ ବିକିବେ କଣ , ସମସ୍ୟା ପରେ ସମସ୍ୟା ତାଙ୍କୁ ଚିନ୍ତାରେ ପକାଇଛି । ପ୍ରାୟତଃ ଅନେକ ମଣ୍ଡିରେ ମିଲର ଆସୁ ନଥିବା ଏବଂ ଗାଡି ପଠାଉ ନଥିବା ଯୋଗୁଁ ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ପଡିରହିଛି ।