୨୫ ଦିନରେ ପହଂଚିଲା କୃଷକ ଆନ୍ଦୋଳନ । ଦିଲ୍ଲୀ ସୀମାରେ ଆଜି କୃଷକ ପାଳିବେ ସହିଦ ଦିବସ । ଆନ୍ଦୋଳନରେ ପ୍ରାଣ ହରାଇଥିବା କୃଷକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ।

139

କନକ ବ୍ୟୁରୋ: ଦିଲ୍ଲୀ ସୀମାରୁ ହରିଆଣା, ଉତ୍ତର ପ୍ରଦେଶ, ରାଜସ୍ଥାନ ଆଦି ରାଜ୍ୟରେ ଚାଲିଥିବା କୃଷକ ଆନ୍ଦୋଳନ ୨୫ ଦିନରେ ପହଂଚିଛି । ଉଭୟ କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ନିଷ୍ପତ୍ତି ହୋଇପାରୁ ନଥିବାରୁ ଏହି ଆନ୍ଦୋଳନ ଆହୁରି କେତେଦିନ ଚାଲିବ ତାହା କହିବା ମୁସ୍କିଲ । ହେଲେ ବର୍ତ୍ତମାନ ଏହାକୁ ନେଇ କିଛି ଆଲୋଚନା ହୋଇପାରୁ ନଥିବା ବେଳେ କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନ ପୂର୍ବ ଦିନ ଭଳି ଚାଲୁ ରହିଛି ।

ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ରବିବାର ଦିନ ଅଚାନକ ଦିଲ୍ଲୀ ଗରୁଦ୍ୱାର ରକାବଗଞ୍ଜ ସାହିବା ଠାରେ ପହଂଚି ଧ୍ୟାନ କରିଛନ୍ତି । ସେପଟେ କୃଷି ଆନ୍ଦୋଳନକୁ ଆସି ପ୍ରାଣ ହରାଇଥିବା କୃଷକ ମାନଙ୍କ ଉଦ୍ଦେଶ୍ୟରେ ଆଜି କୃଷକ ମାନେ ସହୀଦ ଦିବସ ପାଳନ କରିବେ ବୋଲି ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସହୀଦ କୃଷକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଭାରତୀୟ କିଷାନ ୟୁନିୟନର ମୁଖ୍ୟ ମାଙ୍ଗେରାମ ତ୍ୟାଗୀ ସୂଚନା ଦେଇଛନ୍ତି ।

ପଞ୍ଜାବରୁ ଆସି କୃଷି ଆନ୍ଦୋଳନକୁ ସହଯୋଗ କରୁଥିବା ସ୍ୱେଚ୍ଛାସେବୀ ମାନେ ସିଂଘୁ ସୀମାରେ ଏକ ପଗଡୀ ଲଙ୍ଗର ଆରମ୍ଭ କରିଛନ୍ତି । ଏଠାରେ କୃଷକ ମାନଙ୍କୁ ମାଗଣାରେ ପଗଡି ପିନ୍ଧା ଯାଉଥିବା ଦେଖିବାକୁ ମିଳିଛି । ଏହା ସହ ପଞ୍ଜାବରୁ ଆସିଥିବା ଟାଟୁ ଶିଳ୍ପୀ ମାନେ ବି କୃଷକ ମାନଙ୍କ ଶରୀରରେ ମାଗଣାରେ ଟାଟୁ କରୁଛନ୍ତି । ଟାଟୁ କରୁଥିବା ରବିନ୍ଦ୍ର ସିଂହ ନାମକ ଜଣେ ଟାଟୁ ଶିଳ୍ପୀ କହିଛନ୍ତି କି ସେ ଲୁଧିଆନାରୁ ଆସି ଏଠାରେ କୃଷକ ମାନଙ୍କ ହାତରେ ମାଗଣାରେ ଟାଟୁ କରୁଛନ୍ତି । ଯାହାଦ୍ୱାରା ସେ କୃଷକ ଆନ୍ଦୋଳନକୁ ସମର୍ଥନ କରନ୍ତି ବୋଲି ଗର୍ବ ଅନୁଭବ କରୁଥିବା କହିଛନ୍ତି ।

କେବଳ ଏତିକି ନୁହେଁ ପଞ୍ଜାବର ବିଭିନ୍ନ ମେଡିକାଲରୁ ଷ୍ଟାଫ୍ ମାନେ କୃଷକ ମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଦିଲ୍ଲୀ ସୀମାରେ ପହଂଚିଥିବା ଦେଖିବାକୁ ମିିଳିଛି । ସେମାନେ କହିଛନ୍ତି କି ସେମାନେ କୃଷକ ଆନ୍ଦୋଳନକୁ ସମର୍ଥନ କରନ୍ତି ଓ ଏଠାରେ ଆନ୍ଦୋଳନରତ କୃଷକ ମାନଙ୍କର ସ୍ୱାସ୍ଥ୍ୟ ସେବା କରିବାକୁ ସେମାନେ ଏଠାରେ ପହଂଚିଛନ୍ତି ।

କହିରଖୁ କି ୨୫ ଦିନ ଧରି ଚାଲିଥିବା କୃଷକ ଆନ୍ଦୋଳନରେ ୨୫ ରୁ ଅଧିକ କୃଷକ ପ୍ରାଣ ହରାଇ ସାରିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ କୃଷକ ଅତ୍ୟାଧିକ ଥଣ୍ଡା ସହ୍ୟ ନକରିପାରି ପ୍ରାଣ ହରାଇଥିବା ବେଳେ ଅନ୍ୟ କିଛି ବିଭିନ୍ନ ରୋଗରେ ପ୍ରାଣ ହରାଇଛନ୍ତି । ହେଲେ ୨୫ ଜଣଙ୍କ ଜୀବନ ଜିବା ପରେ ବି ସରକାର ତାଙ୍କ ଜିଦ୍ ରେ ଅଟଳ ଥିବା ବେଳେ ଚାଷୀପୁଅ ବି ତାଙ୍କ ଜିଦରେ ଅଟଳ ରହିଛନ୍ତି । ଏହାରି ମଧ୍ୟରେ ହରିଆଣାର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଗତକାଲି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟ କରିଥିଲେ । ଏହା ପରେ ସେ ଗଣମାଧ୍ୟମକୁ ସୂଚନା ଦେଇଥିଲେ କି ଆଶା କରାଯାଉଛି ୨/୩ ଦିନ ମଧ୍ୟରେ ଏନେଇ କିଛି ସ୍ପଷ୍ଟ ଚିତ୍ର ଆସିପାରେ !