ଏବେ ବିଦେଶରେ ବି କୃଷି ଆନ୍ଦୋଳନକୁ ବିପୁଳ ସମର୍ଥନ । ଭାରତ ସରକାରଙ୍କ ସହ ଆଲୋଚନା କରିବାକୁ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓଙ୍କ ନିକଟରେ ଦାବିକଲେ ୭ ଆମେରିକୀୟ ସାଂସଦ ।

136

କନକ ବ୍ୟୁରୋ : ଭାରତରେ ଚାଲିଥିବା କୃଷକ ଆନ୍ଦୋଳନ ଏବେ ବିଦେଶରେ ବି ଚର୍ଚ୍ଚାର ବିଷୟ ପାଲଟିଛି । କୃଷକ ଆନ୍ଦୋଳନ ସଂପର୍କରେ ନିଜ ପ୍ରତିପକ୍ଷଙ୍କ ସହ ଆଲୋଚନା କରିବାକୁ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓଙ୍କ ନିକଟରେ ଦାବି ଜଣାଇଛନ୍ତି ୭ ଜଣ ଆମେରିକୀୟ ସାଂସଦ । ସେମାନଙ୍କ ମଧ୍ୟରେ ରହିଛନ୍ତି ଭାରତୀୟ ବଂଶୋଦ୍ଭବ ପ୍ରମିଳା ଜୟପାଲ । ସେମାନେ ପମ୍ଫିଓଙ୍କୁ ଚିଠି ଲେଖି ଭାରତୀୟ ବିଦେଶ ମନ୍ତ୍ରୀଙ୍କ ସହ ଭାରତରେ ଚାଲିଥିବା କୃଷକ ଆନ୍ଦୋଳନ ବିଷୟରେ ଆଲୋଚନା କରିବାକୁ ଦାବି କରିଛନ୍ତି ।

କେବଳ ଆମେରିକା ନୁହେଁ, ଏହା ପୂର୍ବରୁ କାନାଡା ପ୍ରଧାନମନ୍ତ୍ରୀଙ୍କ ସମେତ ବ୍ରିଟେନ୍ ଓ ଅନ୍ୟ କିଛି ଦେଶର ନେତା ମାନେ ଭାରତରେ ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ଏନେଇ ସେମାନେ ଦେଇଥିବା ବିିଭିନ୍ନ ମନ୍ତ୍ରବ୍ୟକୁ ଭାରତ ସରକାର କଡା ସମାଲୋଚନା ବି କରିଥିଲେ । ବିଦେଶୀ ନେତା ମାନଙ୍କ ମନ୍ତବ୍ୟକୁ ଭାରତ ସରକାର ଅନୁଚିତ୍ ବୋଲି ଦର୍ଶାଇଥିଲେ । ଭାରତ ସରକାର କହିଥିଲେ କି ଦେଶର ଆଭ୍ୟନ୍ତରୀଣ ମାମଲାରେ ବାହ୍ୟ ଦେଶ ମାନଙ୍କ ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ ।

ହେଲେ ଏବେ ଭାରତର ମିତ୍ର କୁହାଯାଉଥିବା ଆମେରିକାର ସାଂସଦ ମାନେ ଏହାକୁ ନେଇ ଆଲୋଚନା କରିବାକୁ ଭାରତ ସରକାର କିଭଳି ଗ୍ରହଣ କରିବେ ତାହା ସମୟ କହିବ । ହେଲେ ଆମେରିକାର ବିଶେଷ ଭାବେ ସିଖ୍ ଆମେରିକୀୟଙ୍କ ସହିତ ଜଡିତ ନେତା ମାନେ ଏନେଇ ପମ୍ପିଓଙ୍କୁ ଚିଠି ଲେଖିଛନ୍ତି । ଯେଉଁମାନଙ୍କର କି ପଞ୍ଜାବ ସହିତ ସଂପର୍କ ରହିଛି । କୃଷକ ଆନ୍ଦୋଳନ ଯୋଗୁ ଅନେକ ଭାରତୀୟ-ଆମେରିକୀୟ ମାନଙ୍କ ଉପରେ ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି । କାରଣ ପଞ୍ଜାବରେ ରହୁଥିବା ସେମାନଙ୍କ ପରିବାର ଏବେ ଆନ୍ଦୋଳନ ସହିତ ଜଡିତ ଅଛନ୍ତି । ଏଥିଲାଗି ସେମାନେ ଭାରତରେ ରହୁଥିବା ନିଜ ପରିବାରକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ।