ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆଜି ଚାଷୀଙ୍କ ଉପବାସ ପ୍ରତିବାଦ; ଦିଲ୍ଲୀ ସୀମାରେ ଛକି ରହିଛନ୍ତି ଚାଷୀ, ଦେଶବ୍ୟାପୀ ବିକ୍ଷୋଭ ପାଇଁ ଡାକରା

ସେପଟେ ଅମିତ ଶାହାଙ୍କୁ ଭେଟିଲେ କୃଷିମନ୍ତ୍ରୀ

75

କନକ ବ୍ୟୁରୋ: ଦିଲ୍ଲୀରେ ତେଜୁଛି ଚାଷୀ ଆନ୍ଦୋଳନ । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆଜି ଚାଷୀଙ୍କ ଅନଶନର ଡାକରା ଦେଇଛନ୍ତି । ଆଜି ଦିଲ୍ଲୀରେ ଚାଷୀମାନେ ଉପବାସ ପ୍ରତିବାଦ କରିବେ । ଦିନ ସାରା ନଖାଇ କୃଷି ଆଇନ ବିରୋଧରେ ଆନ୍ଦୋଳନ କରିବେ । ନୂଆ କୃଷି ଆଇନ ପ୍ରତ୍ୟାହାର ପାଇଁ ମୋଦୀ ସରକାରଙ୍କ ଉପରେ ଚାଷ ପକାଇବାକୁ ଆଜି ଦେଶବ୍ୟାପୀ ଜିଲ୍ଲାସ୍ତରୀୟ ପ୍ରତିବାଦ ଡାକରା ଦେଇଛନ୍ତି ଚାଷୀ ସଂଗଠନ । କେବଳ ସେତିକି ନୁହେଁ, ଦିନିକିଆ ଉପବାସ ରହିବାକୁ ମଧ୍ୟ ଆହ୍ୱାନ ଦିଆଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଚାଷୀଙ୍କ ଦାବି ପ୍ରତି ସମର୍ଥନ ଜଣାଇ ଉପବାସ ରହିବେ ବୋଲି କହିଛନ୍ତି । ଦିନକୁ ଦିନ ଆନ୍ଦୋଳନ ଅଧିକ ତେଜୁଥିବାରୁ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଯାଇଛି । ଏହାରି ଭିତରେ ଗତକାଲି ଅମିତ ଶାହାଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ସୋମ ପ୍ରକାଶ ।

ଗତକାଲି ଦିଲ୍ଲୀ-ଜୟପୁର ରାଜପଥକୁ ପ୍ରାୟ ତିନି ଘଂଟା ଧରି ଅବରୋଧ କରିଥିଲେ ଚାଷୀ । ରାଜସ୍ଥାନରୁ ଟ୍ରାକ୍ଟର ରାଲି କରି ଆନ୍ଦୋଳନ ସ୍ଥଳ ଅଭିମୁଖେ ଆସିଥିଲେ ହଜାରେ ପାଖାପାଖି ଚାଷୀ । ଦିଲ୍ଲୀ ପହଁଚିବା ପୂର୍ବରୁ ସେମାନଙ୍କୁ ହରିଆଣା ସୀମାରେ ଅଟକାଇଛି ପୋଲିସ । ସେପଟେ ଚାଷୀଙ୍କ ଧାରଣା ଯୋଗୁଁ ଡିସେମ୍ବର ପହିଲାରୁ ବନ୍ଦ ପଡିଥିବା ନୋଇଡ଼ା – ଦିଲ୍ଲୀ ରାସ୍ତାରେ ଟ୍ରାଫିକ ସ୍ୱାଭାବିକ ହୋଇଛି । କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଆଲୋଚନା ପରେ ଏହି ରାସ୍ତାକୁ ଖାଲି କରିଛନ୍ତି ଆନ୍ଦୋଳନକାରୀ । ନା ପଛକୁ ଘୁଂଚୁଛନ୍ତି ମୋଦୀ ସରକାର, ନା ଦାବିରୁ ଓହରୁଛନ୍ତି ଚାଷୀ ସଂଗଠନ ।

୫ ପର୍ଯ୍ୟାୟ କୃଷିମନ୍ତ୍ରୀଙ୍କ ସହ ଆଲୋଚନା ଫେଲ ମାରିଥିବା ବେଳେ ଗୃହମନ୍ତ୍ରୀ ଅମିିତ ଶାହା ବି ଚାଷୀଙ୍କୁ ବୁଝାଇବାରେ ବିଫଳ ହୋଇଛନ୍ତି । ଏମଏସପି ହଟିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ଲିଖିତ ପ୍ରତିଶ୍ରୁତି ବି ପ୍ରଭାବ ପକାଇ ପାରିନାହିଁ ଚାଷୀ ଆନ୍ଦୋଳନ ଉପରେ । ସେମାନଙ୍କ ଗୋଟିଏ ଜିଦ୍, ନୂଆ କୃଷି ଆଇନକୁ ପ୍ରତ୍ୟାହାର କର । ଦିଲ୍ଲୀ ସିଂଘୁ ସୀମାରେ ହଜାର ହଜାର ଚାଷୀ ଡେରା ପକାଇ ରହିଥିବା ବେଳେ ପ୍ରତିଦିନ ସେମାନଙ୍କ ସହ ଯୋଡି ହେଉଛନ୍ତି ଅନ୍ୟର ବିଭିନ୍ନ ଅଂଚଳରୁ ଆସୁଥିବା ଚାଷୀ । ସୋମବାର ଦିନ ଉପବାସ ରହି କୃଷି ଆଇନର ପ୍ରତିବାଦ କରିବେ ଚାଷୀ ।

ଏପଟେ, ଦିଲ୍ଲୀରେ ଚାଲିଥିବା କୃଷି ଆନ୍ଦୋଳନକୁ ନେଇ ଓଡିଶାରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । କଂଗ୍ରେସ କହିଛି ଚାଷୀଙ୍କୁ ବିଜେପି-ବିଜେଡି ମିଛ ଆଶ୍ୱାସନା ଦେଉଛନ୍ତି । ବିଜେଡି କହିଛି, ଚାଷୀଙ୍କ ସପକ୍ଷରେ ବିଜେଡି ସବୁବେଳେ ରହିଛି । ବିଜେପି କହିଛି, ବିରୋଧୀ କୃଷି ଆଇନ ନେଇ ଲୋକଙ୍କୁ ଭ୍ରମିତ କରୁଛନ୍ତି ।