ଚାଷୀ ନେତାଙ୍କୁ ଭେଟିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ବିଧାନସଭା ପରିସରରେ ବସିବ ବୈଠକ । ସାମିଲ ହେବେ ଚାଷୀ ନେତା । ବିଧାନସଭାରେ ହେବ ମଧ୍ୟାହ୍ନ ଭୋଜନ ।

108

କନକ ବ୍ୟୁରୋ : ଦୀର୍ଘ ୮୭ ଦିନ ହେବ ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ଏବେ ନୂଆ ରୂପ ନେବାକୁ ଯାଉଛି । ଏହି ଆନ୍ଦୋଳନକୁ ଆରମ୍ଭରୁ ସମର୍ଥନ କରୁଥିବା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆସନ୍ତା କାଲି (ରବିବାର) ଚାଷୀ ନେତାମାନଙ୍କ ସହିତ ବୈଠକ କରିବେ ବୋଲି ସୂଚନା ମିଳିଛି ।

ମିଳିଥିବା ସୂଚନା ମୁତାବକ ଆସନ୍ତାକାଲି ଏନେଇ ଚାଷୀ ନେତା ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ବିଧାନସଭା ପରିସରରେ ଏକ ବୈଠକ କରିବେ । ଏହି ବୈଠକରେ  ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ସମେତ ଦଳର ଅନ୍ୟକିଛି ବରିଷ୍ଠ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବୈଠକରେ କୃଷି ବିଲ୍ ସଂପର୍କରେ ଆଲୋଚନା ହେବା ସହ ଆନ୍ଦୋଳନର ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି । ବୈଠକରେ ଯୋଗ ଦେବାକୁ ଥିବା ବଡ ବଡ ଚାଷୀ ନେତା ମାନେ ବିଧାନସଭା ପରିସରରେ ମଧ୍ୟାହ୍ନ ଭୋଜନ କରିବେ ବୋଲି କୁହାଯାଇଛି । କହି ରଖୁ କି କୃଷକ ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ରସରକାରଙ୍କ ସହ ଚାଷୀ ନେତା ମାନଙ୍କର ଯେତେଥର ବୈଠକ ହୋଇଛି , ସବୁ ବୈଠକରେ ଚାଷୀ ନେତା ମାନେ କେନ୍ଦ୍ରସରକାରଙ୍କ ଦ୍ୱାରା ଦିଆଯାଇଥିବା ଖାଦ୍ୟକୁ ଗ୍ରହଣ କରି ନାହାନ୍ତି । ହେଲେ କାଲି ଏକ ରାଜନୈତିକ ଦଳ ସହ ବୈଠକ ଅବସରରେ ପ୍ରଥମ ଥର ପାଇଁ ଚାଷୀ ନେତା ମାନେ କୌଣସି ସରକାର ଠାରୁ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଆନ୍ଦୋଳନର ରଣନୀତି ବଦଳିବ ବୋଲି ଅନୁମାନ କରାଯାଉଛି ।

ସୂଚନା ଥାଉକି ସେପ୍ଟେମ୍ବର ମାସରେ କେନ୍ଦ୍ରସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ବିରୋଧ କରି ୮୭ ଦିନ ହେବ କୃଷକ ମାନେ ଦେଶର ବିଭିନ୍ନ ସୀମାରେ ଆନ୍ଦୋଳନ ଜାରୀ ରଖିଛନ୍ତି । ଏହି କ୍ରମରେ କୃଷକ ମାନେ ଏପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳର ନେତା ମାନଙ୍କୁ ମଞ୍ଚକୁ ଚଢିବାର ସୁଯୋଗ ଦେଇ ନାହାନ୍ତି । ହେଲେ ଏବେ କୃଷକ ସଂଗଠନ ମାନଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ମହାପଂଚାୟତ ଆୟୋଜନ କରାଯାଉଛି । ଏହାକୁ ନଜରରେ ରଖି କଂଗ୍ରେସ , ଆରଏଲଡି ଭଳି ଦଳ ମାନେ ଭିନ୍ନ ଭିନ୍ନ ସ୍ଥାନରେ ମହାପଂଚାୟତ ଆୟୋଜନ କରୁଥିବା ଦେଖିବାକୁ ମିଳିଛି ।