କନକ ବ୍ୟୁରୋ : ବୃତିିରେ କୃଷକ ହେଲେ ବିନା ବେତନରେ ପାଲଟିଛନ୍ତି ଶିକ୍ଷକ । ଯାଜପୁର ବ୍ଲକ ଏରବାଙ୍କ ପଂଚାୟତ ଇନ୍ଦାରୋଇ ଗାଁର କୁଳମଣି ନାୟକ । ପିଲାଟି ଦିନରୁ ମେଧାବୀ ଛାତ୍ର ଥିଲେ । ଅଧିକ ପାଠ ପଢ଼ା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ କେବଳ ବିଜ୍ଞାନରେ ଯୁକ୍ତ ତିନି ପର୍ଯ୍ୟନ୍ତ ପାଠ ପଢ଼ିପାରିଥିଲେ କୁଳମଣି ।

Advertisment

ଶିକ୍ଷାଦାନ ଏବେ ତାଙ୍କର ନିଶା ପାଲଟିଛି । ଘର ପାଖରେ ଥିବା ସାହସପୁର ହନୁମାନଜୀଉ ହାଇସ୍କୁଲ ଓ ବନମାଳୀ ବ୍ରହ୍ମଚାରୀ ବାଳିକା ହାଇସ୍କୁଲରେ ଗଣିତ ଓ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରୁଛନ୍ତି । ବିନା ଦରମାରେ ସକାଳ ୧୦ଟାରୁ ୨ଟା ପର୍ଯ୍ୟନ୍ତ ପାଠ ପଢାଉଛନ୍ତି । ଶିକ୍ଷକ ଅଭାବ ଥିବାରୁ କୂଳମଣିଙ୍କ ଅନବରତ ଶିକ୍ଷାଦାନ ଚାଲିଛି । ତାସହିତ ଆର୍ଥିକ ଅନଗ୍ରସର ପିଲାମାନଙ୍କୁ ମଧ୍ୟ ଘରୋଇ ଶିକ୍ଷା ପ୍ରଦାନ କରୁଛନ୍ତି । ଯାହାପାଇଁ ତାଙ୍କୁ ସମସ୍ତେ ବେଶ ପ୍ରଶଂସା କରୁଛନ୍ତି ।

ବୃତିରେ ଜଣେ କୃଷକ ହେଉଛନ୍ତି କୂଳମଣି । ତାଙ୍କ ନିଜ ବଗିଚାରେ କୋବି, ଭେଣ୍ଡି, ବାଇଗଣ ଆଦି ଭଳିକିଭଳି ଚାଷ କରୁଛନ୍ତି । ପନିପରିବାରେ ଆଶାନୁରୂପ ଲାଭ ନହେବରୁ ୟୁଟୁବରୁ ଥାଇଲାଣ୍ଡ ବରକୋଳି ଚାଷ କରିବାକୁ ପ୍ରୋତ୍ସାହିତ ହୋଇଛନ୍ତି । ପ୍ରାୟ ୨ ବର୍ଷ ହେଲା ନିଜସ୍ୱ ଉଦ୍ୟମରେ ସେ ଦେଢ଼ ଏକର ଜମିରେ ୩ରୁ୪ ପ୍ରକାର ବରକୋଳି ଚାଷ କରିଛନ୍ତି । ଯେଉଁଥିରେ ଥାଇଲାଣ୍ଡ ବରକୋଳି, କାଶ୍ମୀର ଆପଲ , ବେରୀ ପ୍ରଭୃତି ଚାଷ କରୁଛନ୍ତି । ଏହି ଚାଷ ସମ୍ପୁର୍ଣ୍ଣ ଜୈବିକ ପଦ୍ଧତିରେ କରାଯାଉଛି । ଏହି ଚାଷରେ ତାଙ୍କ କଲେଜ ପଢ଼ୁଆ ପୁଅ ବି ସହଯୋଗ କରୁଛନ୍ତି ।

ଚାଷ କଲେ ପରିବାର ଚଳୁଛି ହେଲେ ନିଶା ତାଙ୍କର ହେଉଛି ଶିକ୍ଷାଦାନ । ସ୍କୁଲରେ ପଢାଇବା ସହ ଗରିବ ପିଲାମାନଙ୍କୁ ଶିକ୍ଷା ଦେଇ ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି ।