କନକ ବ୍ୟୁରୋ: ମଧ୍ୟପ୍ରଦେଶର ବଡୱାନି ଜିଲ୍ଲାରେ ଫଳୁଥିବା କଦଳୀ କେବଳ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ଏହାର ଯଥେଷ୍ଟ ଅଧିକ ଚାହିଦା ରହିଛି । ଆଉ ଏବେ ଏହି ଅଞ୍ଚଳର କଦଳୀକୁ ନେଇ ପୁଣିଥରେ ଆରମ୍ଭ ହୋଇଛି ଚର୍ଚ୍ଚା । କାରଣ ଏଠାରେ ଜଣେ ଚାଷୀଙ୍କ କ୍ଷେତରେ ଫଳିଛି ୧୩ ଇଞ୍ଚ ଲମ୍ବର କଦଳୀ । ଆଉ କୃଷି ବୈଜ୍ଞାନିକଙ୍କ ଅନୁଯାୟୀ, ପ୍ରଥମଥର ପାଇଁ ବନୱାନି ଜିଲ୍ଲାରେ ଏତେ ଲମ୍ବର କଦଳୀ ଦେଖିବାକୁ ମିଳିଛି । ଆଉ ଏହାର ଲମ୍ବ ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । କୃଷି ବିଜ୍ଞାନୀଙ୍କ କହିବା ଅନୁଯାୟୀ, ଏଠାରେ ଦେଶର ଅନ୍ୟ ରାଜ୍ୟ ତୁଳନାରେ ବଡ କଦଳୀ ଫଳିଥାଏ । ପାଖାପାଖି ୮ରୁ ୯ ଇଞ୍ଚ ଲମ୍ବର କଦଳୀ ଫଳିଥାଏ । କିନ୍ତୁ ୧୩ ଇଞ୍ଚର କଦଳୀ ଫଳିବା ଏଠାରେ ପ୍ରଥମ ।
ବଡ଼ୱାନି ଜିଲ୍ଲାର ବଗୁଦ ଗାଁର ଚାଷୀ ଅରବିନ୍ଦ ଜାଠ ଚଳିତବର୍ଷ ନିଜର ୬ ଏକର ଜମିରେ କଦଳୀ ଚାଷ କରିଛନ୍ତି । ଆଉ ପୂର୍ବ ବର୍ଷ ଅପେକ୍ଷା ଚଳିତବର୍ଷ ଉତ୍ପାଦନ ମଧ୍ୟ ଯଥେଷ୍ଟ ଅଧିକ ବଢିଛି ଓ ଲାଭ ମଧ୍ୟ ଦ୍ୱିଗୁଣିତ ହୋଇଛି । ଆଉ ଏହା ପଛର କାରଣ ହେଲା ଜମିରେ ଫଳିଥିବା ଲମ୍ବା କଦଳୀ । ପ୍ରତିଟି କଦଳୀର ଓଜନ ୨୫୦ ଗ୍ରାମରୁ ଅଧିକ ରହୁଥିବା ବେଳେ ବଜାରରେ ଏହାର ଚାହିଦା ଯଥେଷ୍ଟ ଅଧିକ ରହୁଛି ।
୧୯୮୫ ମସିହାରୁ ଅରବିନ୍ଦ କଦଳୀ ଚାଷ କରି ଆସୁଛନ୍ତି । ଯେଉଁଥିପାଇଁ କଦଳୀ ଚାଷ ବାବଦରେ ଅରବିନ୍ଦଙ୍କର ଯଥେଷ୍ଟ ଅଧିକ ଜ୍ଞାନ ରହିଛି । ଏହାସତ୍ତେ୍ୱ ମଧ୍ୟ ଗତ କିଛି ବର୍ଷ ହେବ କଦଳୀ ଚାଷରେ ଅରବିନ୍ଦଙ୍କର ସେଭଳି ଲାଭ ହେଉନଥିଲା । କାରଣ ପାରମ୍ପରିକ ଶୈଳୀରେ ଚାଷ କରି ଆସୁଥିଲେ ଅରବିନ୍ଦ । କିନ୍ତୁ ପଡୋଶୀ ମହାରାଷ୍ଟ୍ରରେ ଚାଷୀ ମାନେ କଦଳୀ ଚାଷରୁ ଭଲ ଲାଭ କରୁଥିବାର ଜାଣିବାକୁ ପାଇଥିଲେ । ଆଉ ଏହାପରେ ମହାରାଷ୍ଟ୍ରକୁ ଯାଇ ସେଠାକାର ଚାଷ ପ୍ରଣାଳୀ ବାବଦରେ ବୁଝିକି ଆସିଥିଲେ ଅରବିନ୍ଦ । ଉନ୍ନତ ଜ୍ଞାନକୌଶଳ ଓ ଭିନ୍ନ କିଷମର କଦଳୀ ଚାଷ ଆରମ୍ଭ କରିଥିଲେ ଅରବିନ୍ଦ । ପ୍ରାୟ ୬ ଏକର ଜମିରେ ୭ ଲକ୍ଷ ଟଙ୍କା ଖର୍ଚ୍ଚ କରି କଦଳୀ ଚାଷ କରିଥିବା ବେଳେ ପ୍ରାୟ ୨୦ ଲକ୍ଷ ଟଙ୍କାରେ କଦଳୀ ବିକ୍ରି ହେବ ବୋଲି ଆଶା ବାନ୍ଧିଛନ୍ତି ଅରବିନ୍ଦ । କାରଣ ଏଠାକାର କଦଳୀ ପାଇଁ ବିଦେଶରୁ ଅର୍ଡର ଆସିଥାଏ । ଆଉ ବିଦେଶରେ ଏହାର ଚାହିଦା ଯେମିତି ମୂଲ୍ୟ ମଧ୍ୟ ସେମିତି ।
ଏହାଛଡା ଏହି କଦଳୀ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ କମ୍ପାନି ମଧ୍ୟ ଭଲ ଦାମ ଦେଇ କିଣିବା ଆରମ୍ଭ କରିଛି । ଟନ୍ ଟନ୍ କଦଳୀ ରିଲାଏନ୍ସ କମ୍ପାନି କିଣି ନେଉଥିବା ବେଳେ ଇରାକ-ଇରାନକୁ ମଧ୍ୟ ଟନ୍ ଟନ୍ କଦଳୀ ସପ୍ଲାଏ କରାଯାଉଛି । ତେବେ ସ୍ଥାନୀୟ ବଜାର ଅପେକ୍ଷା ବିଦେଶରେ ଏହାର ଚାହିଦା ଅଧିକ ଥିବାରୁ ଏହାକୁ ଅଧିକ ମାତ୍ରାରେ ବିଦେଶକୁ ରପ୍ତାନୀ କରାଯାଉଛି । ଏବେ ଏହି କଦଳୀ ପାଇଁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ଦେବାକୁ ଦାବି କରିଛନ୍ତି ଅରବିନ୍ଦ ।