କନକ ବ୍ୟୁରୋ : ଚାଷୀ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆସନ୍ତାକାଲି ପୁଣି ଆଲୋଚନା ହେବାକୁ ଯାଉଛି । ଗୁରୁବାର ଦୀର୍ଘ ୮ ଘଂଟାର ଆଲୋଚନା ପରେ କୃଷି ମନ୍ତ୍ରୀଙ୍କ ବୟାନ ଏକ ବଡ ସଙ୍କେତ ଦେଇଛି । ନରେନ୍ଦ୍ର ସିଂ ତୋମାରଙ୍କ ବୟାନ ପରେ ସରକାର କୃଷି ଆଇନରେ ପରିବର୍ତନ ଆଣିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ସେପଟେ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି ।

Advertisment

ଦିଲ୍ଲୀ ସ୍ଥିତ ବିଜ୍ଞାନଭବନରେ ଗୁରୁବାର କୃଷକ ନେତାଙ୍କ ସହ ଆଲୋଚନା ପରେ କୃଷିମନ୍ତ୍ରୀଙ୍କ ଏହି ବୟାନ ବଡଡ ସଙ୍କେତ ଦେଉଛି । ଚାଷୀ ସଂଗଠନଙ୍କ ଚିନ୍ତା ଦୂର କରିବା ପାଇଁ ମୁଖ୍ୟତଃ ୩ଟି ଆଇନରେ ପରିବର୍ତନ କରିବା ଉପରେ ସହମତି ଦେଇପାରନ୍ତି କେନ୍ଦ୍ର ସରକାର । କୃଷି ମନ୍ତ୍ରୀ କହିଛନ୍ତି, ମଣ୍ଡି ବ୍ୟବସ୍ଥାକୁ ମଜବୁତ କରିବା, ସରକାରୀ ମଣ୍ଡି ଓ ଘରୋଇ ବଜାରରେ ସମାନ ପରିବେଶ ସୃଷ୍ଟି କରିବା ଓ ବିବାଦ ହେଲେ ହାଇକୋର୍ଟରେ ଆବେଦନ ପାଇଁ ଅନୁମତି ଦେବା ଉପରେ ପୁର୍ନବିଚାର ହୋଇପାରେ । ସେହିପରି ସର୍ବନିମ୍ନ ସହାୟକ ମୁଲ୍ୟରେ କୃଷି ଉତ୍ପାଦ କିଣିବା ଜାରି ରହିବ ବୋଲି କହିଛନ୍ତି କୃଷିମନ୍ତ୍ରୀ ।

ଗୋଟିଏ ପଟେ କେନ୍ଦ୍ର ସରକାର ନୂଆ କୃଷି ଆଇନରେ ସଂଶୋଧନ ପାଇଁ ବିଚାର କରିବାକୁ ରାଜି ହେଉଥିବା ବେଳେ ଅନ୍ୟପଟେ ଆନ୍ଦୋଳନରତ ଚାଷୀ କିନ୍ତୁ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି ।

ସେପଟେ ଦୀର୍ଘ ୯ ଦିନ ହେଲା ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନ ଜାରି ରହିଛି । ଦିଲ୍ଲୀ- ହରିଆଣା ସିଂଘୁ ବର୍ଡର, ଦିଲ୍ଲୀ-ୟୁପି ଗାଜିଆବାଦ ବର୍ଡର ସମେତ ଦିଲ୍ଲୀର ଅନ୍ୟାନ୍ୟ ସୀମାରେ ଚାଷୀମାନେ ନିଜ ଜିଦରେ ଅଡି ବସିଛନ୍ତି । ଦିଲ୍ଲୀ ସୀମାରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କିଛି ଚାଷୀ ଅନ୍ୟ ରାସ୍ତା ଦେଇ ଦିଲ୍ଲୀ ସୀମାକୁ ଆସୁଥିବା ଜଣାପଡିଛି । ଆନ୍ଦୋଳନ ଯୋଗୁଁ ରାସ୍ତାରେ କୃଷକଙ୍କ ଗହଳି ଜମିଥିବାରୁ ପ୍ରାୟ ୫୦ଟି ନୂଆ ରୁଟ ଦେଇ ଲୋକେ ଦିଲ୍ଲୀ ଆସୁଥିବା ସୂଚନା ମିଳିଛି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇବା ସହ ଚାଷୀ ନେତାଙ୍କୁ ଫୋନ କରି କଥା ହୋଇଛନ୍ତି । ପରେ ଟିଏମସି ସାଂସଦ ଡାରେକ ଓବ୍ରାୟନ ସିଙ୍ଘୁ ବର୍ଡର ଯାଇ ଚାଷୀଙ୍କୁ ଭେଟିଛନ୍ତି ।