ଚାଷୀ କଲ୍ୟାଣ କାର୍ଯ୍ୟକ୍ରମରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ । ୩୪ ଲକ୍ଷରୁ ଅଧିକ ଚାଷୀଙ୍କ ପାଖକୁ ଗଲା ୬୯୩.୯୪ କୋଟି କାଳିଆ ଟଙ୍କା ।

212

କନକ ବ୍ୟୁରୋ: ନୂଆ ଆର୍ଥିକ ବର୍ଷରେ ଚାଷୀ କଲ୍ୟାଣ କାର୍ଯ୍ୟକ୍ରମ ‘କାଳିଆ’ରୁ କାମ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ୩୪ ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟ ଖାତାକୁ କାଳିଆ ଯୋଜନାରେ ୬୯୩.୯୪ କୋଟି ଟଙ୍କା ପଠାଯାଇଛି । ଆଜି ଏ ସମ୍ପର୍କିତ କାର୍ଯ୍ୟକ୍ରମକୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ , ଆଜି ପବିତ୍ର ଓଡିଶା ଦିବସ। ଆମ ସମସ୍ତଙ୍କ ପାଇଁ ଏକ ଆନନ୍ଦର ଦିନ। ଏହି ଅବସରରେ ଆମର ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ମୋର ଅଭିନନ୍ଦନ। ଆଜି ଠାରୁ ମଧ୍ୟ ଆମର ନୂଆ ଆର୍ଥିକ ବର୍ଷ ଆରମ୍ଭ ହେଉଛି । ମହାତ୍ମା ଗାନ୍ଧୀ ଓ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଚାଷୀଙ୍କ କଲ୍ୟାଣ କାର୍ଯ୍ୟକ୍ରମରୁ ହିଁ ମୁଁ ଆଜି ନୂଆ ଆର୍ଥିକ ବର୍ଷର ଆରମ୍ଭ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏଥିସହ କାଳିଆ ଯୋଜନା ଆମର ଏକ ଗୁରୁତ୍ୱପୂର୍ଣ୍ଣ ଚାଷୀ କଲ୍ୟାଣ କାର୍ଯ୍ୟକ୍ରମ । ଆଜି ଆମର ୩୪ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ କାଳିଆ ଯୋଜନାରେ ୭୦୦କୋଟି ଟଙ୍କା ଜମା କରାଗଲା। ଚାଷୀର ତ୍ୟାଗ ଓ ସ୍ୱାଭିମାନ ହିଁ ଆଜି ଓଡିଶାର ସ୍ୱାଭିମାନ ବୃଦ୍ଧି କରିଛି । ଓଡିଶାର ଚାଷୀ ଆଜି ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଉଛି ଏବଂ କୃଷି କର୍ମଣ ପୁରସ୍କାର ପାଇ ଓଡିଶାକୁ ଗର୍ବିତ କରୁଛି । ଏହାସହ ମୁଁ ସବୁବେଳେ ଚାଷୀ ଭାଇଭଉଣୀ ମାନଙ୍କ ସହ ରହିଛି । ସେମାନଙ୍କ ପାଇଁ କାମ କରୁଛି ଓ କରି ଚାଲିବି । ଦେଢ ଗୁଣ ଏମଏସପି କାହାର ଦୟା ନୁହେଁ , ଏହା ଚାଷୀର ହକ୍‌ । ଚାଷୀକୁ ତାର ହକ୍‌ ଦେବାପାଇଁ ଆମର ଲଢେଇ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।