କଥା ଦେଇଥିଲେ, କଥା ରଖିଲେ ନବୀନ । ସରକାର ଗଠନର କିଛି ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟରେ କାଳିଆ ଟଙ୍କା ।

4,692

କନକ ବ୍ୟୁରୋ : କଥା ଦେଇଥିଲେ, କଥା ରଖିଲେ । ସରକାର ଗଠନର ପ୍ରଥମ ଦିନରେ ହିଁ ଦେଇଥିବା ପ୍ରତିଶୃତି ପାଳନ କରିଛନ୍ତି ନବୀନ । ପୂର୍ବ ପ୍ରତିଶୃତି ଅନୁଯାୟୀ ସରକାର ଗଠନର ପ୍ରଥମ ଦିନରେ କାଳିଆ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆ ଟିମ୍ ସହ ଶପଥ ନେବା ସହ କ୍ୟାବିନେଟ ବୈଠକ ପରେ ଚାଷୀଙ୍କ ଆକାଉଣ୍ଟକୁ ଯାଇଛି କାଳିଆ ଟଙ୍କା । ରାଜ୍ୟର ମୋଟ ୭୫ ଲକ୍ଷ ଚାଷୀଙ୍କ ପରିବାରକୁ କାଳିଆ ଟଙ୍କା ଦିଆଯିବ ବୋଲି କହିଛନ୍ତି ନବୀନ । କ୍ୟାବିନେଟ ପୂର୍ବରୁ ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ନିର୍ବାଚନୀ ଇସ୍ତାହାରକୁ ଅନୁମୋଦିତ କରାଯାଇଛି । ଏପରିକି ଇସ୍ତାହାରକୁ ତ୍ୱରିତ କାର୍ଯ୍ୟକାରୀ କରିବା ଉପରେ ଫୋକସ କରାଯିବ ବୋଲି କହିଛନ୍ତି ନବୀନ । ଏହାସହ ପଞ୍ଚମ ପାଳିରେ ୫ଟି ଉପରେ ଗୁରୁତ୍ୱ ଦେଇଛନ୍ତି ନବୀନ ।

ନିର୍ବାଚନ ପୂର୍ବରୁ ରାଜ୍ୟର ଅଧିକାଂଶ ଚାଷୀଙ୍କ ନିକଟକୁ କାଳିଆ ଟଙ୍କା ଯାଇଥିବା ବେଳେ ନିର୍ବାଚନ ସମୟରେ ଏହା ଉପରେ ରୋକ ଲଗାଇଥିଲେ ନିର୍ବାଚନ କମିଶନ । ତେବେ ସରକାର ଗଠନର ପ୍ରଥମ ଦିନରେ କାଳିଆ ଟଙ୍କା ଚାଷୀଙ୍କୁ ମିଳିବ ବୋଲି ନିର୍ବାଚନ ସଭାରେ ସ୍ପଷ୍ଟ କରିଥିଲେ ନବୀନ । ଆଉ ଆଜି ସରକାର ଗଠନର କିଛି ଘଣ୍ଟା ମଧ୍ୟରେ କାଳିଆ ଟଙ୍କା ପ୍ରଦାନ କରିଛନ୍ତି ନବୀନ । ଆଜି ପ୍ରାୟ ୮.୪ ଲକ୍ଷ ଚାଷୀ ପରିବାରକୁ ଆକାଉଣ୍ଟକୁ କାଳିଆ ଯୋଜନା ବାବଦକୁ ୫ ହଜାର ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଖୁବଶୀଘ୍ର ବଳକା ଚାଷୀଙ୍କ ଆକାଉଣ୍ଟକୁ ମଧ୍ୟ ଟଙ୍କା ପଠାଯିବ ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ।