ଲାଲକିଲ୍ଲା ଭିତରେ ଧସେଇ ପଶିଲେ ଆନ୍ଦୋଳନକାରୀ ଚାଷୀ । ଗମ୍ବୁଜ ଉପରେ ଉଠି ଉଡାଇଲେ ଶିଖ ପତାକା । ନିୟନ୍ତ୍ରଣ କରିବା ପାଇଁ ନାକେଦମ ହେଲା ପୁଲିସ ।

166

କନକ ବ୍ୟୁରୋ : ଦିଲ୍ଲୀ ଲାଲକିଲ୍ଲାରେ ଏମିତି ଦୃଶ୍ୟ ହୁଏତ ଆଗରୁ କେବେ ଦେଖିବାକୁ ମିଳିନଥିବ । ଅଗଷ୍ଟ ୧୫ରେ ଯେଉଁ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରନ୍ତି, ସେହିସ୍ଥାନକୁ ନିଜ ଅକ୍ତିଆରକୁ ନେଇ ଶିଖ ସମ୍ପ୍ରଦାୟର ଧାର୍ମିକ ପତାକା ଉଡାଇଥିଲେ ଆନ୍ଦୋଳନରତ ଚାଷୀ । କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଟ୍ରାକ୍ଟର ରାଲି କରୁଥିବା ଚାଷୀ ଲାଲକିଲ୍ଲାକୁ ଏକ ପ୍ରକାର କବଜାକୁ ନେଇଥିଲେ । ଆଉ ପତାକା ଉଡାଇଥିଲେ । ଦିଲ୍ଲୀ ପୋଲିସକୁ ଦେଇଥିବା ରୁଟରୁ ବାହାରେ ଯାଇ ହଜାର ହଜାର ଚାଷୀ ଲାଲକିଲ୍ଲାରେ ପହଞ୍ଚିଥିଲେ ।

ଟ୍ରାକ୍ଟର ରାଲି ପାଇଁ ଅନୁମତି ମିଳିଥିବା ରୁଟ ବାହାରେ ଯାଇ ଲାଲକିଲ୍ଲାରେ ପହଞ୍ଚିଥିଲେ ଚାଷୀ । ସେଠାରେ ବ୍ୟାରିକେଡ କରାଯାଇଥିଲେ ମଧ୍ୟ ଏହାକୁ ଖାତିର ନକରି ଟ୍ରାକ୍ଟରରେ ଆଗକୁ ମାଡି ଯାଇଥିଲେ । ହଜାର ହଜାର ଚାଷୀ ଏକତ୍ରିତ ହୋଇ ଶିଖ ସମ୍ପ୍ରଦାୟର ପତାକା ଲଗାଇଥିଲେ । କେବଳ ଏତିକି ନୁହେଁ ଲାଲକିଲ୍ଲାରେ ଠିଆ ହୋଇ ଖଣ୍ଡା ବୁଲାଇଥିଲେ । ଆନ୍ଦୋଳନରତ ଚାଷୀ ଲାଲକିଲ୍ଲାରେ ପହଂଚିବା ପରେ ସେଠାରେ ନାରାବାଜି କରିବା ସହ ଷ୍ଟଣ୍ଟ ପ୍ରଦର୍ଶନ କରିଥିଲେ ।

ଗୋଟିଏ ପଟେ ଦେଶ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଅନ୍ୟପଟେ ଦିଲ୍ଲୀରେ ପୂର୍ବରୁ କେବେ ଦେଖାଯାଇନଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଦେଶର ରାଜଧାନୀର ଛାତି ଉପରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଆନ୍ଦୋଳନରତ କୃଷକ । ଲାଲକିଲ୍ଲା ପର୍ଯ୍ୟନ୍ତ ଯିବାକୁ ପୂର୍ବରୁ ଚାଷୀ ସଂଗଠନ ଅନୁମତି ମାଗିଥିଲେ ମଧ୍ୟ ଦିଲ୍ଲୀ ପୋଲିସ ଏଥିପାଇଁ ଅନୁମତି ଦେଇନଥିଲା । ହେଲେ ସୁଦ୍ଧା ଚାଷୀ ସଂଗଠନ ଲାଲକିଲ୍ଲାରେ ପହଂଚି ଶକ୍ତି ପ୍ରଦର୍ଶନ କରିଛନ୍ତି ।