କନକ ବ୍ୟୁରୋ : ନା ପଛକୁ ଘୁଂଚୁଛନ୍ତି ମୋଦୀ ସରକାର, ନା ଦାବିରୁ ଓହରୁଛନ୍ତି ଚାଷୀ ସଂଗଠନ । ୫ ପର୍ଯ୍ୟାୟ କୃଷିମନ୍ତ୍ରୀଙ୍କ ସହ ଆଲୋଚନା ଫେଲ ମାରିଥିବା ବେଳେ ଗୃହମନ୍ତ୍ରୀ ଅମିିତ ଶାହା ବି ଚାଷୀଙ୍କୁ ବୁଝାଇବାରେ ବିଫଳ ହୋଇନାହାନ୍ତି । ଏମଏସପି ହଟିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ଲିଖିତ ପ୍ରତିଶ୍ରୁତି ବି ପ୍ରଭାବ ପକାଇ ପାରିନାହିଁ ଚାଷୀ ଆନ୍ଦୋଳନ ଉପରେ । ସେମାନଙ୍କ ଗୋଟିଏ ଜିଦ୍, ନୂଆ କୃଷି ଆଇନକୁ ପ୍ରତ୍ୟାହାର କର । ଦିଲ୍ଲୀ ସିଂଘୁ ସୀମାରେ ହଜାର ହଜାର ଚାଷୀ ଡେରା ପକାଇ ରହିଥିବା ବେଳେ ପ୍ରତିଦିନ ସେମାନଙ୍କ ସହ ଯୋଡି ହେଉଛନ୍ତି ଅନ୍ୟର ବିଭିନ୍ନ ଅଂଚଳରୁ ଆସୁଥିବା ଚାଷୀ । ସୋମବାର ଦିନ ଉପବାସ ରହି କୃଷି ଆଇନର ପ୍ରତିବାଦ କରିବେ ଚାଷୀ ।

Advertisment

ନୂଆ କୃଷି ଆଇନ ପ୍ରତ୍ୟାହାର ପାଇଁ ମୋଦୀ ସରକାରଙ୍କ ଉପରେ ଚାଷ ପକାଇବାକୁ ସୋମବାର ଦିନ ଦେଶବ୍ୟାପୀ ଜିଲ୍ଲାସ୍ତରୀୟ ପ୍ରତିବାଦ ଡାକରା ଦେଇଛନ୍ତି ଚାଷୀ ସଂଗଠନ । କେବଳ ସେତିକି ନୁହେଁ, ଦିନିକିଆ ଉପବାସ ରହିବାକୁ ମଧ୍ୟ ଆହ୍ୱାନ ଦିଆଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଚାଷୀଙ୍କ ଦାବି ପ୍ରତି ସମର୍ଥନ ଜଣାଇ ଉପବାସ ରହିବେ ବୋଲି କହିଛନ୍ତି ।

ଦିନକୁ ଦିନ ଆନ୍ଦୋଳନ ଅଧିକ ତେଜୁଥିବାରୁ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଯାଇଛି । ଅମିତ ଶାହାଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ସୋମ ପ୍ରକାଶ । ପୂରା ସ୍ଥିତିକର ଅପଡେଟ୍ ନେଇଛନ୍ତି ଅମିତ ଶାହା ।

ଦିଲ୍ଲୀ-ଜୟପୁର ରାଜପଥକୁ ପ୍ରାୟ ତିନି ଘଂଟା ଧରି ଅବରୋଧ କରିଛନ୍ତି ଚାଷୀ । ରାଜସ୍ଥାନରୁ ଟ୍ରାକ୍ଟର ରାଲି କରି ଆନ୍ଦୋଳନ ସ୍ଥଳ ଅଭିମୁଖେ ଆସିଛନ୍ତି ହଜାରେ ପାଖାପାଖି ଚାଷୀ । ଦିଲ୍ଲୀ ପହଁଚିବା ପୂର୍ବରୁ ସେମାନଙ୍କୁ ହରିଆଣା ସୀମାରେ ଅଟକାଇଛି ପୋଲିସ । ସେପଟେ ଚାଷୀଙ୍କ ଧାରଣା ଯୋଗୁଁ ଡିସେମ୍ବର ପହିଲାରୁ ବନ୍ଦ ପଡିଥିବା ନୋଇଡ଼ା - ଦିଲ୍ଲୀ ରାସ୍ତାରେ ଟ୍ରାଫିକ ସ୍ୱାଭାବିକ ହୋଇଛି । କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଆଲୋଚନା ପରେ ଏହି ରାସ୍ତାକୁ ଖାଲି କରିଛନ୍ତି ଆନ୍ଦୋଳନକାରୀ ।