କନକ ବ୍ୟୁରୋ : ଜଗତସିଂହପୁର ବାଲିକୁଦା ବ୍ଲକ ଅନ୍ତର୍ଗତ ସଂଗ୍ରାମପୁର ପଂଚାୟତର ଗୋଗଳ, କୁମ୍ଭାରୀ, ବାଲି ଭଳି ଗାଁର ଶହଶହ ହେକ୍ଟର ଚାଷ ଜମି ଶୁଖି ଯାଇଛି । ବର୍ଷା ନାହିଁ କି କେନାଲ ପାଣି ଜମିରେ ପହଂଚୁ ନାହିଁ । ତେଣୁ ଅନେକ ଜମି ପଡିଆ ପଡିଛି । ଯେଉଁ କେତେକ ଜମିରେ ଧାନ ରୁଆ ହୋଇଛି, ସେ ଜମି ଶୁଖି ଯାଇଛି । ଚାଷ ଜମିକୁ ଜଳ ଯୋଗାଣ ପାଇଁ ସବ୍ ମାଇନର କେନାଲ ଅଛି । ଚାଷୀ ପ୍ରତିବର୍ଷ ଚାଷ ପାଇଁ ଜଳ କର ମଧ୍ୟ ଦେଉଛନ୍ତି । ହେଲେ ଚାଷ ପାଇଁ ପାଣି ମିଳୁନାହିଁ । ଫଳରେ ଚାଷୀ ହଟହଟା ହେଉଛନ୍ତି । କେନାଲ ପାଣି ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଉନଥିବା ଅଭିଯୋଗ ହୋଇଛି ।

Advertisment

ଜଗତସିଂହପୁର ଜିଲ୍ଲାରେ ଚଳିତ ଖରିଫ ଋତୁରେ ୮୪ ହଜାର ହେକ୍ଟର ଜମିରେ ଧାନ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି । ହେଲେ ଅଭାବୀ ବର୍ଷା ଓ କେନାଲ ପାଣିର ସଂକଟ ଯୋଗୁଁ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । କେନାଲର ତଳମୁଣ୍ଡରେ ଥିବା ଚାଷୀଙ୍କ ଜମିରେ ପାଣି ପହଂଚିପାରୁନଥିବା ବେଳେ ଜଳସେଚନ ବିଭାଗର ଅପାରଗତା ପଦାରେ ପଡିଛି । ଚାଷୀଙ୍କ ସମସ୍ୟା ନେଇ ଅତି ଖାମଖିଆଲି ଢଙ୍ଗରେ ଉତର ରଖୁଛନ୍ତି ବାଲିକୁଦା ଜଳସେଚନ ବିଭାଗର ଅଧିକାରୀ । ସେପଟେ ଜିଲ୍ଲା କୃଷି ଅଧିକାରୀ କହିଛନ୍ତି, ଖୁବ୍ ଶୀଘ୍ର ଚାଷୀଙ୍କ ସମସ୍ୟାର ସମାଧାନ ହେବ ।

ପାଣି ପାଇଁ ଜଳସେଚନ ବିଭାଗର ଅଧିକାରୀଙ୍କୁ ଚାଷୀ ଜଣାଇଲେ, ସେ ବିଲକୁଲ୍ ଶୁଣୁନଥିବା ଅଭିଯୋଗ ହୋଇଛି ।