ସୁନ୍ଦରଗଡରେ ଧାନ ମଣ୍ଡି ଚାଲିଛି ମିଲରଙ୍କ ମର୍ଜିରେ । ମନ ଇଚ୍ଛା ମଣ୍ଡି ଛାଡି ଚାଲି ଯାଉଛନ୍ତି ମିଲରଙ୍କ ପ୍ରତିନିଧି । ଧାନ ଧରି ମଣ୍ଡିରେ ଅପେକ୍ଷା କରୁଛନ୍ତି ଚାଷୀ ।

83

କନକ ବ୍ୟୁରୋ : ସୁନ୍ଦରଗଡ ଜିଲ୍ଲାରେ ଧାନକିଣା ଆମମ୍ଭରୁ ହିଁ ମଣ୍ଡିରେ ଅବ୍ୟବସ୍ଥା ନେଇ ବିବାଦ ଲାଗି ରହିଛି । ଏବେ ମଣ୍ଡିରେ ମିଲରଙ୍କ ପାଦୁର୍ଭାବ ଏବଂ ଦୁଇରୁ ତିନି କେଜି କଟନୀ ଛଟନୀକୁ ନେଇ ଅସନ୍ତୋଷ ଦାନା ବାନ୍ଧୁଥିବା ବେଳେ ଭଲ ଧାନକୁ ଖରାପ ଦର୍ଶାଇ ପ୍ରତ୍ୟାଖାନ କରୁଥିବାରୁ ମିଲରଙ୍କ ଉପରେ ଖପ୍ପା ସୁନ୍ଦରଗଡ ଚାଷୀ । ସମସ୍ୟାକୁ ନେଇ ସୁନ୍ଦରଗଡ ଟାଙ୍ଗରମୁଣ୍ଡା ମଣ୍ଡିରେ ଧାନ କିଣା ବାଧାପ୍ରାପ୍ତ ହୋଇଛି । ଅନ୍ୟପଟେ ଲ୍ୟାମ୍ପସ କର୍ମଚାରୀ କହୁଛନ୍ତି ମିଲର ଧାନର ମାନ ଯାଂଚ କରି କଟନୀ ଛଟନୀ କରୁଛନ୍ତି, ସେମାନେ କେବଳ ଡାଟା ଏଂଟ୍ରି କରୁଛନ୍ତି ।

ମଣ୍ଡିରେ ପଡିରହିଛି ଶହଶହ ବସ୍ତା ଧାନ । କିଛି ତଳେ ଲାଟ୍ ମରା ହୋଇଥିବା ବେଳେ କିଛି ବସ୍ତା ଗାଡିରେ ଲୋଡ ହୋଉ ରହିଛି । ମଣ୍ଡି ଆଗରେ ଧାନ ବସ୍ତା ରହିଥିବା ବେଳେ ଧାନକିଣା ବନ୍ଦ ହୋଇଯିବାରୁ ଚାଷିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସୁନ୍ଦରଗଡ ମହୁଲପାଲି ଲ୍ୟାମ୍ପସ ଅଧୀନରେ ଥିବା ଟାଙ୍ଗରମୁଣ୍ଡା ମଣ୍ଡିରେ ମିଲରଙ୍କ ପ୍ରତିନିଧି ନାନା କାରଣ ଦର୍ଶାଇ ଧାନ କଟନୀ ଛଟନୀ କରୁଛନ୍ତି, ଏବଂ ଚାଷୀ ଏହାର ପ୍ରତିବାଦ କଲେ ଧାନ ଖରାପ ଅଛି କହି ଧାନ କିଣୁନାହାନ୍ତି । ଏମିତି କି ମିଲର ପ୍ରତିନିଧି ମଣ୍ଡିରୁ ଚାଲିଯିବା ସହ ଧାନ ନେବା ପାଇଁ ଆସିଥିବା ଗାଡିକୁ ମଧ୍ୟ ଫେରାଇ ନେଇଛନ୍ତି । ତେଣୁ ଧାନ ବିକ୍ରି ବନ୍ଦ ରହଥିବା ଚାଷୀ ଅଭିଯୋଗ କରିଛନ୍ତି ।

ମହୁଲାପାଲି ଲ୍ୟାମ୍ପସ ଅଧୀନରେ ଥିବା ସମସ୍ତ ୪ଟି ମଣ୍ଡିରେ ଏପରି ଅବ୍ୟବସ୍ଥା ଲାଗି ରହିଛି । ତସଲାଡିହି ମଣ୍ଡିକୁ ଲ୍ୟାମ୍ପସ କର୍ତୃପକ୍ଷ ସଂପୂର୍ଣ୍ଣ ରୂପେ ବନ୍ଦ କରିଦେଇଛନ୍ତି । ସୁନ୍ଦରଗଡ ଜିଲ୍ଲାର ୪୪ଟି ଲ୍ୟାମ୍ପସ ଜରିଆରେ ଧାନ କିଣା ଯାଉଥିବା ବେଳେ ମଣ୍ଡିରେ ଲ୍ୟାମ୍ପସ କର୍ତୃପକ୍ଷ ଏବଂ ମାନ ଯାଂଚ ପାଇଁ ଆରଏମ୍ସି କର୍ତୃପକ୍ଷ ରହିବା କଥା, ହେଲେ ଏଠାରେ ସମସ୍ତ ମଣ୍ଡିକୁ ମିଲରଙ୍କ ହାତରେ ଟେକି ଦିଆଯାଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗକୁ ଲ୍ୟାମ୍ପସ କର୍ମଚାରୀ ମଧ୍ୟ ସ୍ୱୀକାର କରିଛନ୍ତି ।

ସରକାର ଚାଷୀଙ୍କ ଠାରୁ ମଣ୍ଡିରେ ଜରିଆରେ ଧାନ କିଣି ସିଧାସଳଖ ଚାଷୀଙ୍କ ଆକାଉଂଟକୁ ଟଙ୍କା ପଠାଉଛନ୍ତି । ହେଲେ ମଣ୍ଡି କର୍ତୃପକ୍ଷଙ୍କ ଅବହେଳାରୁ ଅନେକ ସ୍ଥାନରେ ଚାଷୀ ମଣ୍ଡିରେ ହିନସ୍ତା ହେଉଥିବା ଖବର ପ୍ରାୟ ପ୍ରତିଦିନ ଗଣମାଧ୍ୟମରେ ପ୍ରସାରଣ ହେଉଛି ।