କନକ ବ୍ୟୁରୋ : ମଣ୍ଡିରେ ଚାଲିଛି ସମସ୍ୟା । କେଉଁଠି ଚାଷୀ ଦଲାଲଙ୍କ ଶୋଷଣର ଶିକାର ହେଉଛି ତ ଆଉ କେଉଁଠି ଆନ୍ଦୋଳନ ଯୋଗୁଁ ଅଣ୍ଠେଇ ପଡିଛି ମଣ୍ଡି ବ୍ୟବସ୍ଥା । ପଶ୍ଚିମ ଓଡ଼ିଶାରୁ ଆସିଛି ଏଭଳି ଚିତ୍ର । ଏଜେଣ୍ଟଙ୍କ ଯୋଗୁଁ ଚାଷୀ ଉପଯୁକ୍ତ ପ୍ରାପ୍ୟ ପାଇନଥିବା ବେଳେ ଅନ୍ୟ ଜିଲ୍ଲାରେ ସମବାୟ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ମଣ୍ଡିରେ ଧାନ ପଡ଼ି ରହିଛି ।
ପଦ୍ମପୁର ଆରଏମସି ଅଧିନରେ ଖୋଲିଥିବା ବିଭିନ୍ନ ଧାନ ମଣ୍ଡରେ ଚାଲିଛି ମିଲର ଏଜେଣ୍ଟ ଓ ଦଲାଲମାନଙ୍କ ରାଜ । ଏଭଳି ଦୁଇଟି ଚିତ୍ର ଆସିଛି ପଦ୍ମପୁର ଆରଏମସି ଅଧିନରେ ଥିବା ଦୁଇଟି ଧାନ ମଣ୍ଡିରୁ । ପଦ୍ମପୁରରେ ଧାନ ବିକ୍ରି ସମୟରେ ଚାଷୀ କଟନି ଛଟନିର ଶିକାର ହେଉଥିବା ଚିତ୍ର ସାମନାକୁ ଆସିଛି । ଲଖମରା ସମବାୟ ସମିତିର ସରାଇକେଲା ଧାନ ମଣ୍ଡିରେ ଏଜେଂଟ ଚାଷୀକୁ କ୍ୱିଂଟାଲ ପ୍ରତି ୫ରୁ ୭ କେଜି କଟନି ଛଟନି ପାଇଁ ବାଧ୍ୟ କରିବା ସହ କଟନି ନ ଦେଲେ ଧାନ ନେବ ନାହିଁ କହି ହୋ ହାଲ୍ଲା କରିଥିବା ଦେଖିବାକୁ ମିଳିଛି । ଖୋଲା ଖୋଲି ଭାବରେ ଦେଖିବାକୁ ଗଲେ ମିଲର କବଜାରେ ରହିଛି ଧାନ ମଣ୍ଡି ।
ସେହିଭଳି ଦଲାଲ ଗିରିର ଚିତ୍ର ଆସିଛି ସନିମାଲ ଧାନ ମଣ୍ଡିରେ । ଏହି ଧାନ ମଣ୍ଡିରେ ଦଲାଲ ମାନେ ଚାଷୀକୁ ସରକାରୀ ମୂଲ୍ୟ ଠାରୁ କମ ଦରରେ ଧାନ ବିକିବା ପାଇଁ ବାଧ୍ୟ କରୁଛନ୍ତି । ଯଦି ସେ ମଣ୍ଡିକୁ ଧାନ ଆଣେ ତେବେ ତାର ଧାନ ବିକ୍ରି ହେବ ନାହିଁ ଅଧିକ ସମୟ ଲାଗିବ କହି ଭୁଆଁ ବୁଲାଉଛନ୍ତି । ଦଲାଲ ମାନେ ମଣ୍ଡି କର୍ମଚାରୀଙ୍କ ସହ ମିଶି ଚାଷୀଙ୍କୁ ଧମକାଇ ଶାଗ ମାଛ ଦରରେ ଧାନ କିଣି ନେଇ ଲାଭବାନ ହେଉଛନ୍ତି ।
ପ୍ରାୟ ୨୦ ଦିନ ହେଲା ସାରା ରାଜ୍ୟରେ ସମବାୟ କର୍ମଚାରୀ ମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଫଳରେ ଝାରୁସୁଗୁଡାରେ ଧାନ କ୍ରୟରେ ସମସ୍ୟା ସୃଷ୍ଟି ହୋଇଛି । ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟି ଯୋଗୁଁ ଫସଲ ଅମଳରେ ଅନେକ କ୍ଷତି ସହିଛନ୍ତି ଚାଷୀ କୂଳ । ତଥାପି ଯେତିକି ଆଦାୟ ହୋଇଛି ତାକୁ ଅମଳ କରି ବର୍ତମାନ ଖଳା, ଘର କିମ୍ବା ବାରଣ୍ଡାରେ ରଖୁଛି ଚାଷୀ । ହେଲେ ବିକ୍ରୟ ଦିଗରେ ଅନିଶ୍ଚିତତାକୁ ନେଇ ଚାଷୀ ହତାଶ ହୋଇପଡ଼ିଛି । ଗତ ଡିସେମ୍ବର ମାସ ୭ ତାରିଖ ଦିନ ଠାରୁ ଧାନ କିଣିବା ପାଇଁ ଝାରସୁଗୁଡା ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଥିଲା । ହେଲେ ଏଯାଏଁ ଧାନ କିଣିବା ପ୍ରକ୍ରିୟା ଆରମ୍ଭ କରାଯାଇ ନାହିଁ ।
କେବଳ ପଦ୍ମପୁର କିମ୍ବା ଝାରୁସୁଗୁଡା ନୁହେଁ ସାରା ରାଜ୍ୟରେ ଧାନମଣ୍ଡିରେ ଏଭଳି ଅବ୍ୟବସ୍ଥା ଦେଖାଦେଇଛି । କେଉଁଠି ଚାଷୀ ଦଲାଲଙ୍କ ଶୋଷଣର ଶିକାର ହେଉଛି ତ ଆଉ କେଉଁଠି ଆନ୍ଦୋଳନ ଯୋଗୁଁ ଅଣ୍ଠେଇ ପଡିଛି ମଣ୍ଡି ବ୍ୟବସ୍ଥା । ଆଉ ପ୍ରତି ବର୍ଷ ପରି ଏଥର ମଧ୍ୟ ସେହି ମଣ୍ଡିରେ ଧାନ ରଖି ହଟହଟା ହେଉଛନ୍ତି ଚାଷୀ କୂଳ ।