ଅଦିନିଆ ବର୍ଷା ଯୋଗୁଁ ପଦ୍ମପୁରରେ ମଣ୍ଡିରେ ଭିଜୁଛି ଅମଳ ଧାନ । ମିଲର ଓ ପ୍ରଶାସନିକ ଅଧିକାରୀଙ୍କ ମନମାନି ଯୋଗୁଁ ବିକ୍ରି ହୋଇପାରୁନି ଚାଷୀଙ୍କ ଧାନ

55

କନକ ବ୍ୟୁରୋ : ଅଦିନିଆ ବର୍ଷା ଯୋଗୁଁ ମଣ୍ଡିରେ ଭିଜୁଛି ଅମଳ ଧାନ । ଏଭଳି ସମସ୍ୟା ଦେଖିବାକୁ ମିଳିଛି ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ଡାଙ୍ଗବାହାଲ ଧାନ ମଣ୍ଡିର । ମଣ୍ଡିରେ ପଡି ରହିଛି ହଜାର ହଜାର ଧାନ ବସ୍ତା । ଗତ ଦୁଇ ଦିନ ହେଲା ବର୍ଷା ଲାଗିରହିବା କାରଣରୁ ଚାଷୀଙ୍କ ଧାନ ଭିଜି ଗଜା ହେବାକୁ ଲାଗିଲାଣି । ଚାଷୀ ମାନେ ଦୀର୍ଘ ଦିନ ହେବ ମଣ୍ଡିକୁ ଧାନ ବିକ୍ରି ପାଇଁ ଆଣିଥିଲେ ହେଲେ ବିଭିନ୍ନ ଆଳ ଦେଖାଇ ତାଙ୍କ ଧାନ ବିକ୍ରି ହେଇପାରୁନାହିଁ । ଯାହାକୁ ନେଇ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି । ଚାଷୀ ମାନେ ଉତ୍ୟକ୍ତ ହୋଇ ମଣ୍ଡି କାର୍ଯ୍ୟାଳୟକୁ ତାଲା ପକାଇଛନ୍ତି ।

ଚାଷୀଙ୍କ ଅଭିଯୋଗ ଅନୁସାରେ ଡାଙ୍ଗବାହାଲ ଧାନ ମଣ୍ଡିରେ ମିଲର ଓ ପ୍ରଶାସନିକ ଅଧିକାରୀଙ୍କ ଦାଦାଗିରି ଚାଲୁଛି । ଚାଷୀ ମାନେ ଭଲ ଧାନ ଆଣିଥିଲେ ମଧ୍ୟ କଟନୀ ଛଟନୀ ପାଇଁ ବାଧ୍ୟ କରାଯାଉଛି । ଗତ ଦୁଇ ଦିନ ବର୍ଷାରେ ଧାନ ଭିଜି ଯିବା କାରଣରୁ ମିଲର ଏଜେଂଟ ଏବେ ଧାନ କିଣିବେ ନା ନାହିଁ ତାକୁ ନେଇ ଦ୍ୱନ୍ଦରେ ରହିଛନ୍ତି ଚାଷୀ   । ଅନ୍ୟପଟେ ପ୍ରଶାନିକ ଅଧିକାରୀ ବା ମଣ୍ଡି ଦାୟିତ୍ୱରେ ଥିବା କର୍ମଚାରୀ ମାନେ ଚାଷୀଙ୍କ କୌଣସି କଥା ଶୁଣୁନଥିବା ସେମାନେ ଅଭିଯାଗ କରିଛନ୍ତି ।

ବର୍ଷ ସାରା ଅକ୍ଳାନ୍ତ ପରିଶ୍ରମ କରି ଧାନ ଅମଳ କରିଥିଲା ଚାଷୀ । ଆଶା ଥିଲା ଧାନ ବିକ୍ରି କରି ପରିବାର ପ୍ରତିପୋଷଣ କରିବ । ହେଲେ ବିକ୍ରି ସମୟରେ ଦାଉ ସାଧିଛି ଅଦିନିଆ ବର୍ଷା ।