ଚାଷୀର ଚିନ୍ତା ବଢାଇଲାଣି ସାର ସଙ୍କଟ । ଲୁଟୁଛନ୍ତି ଅସାଧୁ ବ୍ୟବସାୟୀ, ଶୁଣୁନି ପ୍ରଶାସନ  । 

103

କନକ ବ୍ୟୁରୋ : ଚାଷ କାମ ଠିକ୍ ଜୋରସୋରରେ ଚାଲିଥିବା ସମୟରେ ଚାଷୀଙ୍କ ପାଖରେ ସାର ନାହିଁ । ଆଉ ସାରର ଅଭାବ ଯୋଗୁଁ ବ୍ୟାପକ ଭାବରେ ସାରର କଳାବଜାରୀ ହେଉଥିବା ଅଭିଯୋଗ ହୋଇଛି । ଚଢ଼ା ଦରରେ ଚାଷୀଙ୍କୁ ସାର ବିକ୍ରି କରୁଥିବା ନେଇ ବରଗଡ଼ ଜିଲ୍ଲାରୁ ଅଭିଯୋଗ ହୋଇଛି । ଏଭଳି ସ୍ଥିତିରେ ସାର ଯୋଗାଇ ଦେବା ପାଇଁ ଦାବି ହେଉଛି ।

ବିଲରେ ଖଟୁଛି ଚଷା ପୁଅ । ପାଗ ଦେଖି ତଳି ପକାଇ ଚାଷ କାମକୁ ଆଖେଇ ନେବାକୁ ଅଣ୍ଟା ଭିଡିଥିବା ବେଳେ ଏବେ ସମସ୍ୟା ହୋଇ ଠିଆ ହୋଇଛି ସାର ସଂକଟ । ଯେତେବେଳେ ସାରର ସବୁଠୁ ଅଧିକ ଦରକାର ଅନୁଭବ କରୁଛି ଚାଷୀ, ତା ପାଖରେ ସାର ନାହିଁ । ଆଉ ସାର ସଂକଟର ସୁଯୋଗ ନେଇ ଚାଷୀଙ୍କୁ ଲୁଟୁଛନ୍ତି କିଛି ଅସାଧୁ ବ୍ୟବସାୟୀ ।

ୟୁରିଆ ସାରର ସରକାରୀ ଦାମ, ବସ୍ତା ପିଛା ୨୬୬ ଟଙ୍କା ୫୦ ପଇସା ଥିବା ବେଳେ ବିକ୍ରି ହେଉଛି ୩୫୦ରୁ ୪୦୦ ଟଙ୍କାରେ । ଏଭଳି ସ୍ଥିତିରେ ସାରର କଳାବଜାରୀର ଶିକାର ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି । ସେହିପରି ପ୍ରଶାସନ, ଚାଷୀଙ୍କ ସମସ୍ୟାକୁ ବୁଝି ତୁରନ୍ତ ଚାଷୀଙ୍କ ସାର ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି ।

ଚଳିତ ଖରିଫ ଋତୁରେ ବରଗଡ଼ ଜିଲ୍ଲାରେ ୨ ଲକ୍ଷ, ୪୭ ହଜାର ୨୬୮ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ଏଥିପାଇଁ ୨୪, ୫୦୦ ମେଟ୍ରିକ୍ ଟନ୍ ୟୁରିଆର ସାର, ୧୫ ହଜାର ଏମଟିଡିଏପି ସାର, ୮୨୦୦ ଏମଓପି ସାରର ଆବଶ୍ୟକତା ରହିଛି । ସବୁ ସାର ସୋସାଇଟି ତଥା ପଂଜିକୃତ ସାର ବିକ୍ରେତାଙ୍କଠାରୁ ଚାଷୀ ସାର କିଣିଥାନ୍ତି । ହେଲେ ଏଥର ଅଭାବ ଦେଖାଦେଇଛି । ପ୍ରଶାସନର ପ୍ରତିଶ୍ରୁତି ଭିତରେ ସମସ୍ୟାକୁ ଦୃଷ୍ଟିରେ ରଖି, ତୁରନ୍ତ ସାର ଯୋଗାଇ ଦେବାକୁ ଚାଷୀ ଦାବି କରିଛନ୍ତି ।