ବିଜୁଳି କାଟିଦେଲା ଟାଟା ପାୱାର, ମରିଗଲାଣି ଧାନ ଗଛ ।

153

କନକ ବ୍ୟୁରୋ : ପ୍ରଥମେ ଯାନ୍ତ୍ରିକ ତ୍ରୁଟି ପାଇଁ ଉଠା ଜଳସେଚନର ଲାଇନ୍ କାଟି ଦେଲା ବିଜୁଳି ବିତରଣକାରୀ ସଂସ୍ଥା ଟାଟା ପାୱାର । ଏବେ ବାକି ପଇସା ପୈଠ କରିନଥିବା ଆଳ ଦେଖାଇ ଦେଉନାହିଁ ବିଦ୍ୟୁତ ସଂଯୋଗ । ଫଳରେ ସମ୍ବଲପୁର ଜିଲ୍ଲାରେ ଉଠା ଜଳସେଚନ ଥାଇ ବି ଜମିରେ ମାଡୁନି ପାଣି, ମରୁଛି ଧାନ ଗଛ ।

ସମ୍ବଲପୁର ଜିଲ୍ଲାର ଅଣଜଳସେଚିତ ଅଂଚଳରେ ମରୁଡି ସ୍ଥିତି ଉତ୍ପନ୍ନ ହେଉଥିବା ବେଳେ ଧାନଗଛ ମରିବାକୁ ବସିଲାଣି । ପ୍ରାଥମିକତା ଭିତ୍ତିରେ ଉଠା ଜଳସେଚନକୁ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଥିବା ବେଳେ ସମ୍ବଲପୁରରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ସତୁପାଲି ଓ ରୂପାପାଲିରେ ଉଠା ଜଳସେଚନ ପ୍ରକଳ୍ପରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଥିବାରୁ ଜମିକୁ ହୋଇପାରୁନି ଜଳ ସେଚନ । ପ୍ରଥମେ ଯାନ୍ତ୍ରିକ ତ୍ରୁଟି ଓ ପରେ ବକେୟା ବିଲର ଦ୍ୱାହି ଦେଇ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଛି ଟାଟା ପାୱାର ।

ସମସ୍ୟା ନେଇ ସତୁପାଲି ଓ ରୂପାପାଲିର ଚାଷୀମାନେ ବିଦ୍ୟୁତ ବିଭାଗ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଭେଟିଲେଣି ହେଲେ କେହି ଶୁଣୁନାହାନ୍ତି ତାଙ୍କ କଥା । ପ୍ରଥମେ ୧ଲକ୍ଷ ୨୦ ହଜାର ଟଙ୍କାର ବାକି ବିଲ୍ ଦିଅ ପରେ କଥାବାର୍ତ୍ତା ବୋଲି କହି ବିଦ୍ୟୁତ ସଂଯୋଗ ଦେଉନାହିଁ ଟାଟା ପାୱାର । ତେବେ ଧାନ ଅମଳ ହେଲେ ବିଲ୍ ଦେବା ନେଇ ଚାଷୀ ପ୍ରତିଶ୍ରୃତି ଦେଲେ ବି ଶୁଣୁନି ବିଭାଗ ।