ବନ୍ଦ ହେଲା ମଣ୍ଡି, ଅଡୁଆରେ ଚାଷୀ । ମିଲର ଓ ଲ୍ୟାମ୍ପସ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ପାଇଁ ହିନସ୍ତା ହେଲେ ଅନ୍ନଦାତା ।

264

କନକ ବ୍ୟୁରୋ: ମିଲର ଓ ଲ୍ୟାମ୍ପସ କର୍ମଚାରୀଙ୍କ ମଧୁଚନ୍ଦ୍ରିକା । ବନ୍ଦ ହେଲା ମଣ୍ଡି, ଅଡୁଆରେ ଚାଷୀ । ମଣ୍ଡିରେ ପଡି ରହିଛି ଶହଶହ ଧାନ ବସ୍ତା । ଖରା ତରାରେ ଜଗି ରହିଛନ୍ତି ଚାଷୀ । ସୁନ୍ଦରଗଡ ଟାଙ୍ଗରପାଲି ବ୍ଲକ ମହୁଲପାଲି ଲ୍ୟାମ୍ପସର ତସଲାଡିହି ମଣ୍ଡିରେ ୧୫ରୁ ଅଧିକ ଚାଷୀ ପ୍ରାୟ ୧୮୦୦ କୁଂଇଟାଲ ଧାନ ମଣ୍ଡିର ରଖି ବିକ୍ରି ପାଇଁ ଅପେକ୍ଷା କରିଛନ୍ତି । ଧାନ ବିକ୍ରି କରିବା ପାଇଁ ୨୩ ତାରିଖରେ ମଣ୍ଡିରୁ ଟୋକନ ମଳିବା ପରେ ଚାଷୀ ଧାନ ଆଣିଥିଲେ । ହେଲେ ନିର୍ଦ୍ଧାରିତ ସମୟରେ ମିଲର ଓ ଲ୍ୟାମ୍ପ କର୍ତୃପକ୍ଷ ନଆସିବାରୁ ଧାନ ବିକ୍ରି ହୋଇ ପାରିଲା ନାହିଁ । ସେପଟେ ଗତ ୨୪ ତାରିଖରେ ନୋଟିସ୍ ଆସିଛି ତସଲାଡିହି ମଣ୍ଡି ବନ୍ଦ ହୋଇଯାଇଛି । ଏଠାରେ ଧାନ ବିକ୍ରି କରାଯାଇ ପାରିବ ନାହିଁ । ଧାନ ବିକିବା ପାଇଁ ୧୦ କିଲୋମିଟର ମହୁଲପାଲି ମଣ୍ଡିକୁ ନେବାକୁ ପଡିବ । ଏହା ଶୁଣିବା ପରେ ଚାଷୀମହଲରେ ଅସନ୍ତୋଷ ଦାନା ବାନ୍ଧୁଛି ।

ତସଲାଡିହି ମଣ୍ଡି ଭଳି ମହୁଲପାଲି ମଣ୍ଡିରେ ବି ଚାଷୀ ସମାନ ସମସ୍ୟା ଭୋଗୁଛନ୍ତି । ଚାଷୀଙ୍କ ଧାନ ମାନ ଠିକ୍ ଥିଲେ ବି କ୍ୱିଂଟାଲ ପ୍ରତି ଦେଢ କିଲୋ କଟନୀ ଛଟନୀ କରାଯାଉଛି । ଆଉ ଏହାକୁ ବିରୋଧ କଲେ ଚାଷୀର ଧାନ ନେବାକୁ ସିଧାସଳଖ ମନା କରିଦେଉଛନ୍ତି ମିଲର । ଏହି ଘଟଣା ସଂପର୍କରେ ମିଲରଙ୍କ ଏଜେଂଟର ମୁହଁ ଖୋଲୁନଥିବା ବେଳେ ସରକାରୀ ସ୍ତରରେ ବୈଠକ ପରେ ତସଲାଡିହି ମଣ୍ଡି ବନ୍ଦ କରାଯାଇଥିବା ଲ୍ୟାମ୍ପସ୍ ଏମଡି କହିଛନ୍ତି ।

ଏହି ଘଟଣାରୁ ଗୋଟିଏ ହିଁ କଥା ସାବ୍ୟସ୍ତ ହୋଇଯାଇଛି ଯେ ସରକାରଙ୍କ ତରଫରୁ ଧାନ କିଣୁଥିବା ବହୁମୂଖୀ ସମବାୟ ସମିତି ଓ ମିଲର ମଧୁଚନ୍ଦ୍ରିକାର ଶିକାର ହେଉଛନ୍ତି ଚାଷୀ ।