ହେଲିକପ୍ଟରରେ ମୁଖ୍ୟମନ୍ତ୍ରୀ ଆସିଲେ, ଆଉ ହେଲିକପ୍ଟର ଦେଖିବାକୁ ଆସିଥିବା ଲୋକ ଉଜାଡିଦେଲେ ଚାଷୀଙ୍କ ଏକର ଏକର ଫସଲ | ବିହାରର ଭାଗଲପୁରରେ କିଛି ଏଭଳି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରବିବାର ଦିନ ଭାଗଲପୁରର ଗୁଆରିଡିହ ପ୍ରତ୍ନତାତ୍ତ୍ୱିକ ସ୍ଥଳୀ ପରିଦର୍ଶନ କରିବାକୁ ପହଞ୍ଚିଥିଲେ। ତେବେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ପାଟନାଠାରୁ ଭାଗଲପୁର ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଦେଖିବାକୁ ବହୁ ସଂଖ୍ୟାରେ ଲୋକ ହେଲିପ୍ୟାଡ଼ ନିକଟରେ ରୁଣ୍ଡ ହୋଇଥିଲେ | ଆଉ ହେଲିକପ୍ଟର ଦେଖିବାକୁ ଆସିଥିବା ଲୋକମାନେ ସ୍ଥାନୀୟ ଚାଷୀଙ୍କ ଜମିରେ ଲାଗିଥିବା ଫସଲକୁ ଦଳିଚକଟି ନଷ୍ଟ କରିଦେଇଥିଲେ |
ଲୋକଙ୍କ ଗହଳି ଯୋଗୁଁ ଜମିରେ ଲାଗିଥିବା ଗହମ, ମକା ଏବଂ ପନିପରିବା ଫସଲ ନଷ୍ଟ ହୋଇଯାଇଥିଲା | ତେବେ ଯେଉଁ ଚାଷୀଙ୍କ ଫସଲ ନଷ୍ଟ ହୋଇଛି ସେମାନେ ଅଭିଯୋଗ କରିଛନ୍ତି ଯେ ଜିଲ୍ଲା ପ୍ରଶାସନ ଚାହିଁଥିଲେ ସେମାନଙ୍କ ଫସଲ ନଷ୍ଟ ହୋଇନଥାନ୍ତା | କାରଣ ପାଖରେ ଏକ ବିଦ୍ୟାଳୟ ପଡିଆ ଥିବାବେଳେ ସେଠାରେ ହେଲିପ୍ୟାଡ଼ କରାଯାଇପାରିଥାନ୍ତା | କିନ୍ତୁ ସ୍କୁଲ ପଡିଆରେ ହେଲିପ୍ୟାଡ଼ ନିର୍ମାଣ ହୋଇଥିଲେ ମୁଖ୍ୟମନ୍ତ୍ରୀଙ୍କୁ କାର ଯୋଗେ ଗୁଆରିଡିହ ପ୍ରତ୍ନତାତ୍ତ୍ୱିକ ସ୍ଥଳୀ ଆସିବାକୁ ପଡିଥାନ୍ତା |
ଆଉ ବିଦ୍ୟାଳୟ ପଡିଆଠାରୁ ଗୁଆରିଡିହ ପ୍ରତ୍ନତାତ୍ତ୍ୱିକ ସ୍ଥଳୀକୁ ଯିବା ରାସ୍ତା ଦୀର୍ଘଦିନ ଧରି ଖରାପ ଥିବାବେଳେ କାଳେ ମୁଖ୍ୟମନ୍ତ୍ରୀଙ୍କ ନଜରରେ ଏହା ପଡ଼ିଯିବ, ସେହି ଭୟରେ ଅଧିକାରୀମାନେ ଚାଷ ଜମି ପାଖରେ ଅସ୍ଥାୟୀ ହେଲିପ୍ୟାଡ଼ ନିର୍ମାଣ କରାଇଥିଲେ | ଅନ୍ୟପଟେ ଏହି ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ କୃଷକମାନଙ୍କୁ ଫସଲ କ୍ଷୟକ୍ଷତି ପାଇଁ କ୍ଷତିପୂରଣ ଦିଆଯିବ ବୋଲି କହାଯାଇଛି । ଫସଲ ନଷ୍ଟ ହୋଇଥିବା ଯୋଗୁଁ ଜିଲ୍ଲାପାଳ ସ୍ଥାନୀୟ ଅଧିକାରୀମାନଙ୍କୁ କ୍ଷୟକ୍ଷତିର ଆକଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି |
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/helicopter.jpg)