ଦୁଃଖ ଦେଇଗଲା ଜୱାଦ । ଗଞ୍ଜାମ ପାତ୍ରପୁରରେ କୀଟନାଶକ ପିଇ ଆତ୍ମହତ୍ୟା କଲେ ଚାଷୀ । ଉପକୂଳ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି 

125

କନକ ବ୍ୟୁରୋ: ବାତ୍ୟା ଜୱାଦ ସମୁଦ୍ର ଭିତରେ ଦୁର୍ବଳ ହୋଇ ଚାଲିଗଲା, ହେଲେ ତା ପ୍ରଭାବରେ ଯେଉଁ ବର୍ଷା ହେଲା, ତାହା ଚାଷୀ ମୁଣ୍ଡରେ ଚଡକ ପକାଇଛି । ଜମିରେ ଜମି ରହିଛି ଆଣ୍ଟୁଏ ଉଚ୍ଚର ପାଣି । ପାଣିରେ ବୁଡି ରହିଛି ପାଚିଲା ଧାନ, ପରିବା କିଆରିରେ ବି ପାଣି ଜମିଛି । ବର୍ଷକର ଝାଳବୁହା ପରିଶ୍ରମ ଆଖି ଆଗରେ ଉଜୁଡି ଯିବା ଦେଖି ନିଜକୁ ସମ୍ଭାଳି ପାରୁନି ଚାଷୀ । ଏପରିକି ଦିଗପହଁଣ୍ଡିରେ ଫସଲ ଉଜୁଡି ଯିବା କାରଣରୁ ଜଣେ ଚାଷୀ ବିଷ ପିଇ ଦେଇଥିବା ଅଭିଯୋଗ ହୋଇଛି ।

ଚିର ନିଦ୍ରାରେ ଶୋଇଯାଇଛି ଚାଷୀ । ଭାଗଚାଷ କରିଥିବା ବର୍ଷକର ଫସଲ ଲଗାଣ ବର୍ଷାରେ ନଷ୍ଟ ହୋଇଗଲା । ଆଗକୁ କେମିତି ଚଳିବେ, କେମିତି ଚାଷ ପାଇଁ ଆଣିଥିବା ଋଣ ଶୁଝିବ? ସେହି ଚିନ୍ତାରେ ଗଞ୍ଜାମ ପାତ୍ରପୁର ଅଞ୍ଚଳର କୈଳାସ ଶବର କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଲଗାଣ ବର୍ଷାରେ ଉପକୂଳ ଓଡ଼ିଶାର ଚାଷୀଙ୍କ ଦୁଃଖ ଯେତିକି ବଢ଼ାଇଛି, ସେତିକି ଅସନ୍ତୋଷ ସୃଷ୍ଟି କରିଛି । ଖଲିକୋଟ ଅନ୍ତର୍ଗତ ଦାନପୁର ପଞ୍ଚାୟତର ଦେଉଳପଲ୍ଲୀ ଓ କରଞ୍ଜରା ଗାଁରେ ଦେଖିବାକୁ ମିଳିଛି ଚାଷୀଙ୍କ କ୍ଷୋଭ । ସେପଟେ କାଦୁଅ ରାସ୍ତା, ଆଗରେ ଚାଷୀ, ତାଙ୍କ ପଛରେ ଚାଲିଛନ୍ତି ଖଲ୍ଲିକୋଟ ତହସିଲଦାର । ୫କିଲୋମିଟରରୁ ଅଧିକ ରାସ୍ତା ପାଦରେ ଚାଲି ଚାଲି ବର୍ଷା ଜନିତ ଫସଲ କ୍ଷୟକ୍ଷତି ଆକଳନ କରିଛନ୍ତି ତହସିଲଦାର ରାଜକିଶୋର ପଟ୍ଟନାୟକ ।

ବାତ୍ୟା ଜୱାଦ ଜନିତ ଲଗାଣ ବର୍ଷା ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଛି । ପୁରୀ, ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, ଯାଜପୁର ଜଗତସିଂପୁର, କେନ୍ଦୁଝର ଓ ରାୟଗଡା ଆଦି ଜିଲ୍ଲାର ତଳିଆ ଅଞ୍ଚଳରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଜମିରେ ପାଣି ଜମିଥିବାରୁ ଧାନ ଗଛ ଶୋଇଯାଇଛି । କେଉଁଠି ପାଣି ଧାନରେ ବୁଡିଛି, କେଉଁଠି ପାଣିରେ ଭାସୁଛି, ପୁଣି କେଉଁଠି ବିଲ କାଦୁଅରେ ପାଚିଲା ଧାନ ପୋତି ହୋଇଯାଇଛି । ପାଣିରେ ରହି ଧାନକେଣ୍ଡା ପଚିିବା ଆରମ୍ଭ କଲାଣି । ଏପରି ସ୍ଥିତିରେ କେମିତ ଧାନ ଅମଳ କରିବ, ବାଟ ପାଉନାହିଁ ଚାଷୀ ।

ଅନ୍ୟପଟେ ଓୟୁଏଟି ବୈଜ୍ଞାନିକ ତୁଷାର ରଞ୍ଜନ ମହାନ୍ତି ଚାଷୀଙ୍କୁ ପରାମର୍ଶ ଦେଇ କହିଛନ୍ତି 

  • ଜମିରେ ପାଣି ରହିଲେ ଧାନ ନଷ୍ଟ ହେବା ସମ୍ଭାବନା ଅଧିକ
  • ଜଳ ନିଷ୍କାସନ କରି ଧାନକୁ ୩ ଦିନ ଟାଣ ଖରାରେ ଶୁଖାନ୍ତୁ
  • ଜମି ଆର୍ଦ ଥିବାରୁ ରବି ଫସଲ ମୁଗ, ବିରି, ଚଣା. ପରିବା ଚାଷ କରନ୍ତୁ

ସେପଟେ ବିଧାନସଭାରେ ବର୍ଷା ଜନିତ କ୍ଷୟକ୍ଷତିକୁ ଆକଳନ କରି ଚାଷୀଙ୍କୁ ତୁରନ୍ତ ସହାୟତା ଦେବାକୁ ଦାବି କରିଛନ୍ତି  ବିରୋଧୀ । ଏନେଇ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ କ୍ଷୟକ୍ଷତି ଜନିତ ରିପୋର୍ଟ ମଗାଯାଇଥିବା କହିଛନ୍ତି ରାଜସ୍ୱମନ୍ତ୍ରୀ ସୁଦାମ ମାର୍ଣ୍ଡି ।