କନକ ବ୍ୟୁରୋ : ରେଳ ବାଇ ଦେଶର ସମ୍ପତ୍ତି ଓ ସମସ୍ତ ଟ୍ରେନର ମାଲିକ ହେଉଛନ୍ତି ସରକାର । କିନ୍ତୁ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ଯେ ଜଣେ ଚାଷୀଙ୍କ ମାଲିକାନାରେ ଚାଲିଛି ଦେଶର ଏକ ଟ୍ରେନ  । ଯାହାକୁ ଭାରତର ପ୍ରଥମ ଘରୋଇ ଟ୍ରେନ୍ ବୋଲି କୁହାଯାଏ । ବିଶ୍ୱାସ ହେଉନି ନାଁ । କିନ୍ତୁ ଏହା ସତ । ତେବେ ରେଲୱେ ନାଁ ଶୁଣିବାମାତ୍ରେ ଆପଣଙ୍କ ମନରେ ପ୍ରଶ୍ନ ଉଠିଥିବ ନିଶ୍ଚୟ କି କିଭଳି ଚାଷୀଙ୍କ ମାଲିକାନାକୁ ଚାଲିଗଲା ଏକ ଟ୍ରେନ । ପ୍ରାଇଭେଟ ଟ୍ରେନ କଥା କହିଲେ ଅନେକଙ୍କୁ ବିଶ୍ୱାସ ହୋଇନଥାଏ । କିନ୍ତୁ ରେଲୱେର ଗୋଟିଏ ଭୁଲ ପାଇଁ ଚାଷୀ ବନିଥିଲେ ଟ୍ରେନର ମାଲିକ  । ଆଉ ଆଜି ମଧ୍ୟ ଚାଷୀଙ୍କ ନାମରେ ଏକ ଟ୍ରେନ ଯାତ୍ରା କରୁଛି । ତେବେ ଏହି ଟ୍ରେନର ନାମ ହେଉଛି ସ୍ୱର୍ଣ୍ଣ ଶତାବ୍ଦୀ ଏକ୍ସପ୍ରେସ । ଯାହାର ନମ୍ବର ହେଉଛି ୧୨୦୩୦ । ସ୍ୱର୍ଣ୍ଣ ଶତାବ୍ଦୀ ଏକ୍ସପ୍ରେସ ଏବେ ଅମୃତସର ଏବଂ ନୂଆଦିଲ୍ଲୀ ମଧ୍ୟରେ ଚାଲିଛି । ତେବେ ଆସନ୍ତୁ ଜାଣିବା ଏହି ଟ୍ରେନଟି କିଭଳି ଜଣେ ଚାଷୀଙ୍କ ନାମରେ ହେଲା ।

ଲୁଧିଆନା ଚଣ୍ଡିଗଡ଼ ରେଳ ଲାଇନ ନିର୍ମାଣ ସମୟରେ ଅଥବା ୨୦୦୭ ମସିହାରେ ଜଣେ ଚାଷୀଙ୍କ ଜମି ଅଧିଗ୍ରହଣ କରାଯାଇଥିଲା । ତାଙ୍କ ବିନା ଅନୁମତିରେ ରେଲୱେ ଚାଷୀଙ୍କ ଜମିରେ ଟ୍ରାକ ବିଛାଇଥିଲା । ବାସ୍ତବରେ କିନ୍ତୁ ତାଙ୍କୁ ଉଚିତ କ୍ଷତିପୂରଣ ଦିଆଯାଇନଥିଲା । ତେବେ ପଞ୍ଜାବର ଏହି ଚାଷୀଙ୍କ ନାମ ହେଉଛି ସମ୍ପୂର୍ଣ୍ଣ ସିଂ । ସେ କ୍ଷତିପୂରଣ ପାଇଁ କୋର୍ଟରେ ଏକ ମାମଲା ଦାୟର କରିଥିଲେ । ୨୦୦୭ ମସିହାରେ ସେ ରେଲୱେ ନାମରେ ଏକ କ୍ଷତିପୂରଣ ମାମଲା ଦାୟର କରିଥିଲେ । ୫ ବର୍ଷ ପରେ ଅର୍ଥାତ ୨୦୧୨ ମସିହାରେ ସମ୍ପୂର୍ଣ୍ଣ ସିଂଙ୍କ ବିଜୟ ହୋଇଥିଲା । ପରେ କୋର୍ଟ ୧.୦୫ କୋଟି ଟଙ୍କାର କ୍ଷତିପୂରଣ ଦେବାକୁ କହିଥିଲେ । କିନ୍ତୁ ରେଳବାଇ ଏହି କ୍ଷତିପୂରଣ ରାଶି ସମ୍ପୂର୍ଣ୍ଣଙ୍କୁ ଦେଇନଥିଲା ।

ପରେ ୨୦୧୫ ମସିହାରେ ଜିଲ୍ଲା ତଥା ସେସନ୍ ଜଜ ଜସପାଲ ବର୍ମାଙ୍କ ଅଦାଲତ ଲୁଧିଆନା ଷ୍ଟେସନରେ ଥିବା ଟ୍ରେନ ନମ୍ବର ୧୨୦୩୦ ସ୍ୱର୍ଣ୍ଣ ଶତାବ୍ଦୀକୁ ଟ୍ରେନକୁ ସମ୍ପୂର୍ଣ୍ଣଙ୍କ ନାମରେ କରି ଦେଇଥିଲେ । ଆଉ ଏଥିରୁ ଯାହା ରୋଜଗାର ହେଉଛି ସେ ଟଙ୍କା ସେ ପାଉଛନ୍ତି । ଯଦିଓ ଆଜି ପର୍ଯ୍ୟନ୍ତ ଏହି ମାମଲା କୋର୍ଟରେ ବିଚାରାଧିନ ରହିଛି ତଥାପି ସମ୍ପୂର୍ଣ୍ଣ ସ୍ୱର୍ଣ୍ଣ ଶତାଦ୍ଧୀ ଟ୍ରେନର ମାଲିକ ବୋଲି କୁହାଯାଉଛି । ଏହି ଟ୍ରେନଟି ଏବେ ଅମୃତସରରୁ ନୂଆଦିଲ୍ଲୀ ଯାତ୍ରା କରୁଛି ।