କନକ ବ୍ୟୁରୋ: ଏବେ ବଜାରରେ ଟମୋଟୋ ଦର ଶୁଣିଲେ ଡର ଲାଗୁଛି । ଟମାଟୋ କିଣି ବେପାର କରିବାକୁ ବି ଡରୁଛନ୍ତି ବେପାରୀ । ଏଭଳି ସମୟରେ କର୍ଣ୍ଣାଟକରୁ ଆସିଛି ଏକ ଅଜବ ଖବର । ଏଠିକାର ଜଣେ ମହିଳା ଚାଷୀଙ୍କ ବିଲରୁ ଲକ୍ଷଲକ୍ଷ ଟଙ୍କାର ଟମାଟୋ ଚୋରୀ କରିନେଇଛନ୍ତି ଚୋର । ଫଳରେ ମହିଳା ଜଣକ ଦୁଃଖରେ ଭାଙ୍ଗିପଡିଛନ୍ତି । ଜୁଲାଇ ୪ ତାରିଖ ରାତିରେ ହାସନ ଜିଲ୍ଲାରେ ଥିବା ତାଙ୍କ ଚାଷ ଜମିରୁ ଅଢ଼େଇ ଲକ୍ଷ ଟଙ୍କାର ଟମାଟୋ ଚୋରି ହୋଇଥିବା ଚାଷୀ ଅଭିଯୋଗ କରିବା ପରେ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡିଛି ।

Advertisment

ସୂଚନା ମୁତାବକ, ହସନ୍‌ ଜିଲ୍ଲା ବେଲୁର ତାଲୁକ ଅନ୍ତର୍ଗତ ଗୋନି ସୋମାନାହାଲ୍ଲୀ ଗ୍ରାମର ମହିଳା ଚାଷୀ ହେଉଛନ୍ତି ଧାରିଣୀ । ସେ ୨ ଏକର ଜମିରେ ଟମାଟୋ ଚାଷ କରିଥିଲେ । ଖୁବ୍ ଶୀଘ୍ର ଏହାକୁ ବଜାରରେ ବିକ୍ରି କରିବାର ଯୋଜନା ମଧ୍ୟ କରିଥିଲେ ।ହେଲେ ତା’ ପୂର୍ବରୁ ପାଖାପାଖି ୬୦ ବସ୍ତା ଟମାଟୋ ଚୋରାଇ ନେଇଗଲେ ଚୋର । ଯାହାର ଆନୁମାନିକ ମୂଲ୍ୟ ଅଢେଇ ଲଏକ୍ଷ ଟଙ୍କାରୁ ଅଧିକ ହେବ ବୋଲି କହିଛନ୍ତି ଧାରିଣୀ ।

ଏହା ପୂର୍ବରୁ ବିନ୍ ଚାଷରେ କ୍ଷତି ସହିଥିବାବେଳେ ଏବେ ଟମାଟୋ ଦର ଭଲ ଥିବାରୁ କିଛି ଲାଭ ହେବ ବୋଲି ଭାବିଥିଲେ । ହେଲେ ଚୋର ଦାଉ ସାଧିଲେ । ତାଙ୍କ ପେଟପାଟଣାକୁ ମାରିଦେଲେ । କାନ୍ଦି କାନ୍ଦି ଏଭଳି କହିବା ସହ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଧାରିଣୀ ।ଏନେଇ ହାଲେବିଡୁ ଥାନାରେ ଅଭିଯୋଗ ହୋଇଥିବା ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।