ସଂଯୁକ୍ତ କିଷାନ ମୋର୍ଚ୍ଚାର ଘୋଷଣା, ଆନ୍ଦୋଳନର ବର୍ଷପୂର୍ତ୍ତି ଅବସରରେ ଟ୍ରାକ୍ଟର ସହ ସଂସଦ ମାର୍ଚ୍ଚ

69

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ବିରୋଧ କରି କୃଷକମାନେ ଧାରଣାରେ ବସିଛନ୍ତି । ବାରମ୍ବାର ସରକାରଙ୍କ ସହ ଆଲୋଚନା ବିଫଳ ହେଉଛି ତ ଆନ୍ଦୋଳନ ସ୍ଥଳଗୁଡିକରେ ବାରମ୍ବାର ଅଘଟଣ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ୬୦୦ ରୁ ଅଧିକ ଆନ୍ଦୋଳନରତ କୃଷକ ମୃତ୍ୟୁବରଣ କରିସାରିଲେଣି । ହେଲେ ନା ସରକାର ତାଙ୍କ ଜିଦରୁ ବାହାରୁଛନ୍ତି ନା କୃଷି ଆଇନକୁ ଗ୍ରହଣ କରିବାକୁ କୃଷକମାନେ ପ୍ରସ୍ତୁତ ହେଉଛନ୍ତି । ଏହାରି ଭିତରେ କୃଷକ ଆନ୍ଦୋଳନକୁ ଗୋଟିଏ ବର୍ଷ ପୁରିବାକୁ ଯାଉଛି । ଏହି ଅବସରରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପୁଣି ସଂସଦ ମାର୍ଚ୍ଚ କରିବାକୁ ଘୋଷଣା କରିଛି । ଘୋଷଣା ମୁତାବକ ଆନ୍ଦୋଳନକୁ ଏକ ବର୍ଷ ପୂରଣ ଅବସରରେ ୫୦୦ କୃଷକ ଟ୍ରାକ୍ଟର ସହ ସଂସଦ ମାର୍ଚ୍ଚ କରିବେ ବୋଲି କୁହାଯାଇଛି । ନଭେମ୍ବର ୨୯ ତାରିଖରେ ଆନ୍ଦୋଳନକୁ ୧ ବର୍ଷ ପୂରଣ ହେଉଥିବାରୁ ଏହି ଦିନ ସଂସଦ ମାର୍ଚ୍ଚ କରାଯିବ ବୋଲି ସଂଗଠନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

କହିରଖୁ କି କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ବିରୋଧ କରି ଦେଶର ଅନେକ କୃଷକ ସଂଗଠନ ୨୦୨୦ ନଭେମ୍ବର ୨୯ ତାରିଖ ଠାରୁ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି । ଏହି କ୍ରମରେ ୨୦୨୦ ଅଗଷ୍ଟ ୧୫ ତାରିଖରେ କୃଷକମାନେ ଟ୍ରାକ୍ଟର ରାଲି କରି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ । ସେଦିନର ସ୍ଥିତିକୁ ଦେଖିଥିବା ଲୋକମାନେ ଏବେ ପୁଣି ସଂସଦ ମାର୍ଚ୍ଚ କଥା ଶୁଣି ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ    । ହେଲେ ସରକାର କିମ୍ବା କେନ୍ଦ୍ର କୃଷିମନ୍ତ୍ରୀ ଏନେଇ କିଛି ବୟାନ ରଖି ନାହାଁନ୍ତି ।