କୃଷକ ଆନ୍ଦୋଳନ : ଆଗାମୀ ରଣନୀତି ନେଇ କାଲି ବି ହେବ ବୈଠକ, ଏହି ମୁଦ୍ଦା ଉପରେ ଆଜି ହେଲା ଆଲୋଚନା

132

କନକ ବ୍ୟୁରୋ : ସଂଯୁକ୍ତ କିଷାନ ମୋର୍ଚ୍ଚାର ବୈଠକରେ ଆଜି ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା ହୋଇଛି । ଏହାସହ ବୈଠକରେ ହୋଇଥିବା ନିଷ୍ପତ୍ତି ମୁତାବକ ଆସନ୍ତା କାଲି ୪୨ ଟି କୃଷକ ସଂଗଠନ ସହ ବୈଠକ ଅନୁଷ୍ଠିତ ହେବ । ଆସନ୍ତା କାଲି ବୈଠକ ପରେ କୃଷକମାନଙ୍କର ଆଗାମୀ ରଣନୀତି କଣ ରହିବ ସେ ନେଇ ଘୋଷଣା କରାଯିବ । କହିରଖୁ କି ଶୁକ୍ରବାର ଦିନ ୩ କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କୁହାଯାଇଥିଲା କି ଏବେ ବି ସେମାନଙ୍କର ଲଢେଇ ସାମପ୍ତ ହୋଇନାହିଁ । ଏହାସହ ଯେପର୍ଯ୍ୟନ୍ତ ଏମଏସପିକୁ ସରକାର ଆଇନ ସିଦ୍ଧ କରିନାହାଁନ୍ତି ଆନ୍ଦୋଳନ ଜାରି ରହିବ ବୋଲି କିଷାନ ମୋର୍ଚ୍ଚା ପକ୍ଷରୁ କୁହାଯାଇଥିଲା ।

ଆଜିର ବୈଠକରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ମୋଦୀ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରାଯାଇଥିଲା । ଏହାସହ ଗୋଟିଏ ବର୍ଷ ଆନ୍ଦୋଳନ ଭିତରେ ୭୦୦ କୃଷକଙ୍କ ମୃତ୍ୟୁକୁ ନେଇ ସଂଗଠନ ସରକାରଙ୍କୁ ଦୋଷୀ ବୋଲି କହିଛି । ଏହାସହ ଲଖିମପୁର ଠାରେ କୃଷକମାନଙ୍କ ହତ୍ୟାକୁ କେନ୍ଦ୍ର ସରକାରଙ୍କ ଅହଂକାର ବୋଲି କହିଛି ସଂଗଠନ । ମୋର୍ଚ୍ଚା ତରଫରୁ ଲଖିମପୁର ହିଂସା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଇସ୍ତଫା ଦାବି କରିଛି    । କୃଷକ ନେତା ଗୁରନାମ ସିଂ ଚଢୁନି କହିଛନ୍ତି କି ଏମଏସପି, କୃଷକଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଓ ମୃତ କୃଷକଙ୍କ ପରିବାରକୁ ସହାୟତା ନେଇ ଆସନ୍ତା କାଲି ଆଲୋଚନା କରାଯିବ ।

ସେପଟେ ସଂଯୁକ୍ତ କିଷାନ ମୋର୍ଚ୍ଚାର ସଦସ୍ୟ ଋଷି ପାଲ ଅମ୍ବାବତ କହିଛନ୍ତି କି, ଲଖିମପୁର ଠାରେ ଯେଭଳି କୃଷକମାନଙ୍କୁ ହତ୍ୟା କରାଗଲା ଏହା ଭୁଲିବା ସମ୍ଭବ ନୁହେଁ । ଏହି ମାମଲାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ବରଖାସ୍ତ ଦାବିରେ ନଭେମ୍ବର ୨୨ ତାରିଖରେ ଲକ୍ଷ୍ନୌ ଠାରେ ଆନ୍ଦୋଳନ ହେବ । ଏହାସହ ଯେପର୍ଯ୍ୟନ୍ତ କୃଷକ ମାନଙ୍କର ସମସ୍ତ ଦାବି ପୂରଣ ହୋଇନାହିଁ ସେପର୍ଯ୍ୟନ୍ତ ୫ ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନରେ ସଂଯୁକ୍ତ କିଷାନ ମୋର୍ଚ୍ଚା ବିଜେପି ପ୍ରାର୍ଥୀଙ୍କ ବିରୋଧରେ ପ୍ରଚାର ଜାରି ରଖିବ ।