‘ମହୁ ଠାରୁ ମିଠା କଥା କହୁଛନ୍ତି ମୋଦୀ, ହେଲେ ଭରସା ପାଉନି’:  ଏମିତି କାହିଁକି କହିଲେ ଟିକାୟତ?

223

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କୁ ଏତେ ମିଠା ହେବା ଉଚିତ ନୁହେଁ । ୭୫୦ ଜଣ କୃଷକ ସହିଦ ହେଲେ, ୧୦ ହଜାର ମାମଲା ଦାଏର ହେଲା । ଏତେ ସବୁ ପରେ ବି ବିନା ଆଲୋଚନାରେ ଚାଷୀ କିପରି ଆନ୍ଦୋଳରୁ ହଟିଯିବେ? ପ୍ରଧାନମନ୍ତ୍ରୀ ଏତେ ମିଠି କହୁଛନ୍ତି ଯେ ତାଙ୍କ ଉପରେ ଚାଷୀଙ୍କର ଟିକିଏ ବି ଭରସା ପାଉନି ।ନୂଆ କୃଷି ଅଇନକୁ ପ୍ରତ୍ୟାହର କରିବାକୁ ଖୋଦ୍ ପ୍ରଧାନମନ୍ତ୍ରୀ କହିବା ପରେ ଉପରୋକ୍ତ ଚାଷୀଙ୍କ ମନ କଥାକୁ ଏପରି ବୟାନ କରିଛନ୍ତି ଚାଷୀ ନେତା ରାକେଶ ଟିକାୟତ ।

ପ୍ରଧାନମନ୍ତ୍ରୀ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିବା ପରେ ଏବେ ବଡ ପ୍ରଶ୍ନ ହେଉଛି ଦୀର୍ଘ ଦିନ ହେବ ଆନ୍ଦାଳନରେ ଥିବା ଚାଷୀ ଓହରିବେ କି ନାହିଁ । ଟିକାୟତଙ୍କ କହିବା କଥା ହେଉଛି । ମୋଦୀ କେବଳ ଗଣମାଧ୍ୟମରେ ଏହା ଘୋଷଣା କରିଛନ୍ତି ।ହେଲେ ଯଦି ଚାଷୀ ଧାରଣାରୁ ଓହରି ଚାଲିଯାନ୍ତି ଆଉ ଆଗକୁ ଆଲୋଚନା ପାଇଁ ଆବଶ୍ୟକ ପଡେ ତେବେ କାହା ସହ ଆଲୋଚନା କରିବେ । ଏନେଇ ଚାଷୀଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା ନକରିବା ଯାଏଁ ବା କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ବିଦ୍ଧିବଦ୍ଧ ଭାବେ ସୁନିଶ୍ଚିତ ନକରିବା ଯାଏଁ ଚାଷୀ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଟିକାୟତ କହିଛନ୍ତି ।

ଚାଷୀଙ୍କ ସହ ଆଲୋଚନା କରି ଫସଲର ଉଚିତ ମୂଲ୍ୟ ନିର୍ଦ୍ଧାରଣ ଓ ଏକ ଚାଷୀଙ୍କୁ ସୁହାଇଲା ଭଳି ଏକ ନିର୍ଦ୍ଧାରିତ ଆଇନ ନକରି କିପରି ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିନେବାକୁ କହିଦେଲେ ସେ ନେଇ ସନ୍ଦେହ ସୃଷ୍ଟି ହେଉଛି । ଏହାସହ ମୋଦୀ ଏନେଇ କୌଣସି ନେତା ବୃନ୍ଦଙ୍କ ସହ ଆଲୋଚନା ନକରି ଆପେ ନିଷ୍ପତ୍ତି ନେଇଥିବା ମନେହୁଏ ତେଣୁ ମୋଦୀଙ୍କ ଏପରି ମିଠା ମିଠା କଥାରେ ବିଶ୍ୱାସ କରିବା ଚାଷୀଙ୍କ ପାଇଁ ସମ୍ଭବ ନୁହେଁ ବୋଲି ଟିକରାୟତ ଗଣମାଧ୍ୟମରେ କହିଛନ୍ତି ।

ତିନି କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଆଗାମୀ ସଂସଦ ଅଧିବେସନରେ ସାମ୍ବିଧାନିକ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଦେଶକୁ ଉଦବୋଧନ ଦେଇ କହିଛନ୍ତି । ପାଖାପାଖି ବର୍ଷେ ଧରି ସଂସଦରୁ ସଡକ ଯାଏଁ ଚାଲିଥିବା ଏହି ଆନ୍ଦୋଳନ, କେନ୍ଦ୍ର ସରକାରଙ୍କୁ ମାତ୍ରାଧିକ ଚାପଗ୍ରସ୍ତ କରିଥିବା କୁହାଯାଉଛି । ଆଉ ଶେଷରେ ସ୍ଥିତି ଏମିତି ହେଲା ଯେ, ଚାଷୀଙ୍କୁ ଆଇନ ବାବଦରେ ବୁଝାଇ ପାରିନଥିବା ଉଲ୍ଲେଖ କରି ତିନୋଟି ଯାକ ଆଇନକୁ ପ୍ରତ୍ୟାହାର କରିନିଆଗଲା ।

ଯେଉଁ ଆଇନ ଲାଗୁ କରିବା ପାଇଁ ନଛୋଡ଼ବନ୍ଦା ଥିଲେ ମୋଦୀ ସରକାର, ଯାହାକୁ ନେଇ ପ୍ରାୟ ୧ ବର୍ଷ କାଳ ଦିଲ୍ଲୀରେ ଅଚଳବସ୍ଥା ସୃଷ୍ଟି ହୋଇଥିଲା, ବିବାଦରେ ଛନ୍ଦି ହୋଇ ପଡିଥିବା ସେହି ଆଇନକୁ ଅତି ଅପ୍ରତ୍ୟାଶିତ ଭାବେ ଫେରାଇ ନେବା ପାଇଁ ଘୋଷଣା କରିଛନ୍ତି ମୋଦୀ । ତେବେ ନୂଆ କୃଷି ଆଇନ ସପକ୍ଷରେ ଦୃଢ଼ ଯୁକ୍ତି ବାଢ଼ିବା ସହ ପ୍ରଧାନମନ୍ତ୍ରୀ କହିଛନ୍ତି ଚାଷୀଙ୍କ ଉନ୍ନତି ପାଇଁ ଅତି ନିଷ୍ଠାର ସହ ଏହି ଆଇନ ଅଣା ଯାଇଥିଲା, ତେବେ କିଛି ଚାଷୀଙ୍କୁ ଆଇନର ସୁଫଳ ସଂପର୍କରେ ବୁଝାଇ ହେଲାନାହିଁ ।

ନୂଆ କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିବା ପରେ ଆନ୍ଦୋଳନରତ କୃଷକଙ୍କୁ ଘରକୁ ଫେରିଯିବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ।ହେଲେ ଟିକାୟତଙ୍କ ଏହି ମନ୍ତବ୍ୟ ପରେ ମୋଦୀଙ୍କ କଥା ରହିବ କି ନାହିଁ ତାହା ଏବେ ବଡ ସମସ୍ୟା ।