କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା କୃଷି ଆଇନ ବିରୋଧରେ ଆନ୍ଦୋଳନର ନେତୃତ୍ୱ ନେଉଥିବା ସଂଯୁକ୍ତ କିଷାନ ମୋର୍ଚ୍ଚାର କୋର କମିଟି ବୈଠକ ଆରମ୍ଭ ହୋଇଛି । ଏହି ମୋର୍ଚ୍ଚାର କୃଷକଙ୍କର ୪୨ ଟି ସଂଗଠନ ସାମିଲ ରହିଛି । ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ତିନି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିବା ପରେ ଦିଲ୍ଲୀ-ହରିଆଣା ସୀମା ସିଂଘୁ ବୋର୍ଡରରେ ଏନେଇ ଆଗାମୀ ରଣନୀତି କ’ଣ ରହିବ ତା ଉପରେ ଆଲୋଚନା ହେଉଛି । ଏହି ଆଲୋଚନାରେ ମୁଖ୍ୟତ ଏମଏସପିକୁ ଆଇନ ପରିସରଭୂକ୍ତ କରିବା ଦାବି ଉପରେ ଚର୍ଚ୍ଚା ହେଉଥିବା ଜଣାପଡିଛି ।

Advertisment

ସିଂଘୁ ସୀମାରେ ଚାଲିଥିବା ବୈଠକରେ କିଷାନ ମୋର୍ଚ୍ଚାର ପ୍ରମୁଖ ୯ ନେତା ଯୋଗ ଦେଇଛନ୍ତି । ଏହାପରେ ପଞ୍ଜାବ କୃଷକ ସଂଗଠନ ସହ ଏହି କମିଟି ସୋମବାର ଦିନ ବୈଠକ କରିବ । ଏହାପରେ କୃଷକ ନେତା ସ୍ପଷ୍ଟ କରିବେ କି ଆନ୍ଦୋଳନର ଆଗାମୀ ରୂପରେଖ କଣ ରହିବ ଓ ଦିଲ୍ଲୀ ସୀମାରେ ଏକବର୍ଷ ହେବ ଆନ୍ଦୋଳନରେ ବସିଥିବା କୃଷକମାନେ କେବେ ଘରକୁ ଫେରିବେ ।

ବୈଠକ ପୂର୍ବରୁ ସ୍ୱରାଜ ଇଣ୍ଡିଆର ଅଧ୍ୟକ୍ଷ ଯୋଗେନ୍ଦ୍ର ଯାଦବ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି କି ଆଜି କେବଳ ସଂଯୁକ୍ତ କିଷାନ ମୋର୍ଚ୍ଚାର କୋର କମିଟି ବୈଠକ ହେବ ଓ ଆସନ୍ତା କାଲି ୪୨ କିଷାନ ସଂଗଠନ ସହ ଏକ ବଡ ବୈଠକ ଅନୁଷ୍ଠିତ ହେବ ।

କହିରଖୁ କି କୃଷକମାନେ ଆନ୍ଦୋଳନ ଆରମ୍ଭରୁ ସରକାରଙ୍କ ପାଖରେ ଅନେକ ପ୍ରସ୍ତାବ ରଖିଛନ୍ତି । କୃଷି ଆଇନ ପ୍ରତ୍ୟାହାର, ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନସିଦ୍ଧ, ନୂଅ ଶ୍ରମକୋର୍ଡ ବାତିଲ । ହେଲେ ପ୍ରଧାନମନ୍ତ୍ରୀ କେବଳ କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିଥିବା ବେଳେ ଅନ୍ୟ ଦାବି ଉପରେ କିଛି ସ୍ପଷ୍ଟ କରିନାହାଁନ୍ତି । ତେଣୁ କୃଷକମାନେ ଆନ୍ଦୋଳନ ଜାରି ରଖିପାରନ୍ତି ବୋଲି ଅନୁମାନ କରାଯାଉଛି ।