ଆଜି କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ : ନୂଆ କୃଷି ଆଇନ ପ୍ରତ୍ୟାହାର ନେଇ ଲାଗିବ ମୋହର

ସେପଟେ ୬ ଦଫା ଦାବି ପୂରଣ ପାଇଁ ଚିଠି ଲେଖିଛି କୃଷକ ସଂଗଠନ

165

କନକ ବ୍ୟୁରୋ : ଆଜି କେନ୍ଦ୍ର କ୍ୟାବିନେଟ ବୈଠକ ବସିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ଅନେକ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୋହର ବାଜିବ । ଯେଉଁଥିରେ ରଦ୍ଦ ହେବାକୁ ଥିବା ତିନି କୃଷି ଆଇନ୍ ରହିଛି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ତିନି କୃଷି ଆଇନ ରଦ୍ଦ ହେବ ବୋଲି ଘୋଷଣା କରିଥିଲେ । ଏହାପରେ ସାମ୍ବିଧାନିକ ପ୍ରକ୍ରିୟା ଅନୁଯାୟୀ ଆଜି ପ୍ରଥମ ପ୍ରକ୍ରିୟା ।

କ୍ୟାବିନେଟ ମୋହର ବାଜିବା ପରେ ସଂସଦରେ ଏ ନେଇ ପ୍ରସ୍ତାବ ଆଗତ ହେବ । ଏହାପରେ ତିନି କୃଷି ଆଇନ ରଦ୍ଦ ହେବ । ଏହା ପରେ ଦିଲ୍ଲୀ ସୀମାରେ ବସିଥିବା ଚାଷୀ ମାନେ ଆନ୍ଦୋଳନରୁ ହଟିବେ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା କହିଛି । ୧୯ ନଭେମ୍ବରରେ ପ୍ରଧାନମନ୍ତ୍ରୀ ଆଇନ ରଦ୍ଦ ହେବ ବୋଲି ଘୋଷଣା କରିଥିଲେ । ଏଥିପାଇଁ ସେ ଦେଶବାସୀଙ୍କୁ କ୍ଷମା ମାଗିଥିଲେ । କିଛି ଚାଷୀଙ୍କୁ ତାଙ୍କ ସରକାର କୃଷି ଆଇନ ବାବଦରେ ବୁଝାଇବାରେ ବିଫଳ ହୋଇଛନ୍ତି । ତେଣୁ ବାଧ୍ୟ ହୋଇ ତାଙ୍କ ସରକାର ଭଲ କୃଷି ଆଇନ ତିଆରି କରିଥିଲେ ମଧ୍ୟ ବାଧ୍ୟ ହୋଇ ଏହାକୁ ପ୍ରତ୍ୟାହାର କରୁଛନ୍ତି ବୋଲି ମୋଦୀ ଘୋଷଣା କରିଥିଲେ ।