ତିନି କୃଷି ଆଇନ ପ୍ରତ୍ୟାହାର ନେଇ ୨୪ରେ ଲାଗିପାରେ କ୍ୟାବିନେଟ୍ ମୋହର । ଆନ୍ଦୋଳନ ପ୍ରତ୍ୟାହାର ନେଇ ୨୭ରେ ନିଷ୍ପତି ନେବେ ଚାଷୀ ସଂଗଠନ ।

126

କନକ ବ୍ୟୁରୋ : ତିନି କୃଷି ଆଇନ ରଦ୍ଦ ହେବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ଖୁବଶୀଘ୍ର ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ମୁଡରେ ଅଛନ୍ତି ମୋଦୀ ସରକାର । ନଭେମ୍ବର ୨୯ରେ ଶୀତକାଳୀନ ଅଧିବେଶନ ବସିବ । ଏହା ପୂର୍ବରୁ ଆସନ୍ତା ବୁଧବାର କେନ୍ଦ୍ର ସରକାର କ୍ୟାବିନେଟ ବୈଠକରେ କୃଷି ଆଇନ ପ୍ରତ୍ୟାହାର ନେଇ ମୋହର ମାରିବେ ବୋଲି ଜଣାପଡିଛି । ଆଗକୁ ବିଭିନ୍ନ ରାଜ୍ୟରେ ନିର୍ବାଚନ ରହିଛି । ଏହା ପୂର୍ବରୁ ଚାଷୀ ଓ ସରକାରଙ୍କ ମଧ୍ୟରେ ଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଚେଷ୍ଟା କରୁଛନ୍ତି ସରକାର ।

ସେପଟେ ସଂଯୁକ୍ତ କିଷାନ ମୋର୍ଚ୍ଚା କହିଛି ଆସନ୍ତା ୨୭ ତାରିଖରେ ଆନ୍ଦୋଳନର ଭବିଷ୍ୟତ ଉପରେ ନିଷ୍ପତ୍ତି ନିଆଯିବ । ତାଙ୍କର ମୁଖ୍ୟ ଦାବି ପୂରଣ ହୋଇଥିବାରୁ ଆଶା କରାଯାଉଛି ସେମାନେ ଆନ୍ଦୋଳନରୁ ଓହରିଯିବେ । କିନ୍ତୁ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି, ବିଦ୍ୟୁତ୍ ବିଲ୍ ଏବଂ ଚାଷୀଙ୍କ ଉପରୁ କେସ ପ୍ରତ୍ୟାହାର ଭଳି ଦାବି ଜାରି ରହିବ ।

୨୨ ନଭେମ୍ବର ଲକ୍ଷ୍ନୌରେ ମହାପଞ୍ଚାୟତ
୨୬ ନଭେମ୍ବର ଦିଲ୍ଲୀ ସୀମାରେ ଏକାଠି ହେବେ ଚାଷୀ
୨୭ ନଭେମ୍ବରରେ ଆନ୍ଦୋଳନ ନେଇ ନିଷ୍ପତ୍ତି

ଆନ୍ଦୋଳନକାରୀ ଚାଷୀ ସଂଗଠନର ନେତା ମାନେ ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । କିନ୍ତୁ ଅନ୍ୟ ଦାବି ନେଇ କିଭଳି ଆନ୍ଦୋଳନ କରିବେ ତା ଉପରେ ନିଷ୍ପତ୍ତି ନେବେ । ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତା ବଲବିର ସିଂ ରାଜେୱାଲ କହିଛନ୍ତି, ବାକି ଦାବି ଗୁଡିକ ଉପରେ ପ୍ରଧାନମନ୍ତ୍ରୀଙ୍କୁ ଖୋଲା ଚିଠି ଲେଖାଯିବ । ଏମଏସପି ନିର୍ଦ୍ଧାରଣ ପାଇଁ କମିଟି, ଏହାର ଅଧିକାର, କେତେ ସମୟ ଭିତରେ ରିପୋର୍ଟ, ଏହାଛଡା ବିଦ୍ୟୁତ ବିଲ୍ ଓ ଚାଷୀଙ୍କ ଉପରୁ କେସ ପ୍ରତ୍ୟାହାରକୁ ନେଇ ଏହି ଚିଠି ଲେଖାଯିବ । ଏହାଛଡା ଲଖିମପୁର ଖେରିରେ ଚାଷୀଙ୍କ ଉପରେ ଗାଡି ଚଢାଇଥିବା ଅଭିଯୁକ୍ତଙ୍କ ବାପା ତଥା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ବହିଷ୍କାର କରିବାକୁ ଦାବି କରାଯିବ ।