ପୈଗମ୍ବର ମହମ୍ମଦଙ୍କ ଉପରେ ଦେଇଥିବା ମନ୍ତବ୍ୟ ଯୋଗୁ ଯେତେବେଳେ ବିଜେପିର ପୂର୍ବତନ ମୁଖପାତ୍ର ନୁପୁର ଶର୍ମା କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ମଧ୍ୟ ସମାଲୋଚନାର ସମ୍ମୁଖୀନ ହୋଇଥିଲେ, ସେତେବେଳେ ଗ୍ରୀଟ୍ ବିଲଡର୍ସ ତାଙ୍କୁ ଖୋଲାଖୋଲି ଭାବେ ସମର୍ଥନ କରିଥିଲେ । ଜଣେ ସାଂସଦ ଭାବରେ ଗ୍ରୀଟ୍ ବିଲଡର୍ସ ଟ୍ୱିଟ୍ କରି କହିଥିଲେ ଯେ ଜଣେ ଭାରତୀୟ ନେତା ନୁପୁର ଶର୍ମା ମହମ୍ମଦଙ୍କ ବିଷୟରେ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ସତ୍ୟ ଅଟେ । ଏହି ବିବୃତ୍ତି ପରେ ବିବାଦ ଭିତରକୁ ଆସିଥିବା ଗ୍ରୀଟ୍ କହିଥିଲେ ଯେ ହଁ ସେ ଇସଲାମର ଆଦର୍ଶକୁ ପସନ୍ଦ କରନ୍ତି ନାହିଁ ।

Advertisment

ନେଦରଲ୍ୟାଣ୍ଡରେ ହେବାକୁ ଥିବା ସଂସଦୀୟ ନିର୍ବାଚନରେ ​​ଇସଲାମ ବିରୋଧୀ ଗ୍ରୀଟ୍ ବିଲଡର୍ସଙ୍କ ଦଳ ଏକ ବଡ଼ ବିଜୟ ହାସଲ କରିବ ବୋଲି ପୂର୍ବାନୁମାନ କରାଯାଇଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଏହା ଡଚ୍ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଭାବେ ବିବେଚନା କରାଯାଉଛି । ଗ୍ରୀଟ୍ ବିଲଡର୍ସ  ଖୋଲାଖୋଲି ଭାବେ ନୁପୁର ଶର୍ମାଙ୍କୁ ସମର୍ଥନ କରିଥିଲେ ।

ନେଦରଲ୍ୟାଣ୍ଡର ଜଣାଶୁଣା ଦକ୍ଷିଣପନ୍ଥୀ ନେତା ଗ୍ରୀଟ୍ ବିଲଡର୍ସ  ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ଏକଜିଟ୍ ପୋଲରେ ତାଙ୍କ ଦଳ ସର୍ବାଧିକ ଆସନ ପାଇବ ବୋଲି ଅନୁମାନ କରାଯାଉଛି । ପଲିଟିକୋ ରିପୋର୍ଟ ଅନୁଯାୟୀ, ସଂସଦର ୧୫୦ ଟି ସିଟ୍ ମଧ୍ୟରୁ ୩୫ ସିଟ ଜିତି  ଗ୍ରୀଟ୍ ବିଲଡର୍ସଙ୍କ ଫ୍ରିଡମ୍ ପାର୍ଟି (ପିଭିଭି) ସର୍ବ ବୃହତ ଦଳ ଭାବରେ ଉଭା ହେବାକୁ ଯାଉଛି । ଗତ ନିର୍ବାଚନରେ ତାଙ୍କ ଦଳ ମାତ୍ର ୧୭ ଟି ସିଟ ପାଇବାକୁ ସକ୍ଷମ ହେଇଥିଲା କିନ୍ତୁ ଏଥର କରାଯାଉଥିବା ପୂର୍ବାନୁମାନର ତାର ଦୁଇଗୁଣ ଅଟେ । ଏକ ସର୍ଭେରୁ ଜଣାପଡିଛି ଯେ ଫ୍ରାନ୍ସ ଟିମର୍ମନ୍ସଙ୍କ ନେତୃତ୍ୱରେ ଲେବର-ଗ୍ରୀନ ଗଠବନ୍ଧନ ୨୫ ଟି ସିଟ୍ ସହିତ PVV ପଛରେ ଦ୍ୱିତୀୟ ସ୍ଥାନରେ ରହିବ ।

ପଲିଟିକୋ ରିପୋର୍ଟ କରିଛି ଯେ ବର୍ତ୍ତମାନର ଡଚ୍ ପ୍ରଧାନମନ୍ତ୍ରୀ ମାର୍କ ରୁଟେଙ୍କ ଅଧୀନରେ ୨୦୧୦ ମସିହାରୁ କ୍ରମାଗତ ଚାରିଟି ମଧ୍ୟମ ମାର୍ଗୀୟ ସରକାର ପରେ ବିଲଡର୍ସଙ୍କ ଫ୍ରିଡମ୍ ପାର୍ଟିର ବିଜୟ ଦ୍ଵାରା ଡଚ୍ ରାଜନୀତିରେ ଏକ ନାଟକୀୟ ପରିବର୍ତ୍ତନ ହେବ । ଯଦି ଗ୍ରୀଟ୍ ୩୫ ଟି ସିଟ୍ ଜିତିବାରେ ସଫଳ ହୁଅନ୍ତି, ତେବେ ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ସବୁଠାରୁ ବଡ ଦାବିଦାର ହେବେ । ତେବେ ସେ ଏକକ ଭାବରେ ସରକାର ଗଠନ କରିବାରେ ସମର୍ଥ ହେବେ ନାହିଁ । ତାଙ୍କୁ ଅନ୍ୟ ଦଳର ସମର୍ଥନ ଆବଶ୍ୟକ ହେବ । ଗ୍ରୀଟଙ୍କ  ବିବାଦୀୟ ଭାବମୂର୍ତ୍ତିକୁ ଦେଖି ଅନ୍ୟ ଦଳମାନେ ତାଙ୍କ  ସହ ମେଣ୍ଟ ଗଠନ କରି ସରକାରରେ ଯୋଗଦେବାକୁ ରାଜି ହେବେ କି ନାହିଁ ଏହା ମଧ୍ୟ ଏକ ପ୍ରଶ୍ନ । ତାଙ୍କ ଦଳ ବୃହତ ଦଳ ଭାବରେ ଉଭା ହେବା ସତ୍ତ୍ବେ  ସଂସଦରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ଗ୍ରୀଟଙ୍କୁ  ସଂଘର୍ଷ କରିବାକୁ ପଡିପାରେ ।

ୟୁରୋପୀୟ ରାଜନୀତିରେ ପଡ଼ିବ ପ୍ରଭାବ

ଇସଲାମ ବିରୋଧୀ ବିବୃତ୍ତି ପାଇଁ ବିବାଦରେ ଥିବା ଗ୍ରୀଟ୍ ଯଦି ନିର୍ବାଚନରେ ​​ଜିତନ୍ତି, ତେବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଡଚ୍ ରାଜନୀତିରେ ଏହା ସବୁଠାରୁ ବଡ ରାଜନୈତିକ ପରିବର୍ତ୍ତନ ହେବ । ଏହି ଫଳାଫଳ ୟୁରୋପର ରାଜନୀତିକୁ ମଧ୍ୟ ପ୍ରଭାବିତ କରିବ ।  ପଲିଟିକୋ ରିପୋର୍ଟରେ କୁହାଯାଇଛି ଯେ ଇସଲାମ ବିରୋଧୀ ଗ୍ରୀଟଙ୍କ ବିଜୟ ନେଦରଲ୍ୟାଣ୍ଡର ରାଜନୀତିରେ ପରିବର୍ତ୍ତନ ହେବ, ଯାହା ୟୁରୋପୀୟ ରାଜନୀତି ଉପରେ ଗଭୀର ପ୍ରଭାବ ପକାଇବ ।

ନେଦରଲ୍ୟାଣ୍ଡରେ ବିରୋଧୀଦଳ ନେତା ଭାବରେ ଗତ କିଛି ବର୍ଷ ମଧ୍ୟରେ ଗ୍ରୀଟ୍ ବିଲଡର୍ସ  କ୍ରମାଗତ ଭାବରେ ଇସଲାମ ବିରୋଧୀ ବିବୃତ୍ତି ଜାରି ରଖିଛନ୍ତି । ଇସଲାମ ଏବଂ ମୁସଲମାନମାନଙ୍କୁ ବିରୋଧ କରିବା ଗ୍ରୀଟ୍ ଏବଂ ତାଙ୍କ ଦଳ PVV ର ରାଜନୈତିକ ଅଭିଯାନର ଏକ ଅଂଶ ଅଟେ ।  ନିର୍ବାଚନ ପ୍ରଚାର ସମୟରେ ଦଳର ନେତାମାନେ ଅନେକ ବିବାଦୀୟ ପ୍ରତିଶୃତି ଦେଇଛନ୍ତି । ଯେପରି ସର୍ବସାଧାରଣ ସ୍ଥାନରେ ଇସଲାମିକ ପୋଷାକ ପିନ୍ଧିବା, ମସଜିଦ ବନ୍ଦ କରିବା ଏବଂ କୁରାନ ଉପରେ ପ୍ରତିବନ୍ଧକ ଲଗାଇବା । ଗ୍ରୀଟଙ୍କ ଭାବମୂର୍ତ୍ତି ହେତୁ ଅଧିକାଂଶ ଆସନ ଜିତିବା ସତ୍ତ୍ବେ ପ୍ରଧାନମନ୍ତ୍ରୀଙ୍କ ପାଇଁ ତାଙ୍କ ନାମ ଆଗକୁ ଆସିଲେ ଅନ୍ୟ ଦଳ ତାଙ୍କୁ ସମର୍ଥନ କରିବାକୁ ଆଗେଇ ଆସିବେ କି ନାହିଁ ବୋଲି ରାଜନ ରାଜନୈତିକ ବିଶ୍ଳେଷକମାନେ ସନ୍ଦେହ କରୁଛନ୍ତି ।