ଆଇପିଏଲରୁ ଆସିଲା ଭଲ ଖବର । ଷ୍ଟାଡିୟମରେ ବସି ମ୍ୟାଚ୍ ଦେଖିପାରିବେ ଦର୍ଶକ ।

120

କନକ ବ୍ୟୁରୋ : ଆଉ ଶୂନଶାନ ପଡିବନି ଷ୍ଟାଡିୟମ, ଦର୍ଶକଙ୍କ କରତାଳିରେ କମ୍ପିବ ପଡିଆ । ହଜାର ହଜାର ଦର୍ଶକ ଷ୍ଟାଡିୟମ ଆସିବେ, ଆଇପିଏଲର ମଜା ନେବେ । ୟୁଏଇରେ ଖେଳାଯିବାକୁ ଥିବା ଆଇପିଏଲର ବଳକା ମ୍ୟାଚରେ କିଛି ଏଭଳି ଦେଖିବାକୁ ମିଳିବ । କାରଣ ଷ୍ଟାଡିୟମରେ ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିଛି । ଏନେଇ ଆଇପିଏଲର ଅଧିକାରୀକ ଟ୍ୱିଟର ଆକାଉଣ୍ଟରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ପୂର୍ବରୁ କରୋନା କାରଣରୁ ଷ୍ଟାଡିୟମକୁ ଦର୍ଶକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା । କିନ୍ତୁ ଏବେ ପୁଣିଥରେ ଦର୍ଶକ ଷ୍ଟାଡିୟମରେ ବସି ଆଇପିଏଲ ମ୍ୟାଚର ମଜା ନେଇପାରିବେ । ଆଉ ଏଥିପାଇଁ ଆବଶ୍ୟକୀୟ ଟିକେଟ ଆଇପିଏଲର ଅଧିକାରୀକ ୱେବସାଇଟରେ ଉପଲବ୍ଧ ହେବ । ୟୁଏଇରେ ଆଇପିଏଲର ବଳକା ୩୧ଟି ମ୍ୟାଚ୍ ଖେଳାଯିବ । ଦୁବାଇ, ଶାରଜାହା ଏବଂ ଆବୁ ଧାବି ୩ଟି ଷ୍ଟାଡିୟମରେ ସୀମିତ ଦର୍ଶକଙ୍କ ଉପସ୍ଥିତିରେ ମ୍ୟାଚ୍ ଖେଳାଯିବ । ଆଉ ଏହି ସମୟରେ କୋଭିଡ ଗାଇଡଲାଇନ ଓ ୟୁଏଇ ସରକାରଙ୍କ ସମସ୍ତ ନିୟମକୁ କଡାକଡି ପାଳନ କରାଯିବ । ତେବେ ଷ୍ଟାଡିୟମକୁ କେତେ ଦର୍ଶକ ଆସିବେ ସେନେଇ କୌଣସି ସୂଚନା ଦିଆଯାଇନାହିଁ ।

ଏହାପୂର୍ବରୁ ଭାରତରେ ଚଳିତବର୍ଷ ଆଇପିଏଲ ଖେଳାଯାଇଥିଲା । କିନ୍ତୁ କିଛି ମ୍ୟାଚ୍ ଖେଳାଯିବା ପରେ ବିଭିନ୍ନ ଟିମରୁ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହାକୁ ସ୍ଥଗିତ କରି ଦିଆଯାଇଥିଲା । ପରେ ୟୁଏଇରେ ଆଇପିଏଲର ବଳକା ମ୍ୟାଚ୍ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଯାହା ଆସନ୍ତା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି । ୟୁଏଇରେ ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ । ଅକ୍ଟୋବର ୧୫ରେ ଦୁବାଇରେ ଆଇପିଏଲର ଫାଇନାଲ ମ୍ୟାଚ୍ ଖେଳାଯିବ ।