ଅମିତାଭ ବଚ୍ଚନଙ୍କୁ କରୋନା, ସ୍ୱାସ୍ଥ୍ୟବସ୍ଥା ସ୍ଥିର । ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା କଲେ ପ୍ରଂଶସକ

ବିଗ୍ ବି ଅମିତାଭ ବଚ୍ଚନଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ସାରା ଦେଶ

503

କନକ ବ୍ୟୁରୋ: ବିଗ୍ ବି ଅମିତାଭ ବଚ୍ଚନଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ସାରା ଦେଶ । ଏହା ମଧ୍ୟରେ ଅମିତାଭଙ୍କ ଫ୍ୟାନ୍ ବିଭିନ୍ନ ସ୍ଥାନରେ ପୂଜାର୍ଚନା କରୁଛନ୍ତି । ମଧ୍ୟପ୍ରଦେଶ ରାଜଧାନୀ ଭୋପାଲରେ ଅମିତାଭ ବଚ୍ଚନଙ୍କ ପାଇଁ ସ୍ୱତନ୍ତ୍ର ପୂଜା ଆୟୋଜନ କରାଯାଇଛି । କିପରି ଅମିତାଭ୍ ଡାକ୍ତରଖାନାରୁ ତୁରନ୍ତ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଫେରିବେ ସେ ନେଇ ପ୍ରାର୍ଥନା କରିଛନ୍ତି ଅମିତାଭଙ୍କ ଫ୍ୟାନ୍ ।

ସେହିପରି ଉତରପ୍ରଦେଶ ଲଖନୌରେ ବି ଦେଖିବାକୁ ମିଳିଛି ବିଗ୍ ବି ଅମିତାଭ ବଚ୍ଚନଙ୍କ ପାଇଁ ସ୍ୱତନ୍ତ୍ର ପୂଜା କରାଯାଇଛି । ଠାକୁରଙ୍କ ନିକଟରେ ଅମିତାଭଙ୍କ ଫଟୋ ରଖି ତାଙ୍କର ଆଶୁ ଆରୋଗ୍ୟ ନେଇ ପ୍ରାର୍ଥନା କରିଛନ୍ତି ଅମିତାଭଙ୍କ ଫ୍ୟାନ । ତୁରନ୍ତ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ବିଗ୍ ବି ନାନାବତୀ ଡାକ୍ତରଖାନାରୁ ଫେରି ଆସନ୍ତୁ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ସେପଟେ, କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବିଗ୍ ବି ଅମିତାଭ ବଚ୍ଚନଙ୍କ ମୁମ୍ୱାଇ ସ୍ଥିତ ବାସଭବନ ଜଲସାକୁ କରାଯିବ ବିଶୋଧନ । ଏଥିପାଇଁ ମୁମ୍ୱାଇ ମହାନଗର ନିଗମର କର୍ମଚାରୀ ଓ ବିଶୋଧନ କରିବାକୁ ଆସିଥିବା ଟିମ୍ ବିଗ୍ ବିଙ୍କ ବାସଭବନ ଜଲସାରେ ପହଁଚିଛନ୍ତି । ଗତକାଲି ବିଗ୍ ବିଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରଠାରୁ ତାଙ୍କର ଘରକୁ ବିଶୋଧନ କରାଯିବା ନେଇ ସୂଚନା ଆସିଥିଲା । ଆଜି ସକାଳେ ବିଏମସି କର୍ମଚାରୀ ଏଥିପାଇଁ ପ୍ରସ୍ତୁତି କରିଛନ୍ତି । ବିଶୋଧନ ସମୟରେ ସମସ୍ତ ସଦସ୍ୟ କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ରହିଛି କଡା ନିର୍ଦ୍ଦେଶ । ଏଣୁ ସମସ୍ତ ବିଶୋଧକ ଟିମ୍ କିଟ୍ ସହିତ ପୁରା ସତର୍କତା ଅବଲଂବନ କରିଛନ୍ତି । ଚିନ୍ତାଜନକ କଥା ହେଉଛି ମୁମ୍ୱାଇର ଯେଉଁ ଅଂଚଳରେ ଅମିତାଭଙ୍କ ବାସଭବନ ଜଲସା ରହିଛି ସେହି ଅଂଚଳରୁ କେବଳ ୫ ହଜାର ୩ ଶହ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ୩ ହଜାର ୬୧୪ ଲୋକ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଏହି ଅଂଚଳରେ କରୋନା ଆକ୍ଟିଭ୍ ସଂଖ୍ୟା ୧ ହଜାର ୧୪୫ ରହିଛନ୍ତି । ଏଣୁ କରୋନା ପ୍ରବଣ ଅଂଚଳରେ ଜଲସା ରହିଥିବାରୁ ଏହାକୁ ପ୍ରାଥମିକତା ଦେଇ ବିଶୋଧନ କରିବାକୁ ବ୍ୟବସ୍ଥା କରିଛି ମୁମ୍ୱାଇ ମହାନଗର ନିଗମ