‘ଫୋନି’ ଏକ ବିରଳ ବାତ୍ୟା । ଜାଣନ୍ତୁ କାହିଁକି?

5,808

କନକ ବ୍ୟୁରୋ: ସାମୁଦ୍ରିକ ଝଡ ‘ଫୋନି’ ଏବେ ଭୀଷଣ ରୂପ ଧାରଣ କରିଛି । ସମୁଦ୍ର ମଧ୍ୟରେ ରହି ଶକ୍ତି ସଂଗ୍ରହ କରୁଥିବା ଫୋନି ବର୍ତ୍ତମାନ ଘଂଟା ପ୍ରତି ୧୩ କିଲୋମିଟର ବେଗରେ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଏବେ ଏହା ଚେନ୍ନାଇଠାରୁ ୭୧୦ କିଲୋମିଟର ଏବଂ ଆନ୍ଧ୍ରପ୍ରଦେଶ ମଚ୍ଛଲିପଟ୍ଟନମଠାରୁ ୮୧୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ୧ ତାରିଖ ରାତି ୧୨ ଟା ସୁଦ୍ଧା ଏହା ‘ସିଭିୟର ସାଇକ୍ଲୋନିକ ଷ୍ଟର୍ମ’ ର ରୂପ ନେବ । ଏହାର ୩୬ ଘଂଟା ମଧ୍ୟରେ ଭୟଙ୍କର ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇପାରେ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।

ତେବେ ୩ ଓ ୪ ତାରିଖ ବେଳକୁ ଉପକୂଳ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ୨ ତାରିଖ ବେଳକୁ ଆନ୍ଧ୍ର ଓ ଓଡିଶା ଉପକୂଳରେ ଘଂଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିପାରେ । ଏହାର ଗତି ଘଂଟାପ୍ରତି ୬୦ କିଲୋମିଟର ବଢିବା ବି ସମ୍ଭାବନା ରହିଛି । ମେ ୩ ବେଳକୁ ପବନର ବେଗ ଘଂଟାପ୍ରତି ୮୫ କିଲୋମିଟର ବଢିବା ସମ୍ଭାବନା ରହିଛି ।

ତେବେ ବାତ୍ୟା ‘ଫୋନି’ ଏକ ବିରଳ ବାତ୍ୟା ବୋଲି ଜଣାପଡିଛି । ବିଷୁବ ରେଖା ଉପରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ଶ୍ରୀଲଙ୍କା ଉପକୂଳରୁ ଡେଇଁ ଭାରତ ଦକ୍ଷିଣ ଉପକୂଳରେ ପହଂଚିଛି । ଏହା ଧିରେ ଧିରେ କର୍ଣ୍ଣାଟକ, ତାମିଲନାଡୁ ଉପକୂଳ ଡେଇଁ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଏହା ଆନ୍ଧ୍ର ଉପକୂଳ ଡେଇଁ ଓଡିଶା ଉପକୂଳରେ ଗତି କରିବାର ସମ୍ଭାବନା ରହିଛି । ତେବେ ଏହା ଓଡିଶା ଉପକୂଳରେ ଛୁଇଁଲେ ଏକ ବିରଳ ଘଟଣା ହେବ । ପ୍ରଥମତଃ ମେ’ ମାସରେ ପ୍ରଥମ ଥର ପାଇଁ ଏଭଳି ଏକ ବାତ୍ୟା ଓଡିଶା ଆସୁଛି । ଦ୍ୱିତୀୟତଃ ଏତେ ଦୀର୍ଘ ବାଟ ଅତିକ୍ରମ କରି ଓଡିଶା ଉପକୂଳକୁ ବାତ୍ୟା ଆସିବା ମଧ୍ୟ ଏକ ବିରଳ ଘଟଣା ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

 

ବାତ୍ୟାର ନାମ କରଣ କିଭଳି ହୁଏ ?

ବର୍ତ୍ତମାନ ବିଶ୍ୱ ଜଳବାୟୁ ସଂଗଠନ ର ତତ୍ୱାବଧାନରେ କାର୍ଯ୍ୟ କରୁଥିବା ବିଶ୍ୱର ୧୧ଟି ଚେତାବନୀ କେନ୍ଦ୍ର ବାତ୍ୟାର ନାମକରଣ କରୁଛି । ସବୁ ବାତ୍ୟାର ନାମକୁ ଚୂଡାନ୍ତ ଅନୁମୋଦନ ପ୍ୟାଇଁ ଡବ୍ଲ୍ୟୁଏମଓର ଆଂଚଳିକ କ୍ରାନ୍ତିୟ ବାତ୍ୟା କମିଟିକୁ ପଠାଯାଇଥାଏ । ଏହି କମିଟି ନାମକରଣକୁ ପ୍ରତ୍ୟାଖ୍ୟାନ ବା ପରିବର୍ତ୍ତନ କରିପାରିବେ କିମ୍ବା ନିଜେ ଏକ ନୂଆ ନାମ ଦେଇପାରିବ । ଏହି ପ୍ରକ୍ରିୟାରେ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଥିବା ଦେଶକୁ ସାମିଲ କରାଯାଇଥାଏ । ଏକ ଲୋକପ୍ରିୟ ଲୋକମତ ବା ନାମର ଆଧାରରେ ହିଁ ଏହାର ନାମ କରଣ କରାଯାଇଥାଏ ।

ନାମକରଣକୁ ଆହୁରୀ ସଂଗଠିତ କରିବା ପାଇଁ , ପାଣିପାଗ ବିଜ୍ଞାନୀମାନେ ବର୍ଣ୍ଣମାଳା ଅନୁସାରେ ନାମକରଣ ଆରମ୍ଭ କଲେ, ଯେମିତିକି ବର୍ଷର ଆରମ୍ଭରୁ ହେଉଥିବା ବାତ୍ୟାର ନାମକରଣ ଇଂରାଜୀ ବର୍ଣ୍ଣମାଳାର ପ୍ରଥମ ଅକ୍ଷର ‘ଏ’ରୁ ଆରମ୍ଭ ହେଲା । ଯଦି ବାତ୍ୟା ଯୋଗୁଁ ବଡ ଧରଣର କ୍ଷୟକ୍ଷତି ସହିତ ମୃତକଙ୍କ ସଂଖ୍ୟା ଅଧିକ ହେଲା, ଡଜବ୍ଲ୍ୟୁଏମଓର ଯେ କୌଣସି କିମିଟିର ସଦସ୍ୟ ତାଲିକାରୁ ବାତ୍ୟାର ନାଁ ପ୍ରତ୍ୟାହାର କରିବା ପାଇଁ ଅନୁରୋଧ କରିପାରିବେ । ତା ବଦଳରେ କମିଟିକୁ ଆଉ ଏକ ନାମ ଦିଆଯାଇଥାଏ ଏବଂ ଏହି ନାମକରଣକୁ ସ୍ୱୀକୃତି ପାଇଁ ଆବଶ୍ୟକସ୍ଥଳେ ଭୋଟ ମଧ୍ୟ ଗ୍ରହଣ କରାଯାଇଥାଏ ।