ପୁରୀରେ ଲ୍ୟାଣ୍ଡଫଲ୍ କରିବା ପୂର୍ବରୁ ‘ଫୋନି’ର ଫିଟିଲା ଆଖି । ଜାଣନ୍ତୁ କଣ ରହିବ ପ୍ରଭାବ?

1,409

କନକ ବ୍ୟୁରୋ : ବାତ୍ୟା ଫୋନିର ଫିଟିଲା ଆଖି । ଆସନ୍ତାକାଲି ସକାଳ ୮ଟାରୁ ୧୦ଟା ମଧ୍ୟରେ ପୁରୀରେ ଲ୍ୟାଣ୍ଡଫଲ୍ କରିବା ପୂର୍ବରୁ ଫୋନିର ଆଖି ଦେଖିବାକୁ ମିଳିଛି । ସମୁଦ୍ର ମଧ୍ୟରେ ଶକ୍ତି ଗୋଟାଉଥିବା ଫୋନିର ଆଖି ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । ଆଉ ଏହାସହ ଅଶାନ୍ତ ହୋଇ ଉଠିଛି ସମୁଦ୍ର । ଫୋନି ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ୧୭୦ରୁ ୧୮୦ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ସର୍ତକ କରିଛି । ତେବେ ପବନର ବେଗ କିଛି ସ୍ଥାନରେ ୨୦୦ କିଲୋମିଟର ପ୍ରତି ଘଣ୍ଟା ପାର କରିପାରେ । ଯାହା ରାଜ୍ୟବାସୀଙ୍କ ଚିନ୍ତା ବଢାଇ ଦେଇଛି ।

ସ୍ଥଳଭାଗ ଛୁଇଁବା ପୂର୍ବରୁ ଫୋନିର ଆଖି ଦେଖାଯିବା ପରେ ଏହା ଉପରେ ଏବେ ପାଣିପାଗ ବିଭାଗର ନଜର ରହିଛି । କାରଣ ‘ଫୋନି’ର ଆଖିର ପରିଧି ଯେତିକି ବଢିବ ସେତିକି ଅଧିକ ହେବ ତାହାର ପ୍ରଭାବ । ଖାସକରି ଫୋନିର ଆଖି ଯେଉଁ ଅଞ୍ଚଳରେ ମାଡ ହେବ ତାହା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବ । ତେଣୁ ଫୋନିର ଆଖି ଉପରେ ଏବେ ସମସ୍ତଙ୍କର ନଜର ରହିଛି । ଫୋନିର ଆଖି ଫିଟିବା ପରେ ସମୁଦ୍ରରେ ଜୁଆର ଉଚ୍ଚ ହେବା ସହ ପବନର ବେଗ ମଧ୍ୟ ବଢିଛି । ଏହାସହ ରାଜ୍ୟର କିଛି ସ୍ଥାନରେ ବର୍ଷା ମଧ୍ୟ ଆରମ୍ଭ ହୋଇଛି ।