ପ୍ରଖ୍ୟାତ ସମାଜସେବୀ ଷ୍ଟାନ ସ୍ୱାମୀଙ୍କ ୮୪ ବର୍ଷରେ ପରଲୋକ । ଜାମିନ ଆବେଦନର ଶୁଣାଣୀ ଭିତରେ ଆରପାରିକୁ ଚାଲିଗଲେ ଷ୍ଟାନ ସ୍ୱାମୀ 

98

କନକ ବ୍ୟୁରୋ: ଆଦିବାସୀଙ୍କ ଅଧିକାର ପାଇଁ ଲଢେଇ କରୁଥିବା ଷ୍ଟାନ ସ୍ୱାମୀଙ୍କ କଥା ଆପଣ ଶୁଣିଥିବେ । ଏକ ମାମଲାରେ ହଠାତ ଗତ ବର୍ଷ ତାଙ୍କୁ ଗିରଫ କରାଯାଇଥିଲା । ଅଭିଯୋଗ ଥିଲା ମାଓବାଦୀଙ୍କ ସହ ସମ୍ପର୍କ ରଖିଛନ୍ତି । ୮୪ ବର୍ଷ ବୟସରେ ତାଙ୍କୁ ଜେଲ ଯିବାକୁ ପଡିଲା । ଜାମିନ ପାଇଁ ଆବେଦନ ବି କରିଥିଲେ । ବମ୍ବେ ହାଇକୋର୍ଟରେ ଏହାର ଶୁଣାଣୀ ଚାଲିଥିଲା । ଆଉ ଆଜି ଦୁଃଖଦ ଖବର ଆସିଲା ଷ୍ଟାନ ସ୍ୱାମୀ ଆଉ ନାହାଁନ୍ତି । କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ଶରୀରରେ ଅନେକ ଜଟିଳତା ଦେଖାଦେଲା । ଆଉ ଶେଷରେ ଆଦିବାସୀଙ୍କ ଅଧିକାର ପାଇଁ ଜୀବନ ସାରା ଲଢେଇ କରୁଥିବା ଏହି ବ୍ୟକ୍ତି ଜେଲରେ ରହି ରହି ମରିଗଲେ ।

ଭିମା କୋରେଗାଓଁ ହିଂସା ମାମଲାରେ ମୁଖ୍ୟ ଆରୋପି ତଥା ସୋସିଆଲ ଆକ୍ଟିଭିଷ୍ଟ ଷ୍ଟାନ ସ୍ୱାମୀଙ୍କ ୮୪ ବର୍ଷ ବୟସରେ ପରଲୋକ । ଚିକିତ୍ସାଧିନ ଅବସ୍ଥାରେ ଷ୍ଟାନ ସ୍ୱାମୀଙ୍କ ମୁମ୍ବାଇ ସ୍ଥିତ ହୋଲି ଫ୍ୟାମିଲି ହସ୍ପିଟାଲରେ ତାଙ୍କ ମୃତ୍ୟୁ ହୋଇଛି । ଡାକ୍ତରଙ୍କ ସୂଚନା ଅନୁସାରେ କୋଭିଡ୍ ହେବା ପରର ଜଟିଳତା ପାଇଁ ତାଙ୍କ ଶରୀରର ଅଧିକାଂଶ ଅଙ୍ଗ ଅକାମି ହୋଇଯାଇଥିଲା । ସୋମବାର ବମ୍ବେ ହାଇକୋର୍ଟରେ ଷ୍ଟାନ ସ୍ୱାମୀଙ୍କ ଜମାନତ ଆବେଦନ ଉପରେ ଶୁଣାଣୀ ହେବାର ଥିଲା । ମାତ୍ର ଏପଟେ ତାଙ୍କ ମୃତ୍ୟୁ ହୋଇଛି । ବମ୍ବେ ହାଇକୋର୍ଟଙ୍କୁ ତାଙ୍କ ପରଲୋକର ସମ୍ବାଦ ଦିଆଯାଇଥିଲା । ଜାନୁୟାରୀ  ୧, ୨୦୧୮ରେ ଦଳିତ ସମୁଦାୟର ଏକ କାର୍ଯ୍ୟକ୍ରମରେ ହୋଇଥିଲା । ଏଲଗାର ପରିଷଦର ଏହି ସମ୍ମିଳନୀରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିଲା । ଉତ୍ୟକ୍ତ ଲୋକେ ଗାଡି ମୋଟର ଜାଳି ଦେଇଥିଲେ । ଘଟଣାରେ ଜଣଙ୍କର ମୃତ୍ୟୁ ହେବା ସହ ଅନକେ ଆହତ ହୋଇଥିଲେ ।

ଏହି ହିଂସା ପଛରେ ମୁଖ୍ୟ ଆସାମୀ ଫାଦର ଷ୍ଟାନ ସ୍ୱାମୀଙ୍କୁ ଏନଆଇଏ ଗତ ବର୍ଷ ରାଂଚିରୁ ଗିରଫ କରିଥିଲା । ଏହାପରେ ତଲୋଜା ଜେଲରେ ସଜା କାଟୁଥିଲେ ଷ୍ଟାନ ସ୍ୱାମୀ । କୋଭିଡ୍ରେ ସଂକ୍ରମିତ ହେବାପରେ ଚଳିତ ବର୍ଷ ମେ ମାସରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ତାଙ୍କୁ ହୋଲି ଫ୍ୟାମିଲି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଶନିବାର ତାଙ୍କ ହୃଦଘାତ ହୋଇଥି ଲା । ଏହାପରେ ସୋମବାର ଦିନ ସାଢେ ଗୋଟାଏରେ ତାଙ୍କ ପରଲୋକ ହୋଇଛି । ୮୪ ବର୍ଷୀୟ ଜଣେ ବୃଦ୍ଧ ସମାଜସେବୀ ନିଜ ଶେଷ ନିଶ୍ୱାସ ବି କଏଦୀ ଭାବେ ତ୍ୟାଗ କରିଛନ୍ତି । ସମାଜସେବା କ୍ଷେତ୍ରରେ ଷ୍ଟାନ ସ୍ୱାମୀଙ୍କର ଅନେକ ଅବଦାନ ରହିଛି । ତାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।