କନକ ବ୍ୟୁରୋ : ସୈଫାଇ ମେଡିକାଲ ବିଶ୍ୱବିଦ୍ୟାଳୟର ହୃଦରୋଗ ବିଶେଷଜ୍ଞ ଡାକ୍ତର ସମୀର ସରାଫ ଡାକ୍ତର ପେଶାକୁ ବଦନାମ୍ କରିଦେଇଛନ୍ତି । ରୋଗୀମାନଙ୍କୁ ନକଲି ପେସମେକର ଲଗାଇଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି । ଯଦି ଆପଣ ତାଙ୍କର ଏହି ଘୃଣ୍ୟ କାମ ବାବଦରେ ଜାଣିବେ ତେବେ ଆପଣ ବି ଚକିତ ହୋଇଯିବେ ।

Advertisment

ଡାକ୍ତର ସମୀର ସରାଫ ୨୫୦ ଜଣ ହୃଦରୋଗୀଙ୍କୁ ଅପରେଶନ କରି ସେମାନଙ୍କ ଠାରେ ନକଲି ପେସମେକର ଲଗାଇଥିବା ଅଭିଯୋଗ ମିଳିବା ପରେ ପୋଲିସ ତାଙ୍କୁ ଗିରଫ କରିଛି । ଅଭିଯୋଗ ରହିଛି କି, ରୋଗୀମାନଙ୍କ ଠାରେ ନକଲି ପେସମେକର ଲଗାଇବା ପାଇଁ ଡାକ୍ତର ଜଣଙ୍କ କମ୍ପାନୀମାନଙ୍କ ସହ ଚୁକ୍ତି କରିଥିଲେ । ଏହି ଚୁକ୍ତି ମୁତାବକ ଡାକ୍ତର ଜଣଙ୍କ ରୋଗୀଙ୍କ ଠାରେ ବ୍ରାଣ୍ଡେଡ କମ୍ପାନୀ ନାମରେ ନକଲି ପେସମେକର ଲଗାଇ ମୋଟା ଅଙ୍କର ରୋଜଗାର କରୁଥିଲେ । କେବଳ ସେତିକି ନୁହେଁ ଏହି କାମ ବଦଳରେ କମ୍ପାନୀମାନେ ଡାକ୍ତରଙ୍କୁ ୧୮ଟି ବିଦେଶ ଯାତ୍ରା କରାଇଛନ୍ତି ମଧ୍ୟ ।

ମେଡିକାଲ ବିଶ୍ୱବିଦ୍ୟାଳୟ ପାଇଁ ମେଡିକାଲ ଉପକରଣ କିଣିବାରେ ଡାକ୍ତର ଜଣଙ୍କ ୨.୫ କୋଟି ଟଙ୍କା ଦୁର୍ନୀତି କରିଥିବା ଅଭିଯୋଗ ମଧ୍ୟ ରହିଛି । ଗେଜେଡେଟ ଅଧିକାରୀ ଓ ପୋଲିସ ଯାଂଚ ବେଳେ ଡାକ୍ତର ସମୀରଙ୍କ ଦୋଷ ଧରାପଡିଛି । ସୈଫଇ ପୋଲିସ ଡାକ୍ତରଙ୍କ ବିରୋଧରେ ଆଇପିସିର ଅନେକ ଧାରା ଲଗାଇ ମାମଲା ରୁଜୁ କରିଛି । ଏବଂ ଡାକ୍ତରଙ୍କୁ ଜେଲ ପଠାଇ ଦେଇଛି ।

ସୂଚନା ମୁତାବକ ଏହି ମାମଲା ୨୦୨୨ ଫେବୃଆରୀରେ ଆରମ୍ଭ ହୋଇଥିଲା । କିଛି ରୋଗୀ ଥାନାକୁ ଯାଇ ଡାକ୍ତର ସମୀରଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଅଭିଯୋଗରେ କୁହାଯାଇଥିଲା କି, ସେମାନଙ୍କ ହାର୍ଟ ଅପରେଶନ କରି ସେମାନଙ୍କ ଠାରେ ନକଲି ପେସମେକର ଲଗାଯାଇଛି । ଏହାଦ୍ୱାରା ତାଙ୍କୁ ଯନ୍ତ୍ରଣା ହେଉଛି । ଯାଂଚ ଅଧିକାରୀ କହିଛନ୍ତି କି, ଡାକ୍ତର ଜଣଙ୍କ ଗୋଟିଏ ପେସମେକର ଲଗାଇବାକୁ ଜଣେ ରୋଗୀଙ୍କ ଠାରୁ ୧.୮୫ ଲକ୍ଷ ଟଙ୍କା ନେଇଛନ୍ତି । ବାସ୍ତବରେ ପେସମେକରର ସ୍ଥିରିକୃତ ଦାମ ହେଉଛି ୯୬ ହଜାର ଟଙ୍କା ।