କନକ ବ୍ୟୁରୋ: ପାଟକୁରାରେ ବିଜେଡିର ବରିଷ୍ଠ ନେତା ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପରେ ତାଙ୍କ ସ୍ତ୍ରୀ ସାବିତ୍ରୀ ଏବେ ବିଜେଡି ବିଧାୟିକା । କିନ୍ତୁ ସାବିତ୍ରୀଙ୍କ ସମସ୍ତ କାର୍ଯ୍ୟ ତାଙ୍କ ପୁଅ ସଂଜୟ ତୁଲାଉଛନ୍ତି । ଏବେ ସାବିତ୍ରୀଙ୍କ ସ୍ଥାନ ନେବାକୁ ତାଙ୍କ ପୁଅ ସଂଜୟ ଓ ଝିଅ ମଧୁମିତା ଅଗ୍ରୱାଲର ଦୌଡରେ ଅଛନ୍ତିା ବିଭିନ୍ନ ସଭାସମିତିରେ ସେମାନଙ୍କୁୁ ଦେଖିବାକୁ ମିଳୁଛି । କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରାଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ପୁଅ ସତ୍ୟପ୍ରକାଶ ବେହେରାଙ୍କୁ ଦେଖିବାକୁ ମିଳୁଛି । ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସତ୍ୟ ପ୍ରକାଶଙ୍କ ଅଂଶ ଗ୍ରହଣ ଯୋଗୁଁ ଶଶିଭୂଷଣ ପୁଅ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି । ସେହିପରି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, ଦୀର୍ଘ ୨୩ ବର୍ଷ ହେଲା କ୍ଷମତାରୁ ଦୁରେଇ ରହିଲେ ବି, ପାଟକୁରା ଓ ମହାକାଳପଡାରେ ତାଙ୍କର ଦବଦବା ରହିଛି । ଏବେ ତାଙ୍କ ପୁଅ ଅରବିନ୍ଦ ମହାପାତ୍ର ମହାକାଳପଡା ଓ ପାଟକୁରାରେ ସାଂଗଠନିକ କାମରେ ଲାଗିବା ସହ ନିର୍ବାଚନ ଲଢିବେ ବୋଲି କହିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ଆଳିର ପୂର୍ବତନ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ସହ ତାଙ୍କ ଝିଅ ଦେବସ୍ମିତା ଶର୍ମାଙ୍କୁ ମଧ୍ୟ ବିଭିନ୍ନ ସଭା ସମିତିରେ ଦେଖିବାକୁ ମିଳୁଛି । ପେଶାରେ ସେ ଡାକ୍ତର ହେଲେ ମଧ୍ୟ ସଂଗଠନ ପାଇଁ ବେଶ ସକ୍ରିୟ । ତେଣୁ ଉତ୍ତରାଧିକାରୀ ଭାବେ ଦେବସ୍ମିତାଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି । ବିଜେଡି ନେତା ପ୍ରତାପ ଦେବ ମନ୍ତ୍ରୀ ଥିବା ବେଳେ ତାଙ୍କ ଭାଇ ବ୍ରଜସୁନ୍ଦର ଦେବ ମଧ୍ୟ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଛି ।
ସେ ରାଜ୍ୟ ରାଜନୀତି ହେଉ କି ଜାତୀୟ ରାଜନୀତି, ପରିବାରବାଦ ବିରୋଧରେ କେବଳ ବୟାନବାଜି ଚାଲିଛି ,କିନ୍ତୁ ଚଉକିର ମୋହ ଛାଡ଼ିପାରୁନାହାନ୍ତି ନେତା । ଆଉ କେନ୍ଦ୍ରାପଡାରେ ଏହି ପରମ୍ପରା ପୁରୁଣା । ପୂର୍ବରୁ ବହୁ ନେତା ମନ୍ତ୍ରୀଙ୍କ ସମ୍ପର୍କୀୟ ପ୍ରତ୍ୟକ୍ଷ ରାଜନୀତିକୁ ଆସି ସଫଳ ହୋଇଛନ୍ତି ।