କନକ ବ୍ୟୁରୋ : ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଛି । ଏହାରି ଭିତରେ ରିଲିଆନ୍ସ କମ୍ପାନୀ ତା’ର କର୍ମଚାରୀ ମାନଙ୍କ ପାଇଁ ଏକ ବଡ ଘୋଷଣା କରିଛି । କମ୍ପାନୀ ତରଫରୁ ଘୋଷଣା କରାଯାଇଛି କି, ଯଦି କୌଣସି କର୍ମଚାରୀଙ୍କର କରୋନାରେ ମୃତ୍ୟୁ ହୁଏ ତେବେ ତାଙ୍କର ପରିବାରକୁ ଆଗାମୀ ୫ ବର୍ଷ ଯାଏଁ କମ୍ପାନୀ ଦରମା ଦେବ । ଏହା ସହ ମୃତ କର୍ମଚାରୀଙ୍କ ପିଲାମାନଙ୍କ ପାଠ ପଢିବା ଖର୍ଚ୍ଚ କମ୍ପାନୀ ସମ୍ପୂର୍ଣ୍ଣ ବହନ କରିବ ।
ଏନେଇ ରିଲିଆନ୍ସ ଇଣ୍ଡଷ୍ଟ୍ରୀଜ ଲିମିଟେଡର ଚେୟାରମ୍ୟାନ ଓ ପ୍ରବନ୍ଧ ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଓ ତାଙ୍କ ଧର୍ମପତ୍ନୀ ନୀତା ଅମ୍ବାନୀ ରିଲିଆନ୍ସ ଫ୍ୟାମିଲି ସପୋର୍ଟ ଓ ୱେଲଫେୟାର ସ୍କିମର ଘୋଷଣା କରିଛନ୍ତି । ଏହି ଅବସରରେ ସେମାନେ କହିଥିଲେ କି କରୋନା ମହାମାରୀ ଇତିହାସର ସବୁଠାରୁ ଭୟାବହ ଅନୁଭବ ନେଇ ଆମ ସାମ୍ନାକୁ ଆସିଛି । ତେଣୁ ରିଲିଆନ୍ସ ଇଣ୍ଡଷ୍ଟ୍ରୀଜ୍ ତା’ର କର୍ମଚାରୀ ଓ ସେମାନଙ୍କ ପରିବାର ସହ ଛିଡା ହେବାକୁ ଚେଷ୍ଟା କରୁଛି ।
କର୍ମଚାରୀଙ୍କ ପାଇଁ କମ୍ପାନୀ ତରଫରୁ କ’ଣ ରହିଛି ଘୋଷଣା
- କରୋନାରେ ମୃତ କର୍ମଚାରୀଙ୍କୁ ୫ ବର୍ଷ ଯାଏଁ ଦରମା
- ପିଡୀତ ପରିବାରକୁ ଏକ କାଳୀନ ୧୦ ଲକ୍ଷ ଟଙ୍କାର ସହାୟତା ରାଶି
- ମୃତ କର୍ମଚାରୀଙ୍କ ପିଲାମାନଙ୍କ ପାଇଁ ଗ୍ରାଜୁଏସନ୍ ଯାଏ ମାଗଣା ଶିକ୍ଷା
- ମୃତ କର୍ମଚାରୀଙ୍କ ପରିବାର ପାଇଁ ସ୍ୱାସ୍ଥ୍ୟ ବୀମା
- କର୍ମଚାରୀ କିମ୍ବା ପରିବାରର କେହି କରୋନାରେ ସଂକ୍ରମିତ ହେଲେ ପୁରା ସୁସ୍ଥ ହେବା ଯାଏ ଦରମା ସହିତ ଛୁଟି
- ଅଫ୍ ରୋଲ କର୍ମଚାରୀ କରୋନାରେ ମୃତ୍ୟୁହେଲେ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା