ଫେରିବ କହି ଫେରିଲାନି ପୁଅ । ସୀମାରେ ସହିଦ ହୋଇଥିଲେ ସ୍ୱାମୀ, ସହିଦ ହୋଇଗଲା ପୁଅ… ବୀର ପୁଅକୁ ହରାଇ କାନ୍ଦୁଛି ମାଆ, ସ୍ୱାମୀକୁ ହରାଇ ହତବାକ ସ୍ତ୍ରୀ ।

308

କନକ ବ୍ୟୁରୋ: ଫୋନ ଆସିଲାନି, ପୁଅ ଫେରିଲାନି । ପାଣିରେ ମିଶିଗଲା ପୁଅର ଫେରିବାର ପ୍ରତିଶ୍ରୁତି । ମାର୍ଚ୍ଚ ୧୨ରେ ପୁଅ କହିଥିଲା ଘରକୁ ଫେରିବ । ହେଲେ ପୁଅର କଥା, କଥାରେ ହିଁ ରହିଗଲା । ସେ ତ ଫେରିଲାନି ମାତ୍ର ଫେରିଲା ତାର ଶବ, ସକାଳୁ ସକାଳୁ ଆସିଲା ସହିଦ ହେବାର ଫୋନ । ପୁଅ ଆଉ ନାହିଁ, ସୀମା ସେପାରିରୁ ଏ ନିଷ୍ଠୁର ସତ ଗୋଟେ ମାଆର ଛାତିକୁ ଦୋହଲାଇ ଦେଇଥିଲା, ଆଉ ପୁଅକୁ ନେଇ ତାର ସବୁ ଆଶା ଆଶାରେ ହିଁ ରହିଗଲା… ଏକୋଇରବୋଳା ବୀର ପୁଅ ମାଟିମାଆ ପାଇଁ ସହିଦ ହୋଇଛି । କିନ୍ତୁ ଜନ୍ମକଲା ମାଆର କୋଳ ଖାଲି ହୋଇଯାଇଛି । ସେଇଥିପାଇଁ ତ ଆଖିର ଲୁହକୁ ଓଠରେ ପିଇ ତା ବାପୁର ଫଟୋକୁ ଜାବୁଡି ଧରିଛି ମାଆ..

ଗତ ୧୮ ତାରିଖ, ଗୁରୁବାର । ଲଦାଖ ସୀମାରେ ସହିଦ ହୋଇଥିଲେ ଯାଜପୁର ଧର୍ମଶାଳା ବ୍ଲକ କ୍ଷେତ୍ରପାଳ ଗାଁର ବୀର ପୁଅ ଶଶାଙ୍କ ଶେଖର ସାମଲ । ମିଲିଟାରୀ ଟ୍ରକରେ ଘାଟିରୁ ଓହ୍ଲାଉଥିବା ବେଳେ ସହିଦ ହୋଇଥିଲେ ଶଶାଙ୍କ । ଦୀର୍ଘ ୧୨ ବର୍ଷ ଧରି ସେନାରେ କାମ କରୁଥିବା ଶଶାଙ୍କ ଦେଶ ପାଇଁ ସହିଦ ହେବା ପରେ ଭାଙ୍ଗିପଡିଥିଲା ପରିବାର । ବୀର ପୁଅ ବୀରଗତି ପାଇବାକୁ ୧୦ ଦିନ ବିତିଲାଣି ହେଲେ ଏବେବି ପରିବାର ଆଖିରୁ ଲୁହ ଶୁଖୁନି କି ଗାଁ ମାଟିରୁ ସେ ଦୁଃଖ ଯାଉନି ।

ସେପଟେ ସହିଦ ହେବା ପୂର୍ବରୁ ମାଆ, ସ୍ତ୍ରୀ ଓ ଭଉଣୀ ସହ କଥା ହୋଇଥିଲେ ଶଶାଙ୍କ । କହିଥିଲେ ଏଥର ମାର୍ଚ୍ଚରେ ଘରକୁ ଗଲେ ଅଧା ଘର ପୂରା କରିବି । ସୀମାରେ ଥିବାରୁ ସ୍ତ୍ରୀ ସହ ଭଲରେ କଥା ହୋଇପାରୁନଥିବା ଶଶାଙ୍କ ସସ୍ମିତାଙ୍କୁ ମନଦୁଃଖ ନକରିବାକୁ କହିଥିଲେ ଆଉ ମାର୍ଚ୍ଚରେ ଆସିବାର ପ୍ରତିଶ୍ରୁତି ଦେଇଥିଲେ । ହେଲେ ସ୍ୱାମୀ ଆସିବା ମାସଟେ ଆଗରୁ ସୀମାରେ ସହିଦ ହୋଇଗଲା ସୂନ୍ଦୂର, ଲଦାଖ ସୀମାରେ ଲିଭିଗଲା ସ୍ୱାମୀଙ୍କ ଜୀବନ । ଏବେ ଏକାଏକା କେମିତି ତାଙ୍କ ରକ୍ତକୁ ମଣିଷ କରିବ ସେ ଚିନ୍ତାରେ ସସ୍ମିତା ।

ବାପା ଆଉ ଫେରିବେନି, ଏକଥାକୁ କେମିତି ବୁଝିବ ଏ କଅଁଳ ଶିଶୁ । ବାପା ଦେଶ ପାଇଁ ସହିଦ ହୋଇଛନ୍ତି ବୋଲି ଗାଁ ଗର୍ବ କରୁଛି । ହେଲେ ସହିଦର ସଜ୍ଞା କଣ ବୁଝିବ ଏ କୁନି ପିଲା । ସେ ତ ଖାଲି ବୁଝିଛି ତା ବାପାକୁ, ସେଇଥିପାଇଁ ତ ବାପାଙ୍କ ଫଟୋ ଦେଖି ବାବା ଆସ ବୋଲି ଡାକୁଛି ।

ତେବେ କେବଳ ଶଶାଙ୍କ ନୁହଁନ୍ତି ବରଂ ଶଶାଙ୍କଙ୍କ ବାପା ବି ସୀମାରେ ସହିଦ ହୋଇଥିଲେ । ବାପାଙ୍କୁ ଅନୁସରଣ କରି ସେନାରେ ଯୋଗ ଦେଇଥିବା ଶଶାଙ୍କ ବି ସହିଦ ହୋଇଛନ୍ତି । ଅନ୍ୟପଟେ ଶଶାଙ୍କଙ୍କ ପରିବାରରୁ ବି ଅନ୍ୟ ଜଣେ ଭାଇ ସେନାରେ ଅଛନ୍ତି । ତେବେ ଦେଶ ମାତୃକାର ସେବା ପାଇଁ ପୂରା ପରିବାର ସମର୍ପିତ ଥିବା ବେଳେ ସହିଦ ଶଶାଙ୍କଙ୍କ ପୁଅକୁ ସେହି ସେନାରେ ସାମିଲ ହେବାକୁ ପ୍ରେରଣା ଦିଆଯିବ ବୋଲି ପରିବାର ଲୋକେ କହିଛନ୍ତି ।