Advertisment

ଲକଡ଼ାଉନ୍ ସମୟରେ ବିଶେଷ ପ୍ରଭାବିତ ହୋଇଛନ୍ତି ପ୍ରବାସୀ ଶ୍ରମିକ । ଭାଇରାସକୁ ଡ଼ରି ଭିଟାମାଟିକୁ ଫେରିଲାବେଳେ ମିଳୁଛି ଅପରିଚିତର ଠିକଣା । ପାଖରେ ନା’ ଅଛି ଟଙ୍କା , ନା’ ମିଳୁଛି କାମ । ଏମିତିକି କିଛି ସ୍ଥାନରେ ଲୋକଙ୍କୁ ଖାଦ୍ୟସାମଗ୍ରୀ କିଣିବା ପାଇଁ ମଧ୍ୟ ଅନେକ କସରତ କରିବାକୁ ପଡୁଛି । ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ କନୋଜରେ । ତାମିଲନାଡୁରେ କାମ କରୁଥିବା ଏକ ପ୍ରବାସୀ ଶ୍ରମିକ ପରିବାର ଯେତେବେଳେ ଗାଁକୁ ଫେରିଲା ନାହିନଥିବା ଅସୁବିଧାର ସାମ୍ନା କରିବାକୁ ପଡିଥିଲା । କିଛି ଦିନ ତ କଷ୍ଟେ ମଷ୍ଟେ ଚଳିଗଲା କିନ୍ତୁ ତା’ପରେ ଅବସ୍ଥା ସାଂଘାତିକ ହୋଇପଡିଲା । ଏହି କଥା ଯେତେବେଳେ ଜିଲ୍ଲା ପ୍ରଶାସନର କାନରେ ପଡିଲା ସେ ପ୍ରବାସୀ ପରିବାରଙ୍କ ପାଇଁ ରାଶନ୍ କାର୍ଡ , ରୋଜଗାର କାର୍ଡ଼ ଏବଂ ଖାଦ୍ୟସାମଗ୍ରୀର ବ୍ୟବସ୍ଥା କରିଦେଲେ ।

publive-image

ଉତ୍ତରପ୍ରଦେଶ କନୋଜର ଏହି ପ୍ରବାସୀ ଶ୍ରମିକ ପରିବାର କାମ ଅନ୍ୱେଷଣରେ ତାମିଲନାଡୁ ଯାଇଥିଲେ । କିନ୍ତୁ ଭାଇରସର ଭୟ ତାଙ୍କ ଠାରୁ କାମ ଛଡ଼ାଇନେଲା । ଭୋକରେ ବିଳିବିଳେଇ ଆଉ କିଛି ବାଟ ନପାଇ ସେମାନେ ଧାଇଁଆସିଲେ ଭିଟାମାଟିକୁ । ଗୋଟିଏ ପଟେ ଛୋଟ ଛୋଟ ପିଲାଙ୍କ ପେଟକୁ ପୋଡିଦେଉଥିଲା ଭୋକ ଆଉ ଗୋଟିଏ ପଟେ ଦେହରେ ଖଇ ଫୁଟୁଥିଲା ଜ୍ୱର । ପାଖରେ ନଥିଲା ଟଙ୍କା ... ଅନ୍ୟ କିଛି ବାଟ ନପାଇ ପିଲାଙ୍କ ପାଇଁ ୧୫୦୦ ଟଙ୍କାରେ ଗହଣା ବିକିଦେଲା ମା’ ।

କନୋଜର ଶ୍ରୀରାମ ଏବଂ ପତ୍ନୀ ଗୁଡ୍ଡି ଦେବୀ କିଡ୍ଡଲୋରରେ ଆଇସକ୍ରିମ୍ ବିକ୍ରି କରି ପେଟ ପୋଷୁଥିଲେ । ତାଲାବନ୍ଦରେ କାମ ମାନ୍ଦା ପଡିବା ସାଙ୍ଗକୁ ଘରମାଲିକ ଘରୁ ବାହାର କରିଦେଲା । ପାଖରେ ଯେତେ ଟଙ୍କା ଥିଲା ସେତିକିରେ କିଛି ଦିନ କଷ୍ଟେ ମଷ୍ଟେ ଚଳିଗଲା ତା’ପରେ ମାଡ଼ିଆସିଲା ସଂକଟ । ପିଲାମାନଙ୍କ ପେଟର ଭୋକ କାନ୍ଦ ହୋଇ ମା’ବାପାଙ୍କୁ ଚିନ୍ତାରେ ପକାଇଲା । କଥାରେ ଅଛି ମା’ ସବୁ ସହିଯିବ ହେଲେ ଛୁଆ ପେଟର ଭୋକ କେବେ ସହିପାରିବନି ... ବାସ୍ ଗୁଡ୍ଡିଦେବୀ ପିଲାଙ୍କ ପାଇଁ ୧୫୦୦ ଟଙ୍କାରେ ବିକ୍ରି କରିଦେଲେ ଗହଣା । ଏକଥା ଯେତେବେଳେ ଜିଲ୍ଳାପ୍ରଶାସନ ଶୁଣିଲେ ପରିବାରର ସହାୟତା ପାଇଁ ଆଗକୁ ଆସିଥିଲେ ।