କନକ ବ୍ୟୁରୋ : କରୋନାରେ ଜୀବନ ହାରିଥିବା ବୃଦ୍ଧଙ୍କ ଶବ ନେଲେ ନାହିଁ ପରିବାର ଲୋକେ । କୋଭିଡ ହସ୍ପିଟାଲରେ ମୃତଦେହ ପଡି ରହିବା ପରେ ଶବ ସତ୍କାର କଲେ ଗଂଜାମ ଉପଜିଲ୍ଲାପାଳ । ଗତକାଲି ଝଡ଼ ପବନ ପରେ କୋଭିଡ଼ କେୟାର ସେଂଟରରେ କିଛି ସମୟ ପାଇଁ ବିଜୁଳି ବିଛେଦ ହୋଇଯାଇଥିଲା । ରୋଗୀ ସେବାରେ ବାଧା ପ୍ରାପ୍ତ ହୋଇଥିଲା ।

Advertisment

ଉପଜିଳ୍ଲାପାଳ ରାଜେନ୍ଦ୍ର ମିଂଜ୍ କୋଭିଡ଼ କେୟାର ସେଂଟରରେ ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ୬୫ ବର୍ଷିୟ କାଳିଚରଣ ସାହୁଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ତାଙ୍କ ମୃତଦେହ ନେବାକୁ ରାଜି ହୋଇନଥିଲେ ପରିବାର ଲୋକେ । ଦୀର୍ଘ ସମୟ ଧରି ମୃତଦେହ ଡାକ୍ତରଖାନାରେ ପଡି ରହିବା ପରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜ୍ ତାଙ୍କ କିଛି କର୍ମଚାରୀଙ୍କ ସହଯୋଗରେ ଶବକୁ ମଶାଣିକୁ ନେଇଥିଲେ । ଯେଉଁ ମଶାଣିରେ କୋରନା ରୋଗୀଙ୍କ ଶବ ପୋଡ଼ିବା ପାଇଁ ଗାଁ ଲୋକ ମନା କରୁଥିଲେ ସେହି ମଶାଣିରେ ଶବ ସତ୍କାର କରି ସମାଜକୁ ଭିନ୍ନ ବାର୍ତା ଦେଇଛନ୍ତି ଉପଜିଲ୍ଲାପାଳ ।