ଟେଷ୍ଟ ଅଧିନାୟକ ପଦ ଛାଡିଲେ ବିରାଟ କୋହଲି, ଭାଇ ବିକାଶ କହିଲେ…

215

କନକ ବ୍ୟୁରୋ : ଟି-୨୦, ଦିନିକିଆ ପରେ ଏବେ ଟେଷ୍ଟ ଅଧିନାୟକ ପଦ ଛାଡିଛନ୍ତି ବିରାଟ କୋହଲି । ଶନିବାର ଅପ୍ରତ୍ୟାଶିତ ଭାବେ ଟେଷ୍ଟ ଅଧିନାୟକ ପଦକୁ ବାଏ ବାଏ କରିଛନ୍ତି  କୋହଲି । ଏଣିକି ବିରାଟଙ୍କୁ କେବଳ ବ୍ୟାଟର ଭୂମିକାରେ ଟିମରେ ଦେଖିବାକୁ ମିଳିବ । ତେବେ ବିରାଟ ହଠାତ୍ ଏଭଳି ଅଧିନାୟକ ପଦ ଛାଡିବା ଅନେକ କ୍ରିକେଟପ୍ରେମୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ତେବେ ଟେଷ୍ଟ କ୍ରିକେଟର ଅଧିନାୟକ ପଦ ଛାଡିବା ନେଇ ଟ୍ୱିଟରରେ ଘୋଷଣା କରିବା ପରେ କୋହଲିଙ୍କ ପରିବାର ପକ୍ଷରୁ କିଛି ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

କୋହଲିଙ୍କ ଭାଇ ବିକାଶ କୋହଲି ଇନଷ୍ଟାଗ୍ରାମ ପୋଷ୍ଟରେ କମେଣ୍ଟ ଦେଇ କହିଛନ୍ତି, ତୁମେ କେବଳ ପରିବାର ନୁହେଁ ପୂରା ଦେଶକୁ ଗର୍ବିତ କରିଛ । ତୁମ ପାଇଁ ଆମେ ଗର୍ବିତ । ତୁମେ ସବୁବେଳେ ଗର୍ବର ସହ ନିଜ ମୁଣ୍ଡ ଉଠାଇ ରଖିଛ । ନିଜ ଟିମ୍ ଓ ସ୍ୱପ୍ନ ଉପରେ ବିଶ୍ୱାସ କରିଛ । ତୁମ ସହ ଆମେ ସବୁବେଳେ ଅଛୁ । ଭଗବାନ ତୁମକୁ ଭଲରେ ରଖନ୍ତୁ । ଏହାସହ ବିକାଶ ପୁରୁଣା ଫଟୋ ମଧ୍ୟ ଇନଷ୍ଟାଗ୍ରାମ ଷ୍ଟୋରୀେୀ ସେୟାର କରିଥିଲେ । ଯେଉଁଥିରେ କୋହଲି ଓ ଅନୁଷ୍କାଙ୍କ ସହ ବିକାଶ ମଜା କରୁଥିବାର ଦେଖିବାକୁ ମିଳିଛି ।

ଗତକାଲି ବିରାଟ କୋହଲି ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରି ଲେଖିଥିଲେ,  ଗତ ୭ ବର୍ଷ ଧରି କଠିନ ପରିଶ୍ରମ ସହ ଟିମ୍ ପାଇଁ କାମ କରୁଥିଲି । କିନ୍ତୁ ଯେତେବେଳେ ମୋତେ ଲାଗିଲା କି ମୁଁ ମୋର ୧୨୦ ପ୍ରତିଶତ ଟିମ୍ ପାଇଁ ଦେଇପାରିବିନି , ସେତେବେଳେ ଅଧିନାୟକ ଭାବେ ରହିବା ଠିକ୍ ହେବ ନାହିଁ । ଟ୍ୱିଟରରେ ପୋଷ୍ଟ ସେୟାର କରିବା ପୂର୍ବରୁ  ଡ୍ରେସିଂ ରୁମରେ ଆଲୋଚନା ବେଳେ ଟେଷ୍ଟ ଟିମର ଅଧିନାୟକ ପଦ ଛାଡୁଥିବା ନେଇ ସାଥୀ ଖେଳାଳୀଙ୍କୁ ସୂଚନା ଦେଇଥିଲେ କୋହଲି । ସେତେବେଳେ ବିରାଟଙ୍କ ନିଷ୍ପତ୍ତି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ କୋହଲି ଏହି ନିଷ୍ପତ୍ତି ଜଣାଇବା ପରେ ସାଥୀ ଖେଳାଳୀଙ୍କୁ ଅନୁରୋଧ କରିଥିଲେ ଏହି ଖବରକୁ ଡ୍ରେସିଂ ରୁମ ବାହାରେ କାହା ସହ ସେୟାର ନ କରିବା ପାଇଁ । ଡ୍ରେସିଂ ରୁମ୍ ମିଟିଂର ୨୪ ଘଣ୍ଟା ପରେ କୋହଲି ସୋସିଆଲ ମିଡ଼ିଆରେ ନିଜ ନିଷ୍ପତ୍ତି ବାବଦରେ ଜଣାଇଥିଲେ ।

ଭାରତୀୟ ଟେଷ୍ଟ କ୍ରିକେଟ ଇତିହାସରେ ବିରାଟ କୋହଲି ସବୁଠୁ ସଫଳତମ ଅଧିନାୟକ ଭାବେ ଜଣାଶୁଣା । ୨୦୧୪-୧୫ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ମଧ୍ୟରେ ମହେନ୍ଦ୍ର ସିଂ ଧୋନୀ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ । ସେତେବେଳେ ଭାରତ ଟେଷ୍ଟ ରାକିଂରେ ୭ ନମ୍ବର ସ୍ଥାନରେ ରହିଥିଲା । ଆଉ ଏହାପରେ ଦଳର ମଙ୍ଗ ଧରିଥିଲେ କୋହଲି ।  ଟେଷ୍ଟ କ୍ରିକେଟରେ ଟିମ୍ ଇଣ୍ଡିଆକୁ ନମ୍ବର-୧ କରିବା ସହ ଦୀର୍ଘ ୫ ବର୍ଷ ଧରି ଏହି ଟ୍ରେଣ୍ଡ ଜାରି ରଖିଥିଲେ । ବିରାଟଙ୍କ ନେତୃତ୍ୱରେ ଭାରତ ୬୮ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ବେଳେ ୪୦ଟିରେ ବିଜୟୀ ହୋଇଛି । ଖାସକରି ବିଦେଶ ମାଟିରେ ବିରାଟଙ୍କ ନେତୃତ୍ୱରେ ଦମଦାର ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆ, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ ମାଟିରେ ଭାରତ ବିଜୟର ସ୍ୱାଦ ଚାଖିଛି  ।