ବଂଶବାଦ ରାଜନୀତିରେ ମୋର ସମସ୍ୟା ନାହିଁ କିନ୍ତୁ ଗଣତନ୍ତ୍ର ପାଇଁ ଏହା ବଡ ବିପଦ : ପ୍ରଧାନମନ୍ତ୍ରୀ

ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି ରାଜନୈତିକ ଉଷ୍ମତା ମଧ୍ୟ ବଢିବାରେ ଲାଗିଛି

132

କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି ରାଜନୈତିକ ଉଷ୍ମତା ମଧ୍ୟ ବଢିବାରେ ଲାଗିଛି । ଜନତାଙ୍କୁ ନିଜ ସପକ୍ଷରେ ବା ନିଜ ଦଳ ସପକ୍ଷରେ ମତାମତ ଦେବା ପାଇଁ ବିଭିନ୍ନ ପ୍ରକାର ଆଲୋଚନା ତଥା ବିଭିନ୍ନ ପ୍ରସଙ୍କ ଉପରେ ନେତାମାନେ ଆଲୋଚନା କରୁଛନ୍ତି । ତେବେ ୨୦୧୯ ଲୋକସଭା ନିର୍ବାଚନ ପାଇଁ ଜୋର୍ଦାର ପ୍ରଚାର ଆରମ୍ଭ କରିଥିବା ମୋଦୀ ‘ରିପବ୍ଲିକ୍ ଭାରତ’ ଚ୍ୟାନେଲ୍କୁ ସାକ୍ଷାତକାର ଦେଇ ପ୍ରଚାର ରଣନୀତି, ବିରୋଧୀ ଦଳଙ୍କ ମହାମେଣ୍ଟ, ବଂଶବାଦ ରାଜନୀତି, ରାଫେଲ ବିବାଦ, କର୍ମନିଯୁକ୍ତି ଓ ଅନ୍ୟ ପ୍ରସଙ୍ଗରେ ଦଳର ଆଭିମୁଖ୍ୟ ରଖିଛନ୍ତି।

ବଂଶବାଦ ରାଜନୀତି ମୋର ସମସ୍ୟା ନୁହେଁ, ଏହା ଭାରତର ଗଣତନ୍ତ୍ର ପ୍ରତି ବଡ଼ ବିପଦ ବୋଲି ପ୍ରଧାନମନ୍ତ୍ରୀ ଏହି ସାକ୍ଷାତକାରରେ କହିଥିଲେ। ବଂଶବାଦ ରାଜନୀତିର ବିପଦ ସଂପର୍କରେ ଲୋକଙ୍କୁ ଅବଗତ କରାଇବା ଗଣମାଧ୍ୟମର ଦାୟିତ୍ବ ବୋଲି ମୋଦୀ କହିଥିଲେ। ବାଲାକୋଟ ବିମାନ ଆକ୍ରମଣ ସଂପର୍କରେ ମୋଦୀ କହିଥିଲେ ଯେ ଅପରେସନ ଉପରେ ମୋର ଅହରହ ନଜର ରହିଥିଲା ଏବଂ ଲକ୍ଷ୍ୟ ସାଧନରେ ଏହା ସଫଳ ହୋଇଥିଲା।

ସେନାର ଏଭଳି ଅପରେସନର ପ୍ରମାଣ ମାଗି ବିରୋଧୀ ଦଳ ଭୁଲ୍ ନୀତି ଆପଣାଇଛନ୍ତି ବୋଲି ସେ କହିଥିଲେ। ଲୋକସଭା ନିର୍ବାଚନ ପ୍ରଧାନମନ୍ତ୍ରୀ କୈନ୍ଦ୍ରିକ ନହୋଇ ଭୋଟର୍ କୈନ୍ଦ୍ରିକ ହେବା ଆବଶ୍ୟକ ବୋଲି ମତଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଜନତାଙ୍କ ନିର୍ବାଚନ ଏବଂ ସେମାନଙ୍କ ମତ ହିଁ ଗଣତନ୍ତ୍ରକୁ ସୁଦୃଢ଼ କରିବ। ୩୦ ବର୍ଷ ଧରି ଲୋକେ ଯନ୍ତ୍ରଣା ଭୋଗୁଥିଲେ ଏବଂ ବିଗତ ୫ ବର୍ଷରେ ସେମାନେ ଶାସନର ସୁଫଳ ପାଇଛନ୍ତି ଏବଂ ସରକାରଙ୍କ ପ୍ରତି ଲୋକଙ୍କ ଆସ୍ଥା ବଢ଼ିଛି ବୋଲି ମୋଦୀ କହିଥିଲେ।