କନକ ବ୍ୟୁରୋ: ବଞ୍ଚି ଥାଉ ଥାଉ ଝିଅର ଶୁଦ୍ଧିକ୍ରିୟା କଲେ ଘର ଲୋକେ । ଝିଅ ଅନ୍ୟ ଧର୍ମର ପୁଅକୁ ପ୍ରେମ ବିବାହ କଲା ବୋଲି ଜିଇଁ ଥାଉଥାଉ ଝିଅକୁ ଶୁଦ୍ଧି ହୋଇଛନ୍ତି ବାପାମାଆ । କେନ୍ଦ୍ରାପଡା ପରେ ଗଜପତିରୁ ଏମିତି ଏକ ଅଭାବନୀୟ ଖବର ଆସିଥିବା ବେଳେ ମୋହନା ଚାନ୍ଦିପୁଟ ଗାଁର ଏ ଘଟଣାକୁ ନେଇ ଏବେ ପୁଣି ଥରେ ଚର୍ଚ୍ଚା ହେଉଛି ।

Advertisment

ତେବେ ଉକ୍ତ ଗାଁର ସହଦେବ ସାହୁଙ୍କ ଝିଅ ୨ ତାରିଖରୁ କୁଆଡେ ଚାଲିଯିବା ପରେ ପରିବାର ଲୋକେ ଚାରିଆଡେ ଖୋଜାଖୋଜି ଆରମ୍ଭ କରିଥିଲେ । ମାତ୍ର ୪ ତାରିଖ ଦିନ ଉକ୍ତ ଗାଁରେ ଥିବା ଅନ୍ୟ ଧର୍ମର ପୁଅକୁ କୋର୍ଟରେ ବିବାହ କରିଥିବା ଫଟୋ ଦେଖି ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିବା ସହ ଝିଅ ଭିନ୍ନ ଧର୍ମ ଏବଂ ଭିନ୍ନ ଜାତିରୁ ବିବାହ କରିଥିବାରୁ ଝିଅ ସେମାନଙ୍କ ପାଇଁ ମରିଯାଇଛି କହି ଶୁଦ୍ଧି କ୍ରିୟା କରିଥିଲେ । ଝିଅର ଫଟୋରେ ଫୁଲମାଳ ପକାଇ ପୁରୋହିତଙ୍କ ଦ୍ୱାରା ଝିଅକୁ ଶୁଦ୍ଧି ହୋଇଛନ୍ତି ବାପାମାଆ ।

ତେବେ ସପ୍ତାହେ ତଳେ କେନ୍ଦ୍ରାପଡାରେ ବି ପ୍ରେମ ବିବାହକୁ ନେଇ ଶୁଦ୍ଧି ହେବା ଘଟଣା ସାମ୍ନାକୁ ଆସିଥିଲା । ଯେଉଁଠି ଝିଅ ନିଜ ପ୍ରେମିକକୁ ବିବାହ କରିବା ପରେ ତାର ବାପାମାଆ ତାକୁ ଶୁଦ୍ଧି ହୋଇଥିଲେ । ତେବେ ପ୍ରେମ ବିବାହକୁ ଅସ୍ୱୀକାର କରିବାର ଗୋଟେ ଗୋଟେ ଅଭାବନୀୟ ଚିତ୍ର ରାଜ୍ୟର ୨ଟି ସ୍ଥାନରୁ ଆସିଥିବା ବେଳେ ଏ ଘଟଣା ଡିଆଁ ରୋଗ ପରି ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଡେଉଁଛି ।

ତେବେ ପ୍ରଶ୍ନ ଉଠୁଛି, ସମସ୍ୟା କେଉଁଠି ରହୁଛି ? ପ୍ରେମ କରିବା କଣ ଭୁଲ କି ? ପରିବାର ଲୋକେ ଏମିତି ନିଷ୍ପତ୍ତି ନେଇ କେଉଁ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ? ଏଭଳି ସମ୍ବେଦନଶୀଳ ଘଟଣାକୁ ଅଧିକ ପ୍ରଶ୍ରୟ ଦେବା ଅନୁଚିତ । କାରଣ ଅତୀତରେ ଗୋଟେ ଘଟଣା ପରେ ହିଁ ସମାନ ଢଙ୍ଗରେ ଅନେକ ଘଟଣା ସାମ୍ନାକୁ ଆସିଥିବାର ନଜିର ରହିଛି ।